Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଜିଲ୍ଲା ବୁଲିବେ ସଚିବ;୩୦ଙ୍କୁ ଦାୟିତ୍ୱ

    Share on :
    ajab-Image
    Date: Sep 2, 2026    Views: 3144

    ଭୁବନେଶ୍ୱର: ତୃଣମୂଳସ୍ତରରେ ଲୋକେ କେତେ ସୁଫଳ ପାଉଛନ୍ତି, ତାହା ଜାଣିବାକୁ ଏବେ ଜିଲ୍ଲା ମୁହାଁ ହେବେ ରାଜ୍ୟ ସରକାରଙ୍କ ସଚିବ ଓ ବରିଷ୍ଠ ଅଧିକାରୀ । ଅଗଷ୍ଟରୁ ଅକ୍ଟୋବର ମଧ୍ୟରେ ଆବଣ୍ଟିତ ଜିଲ୍ଲା ଗସ୍ତ କରିବେ । ସରକାରୀ ଯୋଜନା, ବିକାଶମୂଳକ କାର୍ଯ୍ୟ ଓ ଲୋକଙ୍କୁ ମିଳୁଥିବା ସେବାର ବାସ୍ତବ ସ୍ଥିତି ଯାଞ୍ଚ କରିବାକୁ ଅଧିକାରୀମାନଙ୍କୁ କୁହାଯାଇଛି । ଏନେଇ ଉନ୍ନୟନ କମିଶନର ଦେଓରଞ୍ଜନ କୁମାର ସିଂଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି ।

    ଉନ୍ନୟନ କମିଶନର ଦେଓରଞ୍ଜନ କୁମାର ସିଂଙ୍କ ପକ୍ଷରୁ ଜାରୀ ନିର୍ଦ୍ଦେଶନାମାରେ କୁହାଯାଇଛି, "ଜିଲ୍ଲା ଗସ୍ତରେ ଯାଇ ଅଧିକାରୀମାନେ ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ଭୌତିକ ଏବଂ ଆର୍ଥିକ ପ୍ରଗତି ସମୀକ୍ଷା କରିବେ । କେବଳ ବିଭାଗୀୟ ରିପୋର୍ଟ ଉପରେ ନିର୍ଭର ନକରି ଯୋଜନାଗୁଡ଼ିକର ସୁଫଳ ବାସ୍ତବରେ ହିତାଧିକାରୀଙ୍କ ପାଖରେ ପହଞ୍ଚୁଛି କି ନାହିଁ, ସେ ନେଇ ସ୍ଥଳ ପରିଦର୍ଶନ କରି ଅନୁଧ୍ୟାନ କରାଯିବ । ବିଶେଷକରି ସ୍ୱାସ୍ଥ୍ୟସେବା ଉପରେ ରହିବ ଗୁରୁତ୍ୱ । ଅଧିକାରୀମାନେ ଜିଲ୍ଲାର ହସ୍ପିଟାଲ, ପିଏଚ୍‌ସି ଓ ସିଏଚ୍‌ସି ଆଦିକୁ ଅଚାନକ ପରିଦର୍ଶନ କରିବେ । ଡାକ୍ତର, ନର୍ସ ଓ ଅନ୍ୟ ମାନବ ସମ୍ବଳର ସ୍ଥିତି, ଔଷଧ ଉପଲବ୍ଧତା, ଆବଶ୍ୟକ ସେବା ଏବଂ ଆପାତକାଳୀନ ବ୍ୟବସ୍ଥା କିଭଳି ରହିଛି, ତାହା ଯାଞ୍ଚ ହେବ । ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ସହ ଆଲୋଚନା କରି ସେବାର ବାସ୍ତବ ଚିତ୍ର ଜାଣିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି । ଅଙ୍ଗନବାଡ଼ି କେନ୍ଦ୍ର, ବିଦ୍ୟାଳୟ ଓ ଛାତ୍ରାବାସ ମଧ୍ୟ ଏହି ତଦାରଖରୁ ବାଦ ପଡ଼ିବ ନାହିଁ । ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁ ଓ ମହିଳାଙ୍କ ପାଇଁ ମିଳୁଥିବା ସେବା, ପୁଷ୍ଟିକର ଖାଦ୍ୟ ଓ ଅନ୍ୟାନ୍ୟ ବ୍ୟବସ୍ଥା ଯାଞ୍ଚ କରାଯିବ । ସେହିପରି ବିଦ୍ୟାଳୟରେ ଶିକ୍ଷାଦାନ, ଛାତ୍ରଛାତ୍ରୀଙ୍କ ସୁବିଧା ଓ ଛାତ୍ରାବାସର ପରିଚାଳନା ସମ୍ପର୍କରେ ମଧ୍ୟ ଅଧିକାରୀମାନେ ସ୍ଥିତି ପରଖିବେ ।"

    ଜିଲ୍ଲା ଗସ୍ତର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଅଧିକାରୀ ଅନୁନ୍ନତ ଓ ଦୁର୍ଗମ ଅଞ୍ଚଳକୁ ମଧ୍ୟ ଯିବେ । ସେଠାରେ ସଡ଼କ, ବିଦ୍ୟୁତ, ପାନୀୟଜଳ ଭଳି ମୌଳିକ ସୁବିଧାର ସ୍ଥିତି ଅନୁଧ୍ୟାନ କରିବା ସହ ସ୍ଥାନୀୟ ଲୋକଙ୍କ ସହ ସିଧାସଳଖ ଆଲୋଚନା କରି ସମସ୍ୟା ଚିହ୍ନଟ କରିବେ । ଏହା ଦ୍ୱାରା ଜିଲ୍ଲା ପ୍ରଶାସନର ରିପୋର୍ଟ ଓ ଗ୍ରାଉଣ୍ଡ ରିଆଲିଟି ମଧ୍ୟରେ ଥିବା ଫରକ ମଧ୍ୟ ସାମ୍ନାକୁ ଆସିବାର ସୁଯୋଗ ରହିଛି । ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ବିଭିନ୍ନ ମୌଳିକ ସୁବିଧା କେତେ ପରିମାଣରେ ଉପଲବ୍ଧ ହୋଇଛି । ସରକାରୀ ସେବାର ସ୍ଥିତି କ’ଣ, ତାହା ମଧ୍ୟ ଯାଞ୍ଚ ହେବ । ପାନୀୟ ଜଳ ଯୋଗାଣ ପ୍ରକଳ୍ପରେ ବିଳମ୍ବ ହେଉଥିଲେ ତାହାର କାରଣ ଚିହ୍ନଟ କରି ସମ୍ପୃକ୍ତ ବିଭାଗକୁ ଅବଗତ କରାଇବାକୁ ମଧ୍ୟ କୁହାଯାଇଛି । ବ୍ୟାଙ୍କିଂ ସେବାର ଉପଲବ୍ଧତା, ବ୍ୟାଙ୍କ ଶାଖା ଓ ବ୍ୟାଙ୍କିଂ ସମ୍ବନ୍ଧୀୟ ଅଭିଯୋଗ, ସରକାରୀ ସେବା ପ୍ରଦାନରେ ଥିବା ସମସ୍ୟା ଏବଂ ଜନଶୁଣାଣିରେ ଆସିଥିବା ଅଭିଯୋଗର ସମାଧାନ ସ୍ଥିତି ମଧ୍ୟ ସମୀକ୍ଷା ହେବ ।


    ସରକାରଙ୍କ ତାଲିକା ଅନୁଯାୟୀ ୩୦ ଜଣ ସଚିବ ଓ ବରିଷ୍ଠ ଅଧିକାରୀଙ୍କୁ ବିଭିନ୍ନ ଜିଲ୍ଲା ଆବଣ୍ଟନ କରାଯାଇଛି । ଅର୍ଥ ବିଭାଗର ପ୍ରମୁଖ ସଚିବ ସଞ୍ଜୟ କୁମାର ମିଶ୍ରଙ୍କୁ ଖୋର୍ଦ୍ଧା, ପୂର୍ତ୍ତ ବିଭାଗର ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂଙ୍କୁ ଗଜପତି, ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ସୁରେଶ କୁମାର ବଶିଷ୍ଠଙ୍କୁ କେନ୍ଦ୍ରାପଡ଼ା ଏବଂ ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ ଶୁଭା ଶର୍ମାଙ୍କୁ ପୁରୀ ଜିଲ୍ଲା ଦାୟିତ୍ୱ ଦିଆଯାଇଛି । ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଏନବିଏସ ରାଜପୁତଙ୍କୁ କୋରାପୁଟ, ଜଙ୍ଗଲ ଏବଂ ପରିବେଶ ବିଭାଗର ପ୍ରମୁଖ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମାଙ୍କୁ ଜଗତସିଂହପୁର, ଯୋଜନା ଏବଂ ସଂଯୋଜନାର ପ୍ରମୁଖ ଶାସନ ସଚିବ ଟି ଆଓଙ୍କୁ କଟକ, ଅବକାରୀ ବିଭାଗର ପ୍ରମୁଖ ଶାସନ ସଚିବ ଆର. ସନ୍ଥଗୋପାଳନଙ୍କୁ ଢେଙ୍କାନାଳ, ପଞ୍ଚାୟତିରାଜ ବିଭାଗର ସଚିବ ଗିରିଶ ଏସ୍‌.ଏନ୍‌ଙ୍କୁ ସୁନ୍ଦରଗଡ଼, ମହିଳା ଏବଂ ଶିଶୁ ବିକାଶର ସଚିବ ଡ. ମୃଣାଳିନୀ ଦର୍ଶୱାଲଙ୍କୁ ଯାଜପୁର, ସ୍ୱାସ୍ଥ୍ୟ ସଚିବ ଅଶ୍ୱଥୀ ଏସ୍‌ଙ୍କୁ ବାଲେଶ୍ଵର, ସମବାୟ ସଚିବ ପାଟିଲ ରାଜେଶ ପ୍ରଭାକରଙ୍କୁ ମାଲକାନଗିରି, ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲଙ୍କୁ ସମ୍ବଲପୁର ଦାୟିତ୍ୱ ଦିଆଯାଇଛି ।

    ସେହିପରି ପର୍ଯ୍ୟଟନ ସଚିବ ବଲୱନ୍ତ ସିଂହଙ୍କୁ ସୋନପୁର, କୃଷି ସଚିବ ସଚିନ ରାମଚନ୍ଦ୍ର ଯାଦବଙ୍କୁ କେନ୍ଦୁଝର, କ୍ରୀଡା ସଚିବ ଭୂପେନ୍ଦ୍ର ଏସ୍‌. ପୁନିଆଙ୍କୁ ବୌଦ୍ଧ, ଗ୍ରାମ୍ୟ ଉନ୍ନୟନ ସଚିବ ଯାମିନୀ ଷଡ଼ଙ୍ଗୀଙ୍କୁ ମୟୁରଭଞ୍ଜ, ST&SC ସଚିବ ବି. ପରମେଶ୍ୱରନଙ୍କୁ କନ୍ଧମାଳ, ହସ୍ତତନ୍ତ ଏବଂ ହସ୍ତଶିଳ୍ପ ସଚିବ ଗୁହା ପୁନମ ତାପସ କୁମାରଙ୍କୁ ରାୟଗଡା, ଓଡ଼ିଆ ଭାଷା ସାହିତ୍ୟ ଏବଂ ସଂସ୍କୃତି ସଚିବ ବିଜୟ କେତନ ଉପାଧ୍ୟାୟଙ୍କୁ ଝାରସୁଗୁଡା, ଇଡ୍କୋ ଏମଡି ଡି. ପ୍ରଶାନ୍ତ କୁମାର ରେଡ୍ଡୀଙ୍କୁ ନୟାଗଡ଼, ଗଣଶିକ୍ଷା ସଚିବ ଏନ୍‌. ଥିରୁମାଲା ନାଏକଙ୍କୁ ଅନୁଗୋଳ, ଏମ୍ଏସଏମ୍ଇ ସଚିବ ରଶ୍ମିତା ପଣ୍ଡାଙ୍କୁ ବଲାଙ୍ଗୀର, ଏନଏଚଏମ୍ ଏମଡି ବୃନ୍ଦା ଡିଙ୍କୁ ବରଗଡ଼, ସରକାରୀ ଉଦ୍ୟୋଗ ସଚିବ ମହମ୍ମଦ ସାଦିକ୍‌ ଆଲମ୍‌ଙ୍କୁ ନୂଆପଡା, ମିଶନ ଶକ୍ତି ସଚିବ ମାନସି ନିମ୍ବାଲଙ୍କୁ ଗଞ୍ଜାମ, ମତ୍ସ୍ୟ ଏବଂ ପଶୁ ସମ୍ପଦ ସଚିବ ପ୍ରେମ ଚନ୍ଦ୍ର ଚୌଧୁରୀଙ୍କୁ ଭଦ୍ରକ, ମ୍ୟୁନିସିପାଲ ପ୍ରଶାସନ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆଙ୍କୁ କଳାହାଣ୍ଡି, କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଦେବଗଡ଼, ପାନୀୟ ଜଳ ନିର୍ଦ୍ଦେଶକ ବିନୀତ ଭରଦ୍ୱାଜଙ୍କୁ ନବରଙ୍ଗପୁର ଜିଲ୍ଲା ଆବଣ୍ଟନ କରାଯାଇଛି ।
    ଜିଲ୍ଲା ଗସ୍ତ ସମୟରେ ୨୯ଟି ପ୍ରମୁଖ ଯୋଜନା, କାର୍ଯ୍ୟକ୍ରମ ଓ ଫଳାଫଳର ସମୀକ୍ଷା କରାଯିବ । ଏଥିରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, ଆୟୁଷ୍ମାନ ଭାରତ-ପିଏମ୍‌ଜେଏୱାଇ, ଅନ୍ତୋଦୟ ଗୃହ ଯୋଜନା, ପିଏମ୍‌ଏୱାଇ, ପାଇପ୍‌ ଜଳ ଯୋଗାଣ ଯୋଜନା, ସେତୁ ବନ୍ଧନ ଯୋଜନା, ସୁଭଦ୍ରା ଯୋଜନା, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ପିଏମ୍‌ ଶ୍ରୀ, ପୋଷଣ ଅଭିଯାନ, ଆଇସିଡିଏସ୍‌, ପିଏମ୍‌ ଜନମନ, ମଧୁବାବୁ ପେନ୍‌ସନ ଯୋଜନା, ସାର୍ବଜନୀନ ବଣ୍ଟନ ବ୍ୟବସ୍ଥା ଓ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଭଳି ଯୋଜନା ରହିଛି । ଏଥିସହ ଗ୍ରାମୀଣ ବିଦ୍ୟୁତୀକରଣ, ଗ୍ରାମୀଣ ଶିଳ୍ପ ପାର୍କ ଓ ପ୍ରସ୍ତାବିତ ନିବେଶ, ଜିଲ୍ଲା ଓ ଉପଖଣ୍ଡସ୍ତରରେ ଅଭିଯୋଗ ଶୁଣାଣି ବ୍ୟବସ୍ଥା ଏବଂ ଜନଶୁଣାଣି ପୋର୍ଟାଲରେ ଲମ୍ବିତ ଅଭିଯୋଗ ଉପରେ ମଧ୍ୟ ଅଧିକାରୀ ନଜର ଦେବେ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook