Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ପ୍ରତି ଜିଲାରେ ନିଯୁକ୍ତ ହେବେ ୫ ‘ଶକ୍ତି ଅପା’

    Share on :
    ajab-Image
    Date: Sep 3, 2026    Views: 3275

    ଭୁବନେଶ୍ୱର: ରାଜ୍ୟର ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରୀଙ୍କ ସୁରକ୍ଷା, ସଶକ୍ତୀକରଣ ଓ ସାମଗ୍ରିକ କଲ୍ୟାଣକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ‘ଶକ୍ତିଶ୍ରୀ’ ଯୋଜନା ଅଧୀନରେ ପ୍ରତି ଜିଲାରେ ନିଯୁକ୍ତ ହେବେ ‘ଶକ୍ତି ଅପା’। ଏମାନଙ୍କୁ ମନୋନୟନ କରି ନାମ ତାଲିକା ଦାଖଲ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମ୍ପୃକ୍ତ ଜିଲାସ୍ତରୀୟ ଡିଗ୍ରୀ ନୋଡାଲ କଲେଜ ଅଧ୍ୟକ୍ଷ ଓ ନୋଡାଲ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
    ବିଭାଗର ସଚିବ ଅରବିନ୍ଦ ଅଗ୍ରୱାଲ କରିଥିବା ଚିଠିରେ ଉଲ୍ଲେଖ ରହିଛି ଯେ, ପ୍ରତି ଜିଲାରେ ୫ଜଣ ବିଶିଷ୍ଟ ପେସାଦାର ମହିଳାଙ୍କୁ ‘ଶକ୍ତି ଅପା’ ଭାବେ ମନୋନୀତ କରାଯିବ। ଜିଲାର ଭୌଗୋଳିକ ସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳମାନେ ଏହି ସଂଖ୍ୟାକୁ ସର୍ବାଧିକ ୧୦ଜଣ ପର୍ଯ୍ୟନ୍ତ ବୃଦ୍ଧି କରିପାରିବେ। ଶକ୍ତି ଅପାମାନେ ଉଚ୍ଚଶିକ୍ଷାନୁଷ୍ଠାନର ଛାତ୍ରୀଙ୍କ ପାଇଁ ରୋଲ ମଡେଲ, ମେଣ୍ଟର ଓ ରିସୋର୍ସ ପର୍ସନ ଭାବେ କାର୍ଯ୍ୟ କରିବେ। ସେମାନେ ନିର୍ଦ୍ଦିଷ୍ଟ ଉଚ୍ଚଶିକ୍ଷାନୁଷ୍ଠାନକୁ ପ୍ରତି ୩ ମାସରେ ଥରେ ଯାଇ ଛାତ୍ରୀମାନଙ୍କ ସହ ଆଲୋଚନା ଓ ମାର୍ଗଦର୍ଶନ କରିବେ। ଏହି ଗସ୍ତ ପାଇଁ ଟିଏ/ଡିଏ ସମ୍ପୃକ୍ତ ଉଚ୍ଚଶିକ୍ଷାନୁଷ୍ଠାନ ପକ୍ଷରୁ ବହନ କରାଯିବ। ‘ଶକ୍ତି ଅପା’ ଚୟନ ପାଇଁ ଏ କ୍ଷେତ୍ରରେ ସର୍ବନିମ୍ନ ୧୫ ବର୍ଷର ବୃତ୍ତିଗତ ଅଭିଜ୍ଞତା ଥିବା ମହିଳାଙ୍କୁ ପ୍ରାଥମିକତା ଦିଆଯିବ। ବିଶେଷକରି ମହିଳା ଓ ଶିଶୁ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟରତ ସାମାଜିକ କର୍ମୀ, ଅବସରପ୍ରାପ୍ତ ମହିଳା ସରକାରୀ କର୍ମଚାରୀ, ପୋଲିସ ଓ ସଶସ୍ତ୍ର ବାହିନୀର ପୂର୍ବତନ କର୍ମଚାରୀ, ଆଇନ ଓ ସାଇବର ସୁରକ୍ଷା ବିଶେଷଜ୍ଞ, ଜନସ୍ବାସ୍ଥ୍ୟ ବିଶେଷଜ୍ଞ, ମନସ୍ତାତ୍ତ୍ୱିକ ପରାମର୍ଶଦାତା, ଶିକ୍ଷାବିତ୍‌, ଅଧ୍ୟାପକ, ମହିଳା ଉଦ୍ୟୋଗୀ ଓ ଶିଳ୍ପ କ୍ଷେତ୍ରର ଅଭିଜ୍ଞ ମହିଳାମାନେ ସାମିଲ ହୋଇପାରିବେ। ଏହାବ୍ୟତୀତ, ମହିଳା ସଶକ୍ତୀକରଣ ପ୍ରତି ପ୍ରତିବଦ୍ଧ ଅନ୍ୟ କୌଣସି ଯୋଗ୍ୟ ଓ ବିଶିଷ୍ଟ ମହିଳାଙ୍କୁ ମଧ୍ୟ ଜିଲା ପ୍ରଶାସନ ବିଚାର କରିପାରିବେ। ଶକ୍ତି ଅପାମାନେ ଉଚ୍ଚଶିକ୍ଷାନୁଷ୍ଠାନର ‘ଶକ୍ତିଶ୍ରୀ ଏମ୍ପାୱାରମେଣ୍ଟ ସେଲ୍‌’କୁ ସହଯୋଗ କରିବା ସହ ଛାତ୍ରୀଙ୍କ ମଧ୍ୟରେ ସୁରକ୍ଷା ସଚେତନତା, ଆତ୍ମବିଶ୍ୱାସ ଓ ସଶକ୍ତୀକରଣ ବାତାବରଣ ସୃଷ୍ଟିରେ ସହାୟତା କରିବେ। ପ୍ରତ୍ୟେକ ଗସ୍ତ ପରେ ବିସ୍ତୃତ ରିପୋର୍ଟ ଜିଲା ନୋଡାଲ କଲେଜରେ ଦାଖଲ କରିବାକୁ ପଡ଼ିବ। ଆସନ୍ତା ୨୧ ତାରିଖ ସୁଦ୍ଧା ମନୋନୀତ ‘ଶକ୍ତି ଅପା’ଙ୍କ ନାମ, ପେସାଗତ କ୍ଷେତ୍ର, ପଦବୀ/ସଂକ୍ଷିପ୍ତ ପରିଚୟ, ମୋବାଇଲ ନମ୍ବର, ଇ-ମେଲ୍‌ ଆଇଡି ଓ ଜିଲାର ବିବରଣୀ ନିର୍ଦ୍ଦିଷ୍ଟ ଗୁଗଲ ଫର୍ମ ମାଧ୍ୟମରେ ଉଚ୍ଚଶିକ୍ଷା ବିଭାଗରେ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି। ତେବେ ଅନୁଗୋଳ, ବାଲେଶ୍ୱର, ବରଗଡ଼, ଦେବଗଡ଼, କଳାହାଣ୍ଡି, ଖୋର୍ଦ୍ଧା, କେନ୍ଦୁଝର ଓ ରାୟଗଡ଼ ଜିଲାରୁ ‘ଶକ୍ତି ଅପା’ଙ୍କ ନାମ ପୂର୍ବରୁ ମିଳିସାରିଥିବା ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook