Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଆହୁରି ଭବ୍ୟ ହେବ 'ମହୋଦଧି ଆରତୀ',ପୁରୀ ବେଳାଭୂମି ହେବ 'ଆଧ୍ୟାତ୍ମିକ ବେଳାଭୂମି' - ମୁଖ୍ୟମନ୍ତ୍ରୀ

    Share on :
    ajab-Image
    Date: Aug 13, 2026    Views: 2859

    ଭୁବନେଶ୍ୱର: ପୁରୀ ଗୋବର୍ଦ୍ଧନ ପୀଠର ସର୍ବାଙ୍ଗୀନ ବିକାଶ, ସୁରକ୍ଷା ଏବଂ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ  ଲୋକସେବା ଭବନ ଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୁରୀର ଆଧ୍ୟାତ୍ମିକ ଗରିମାକୁ ବଢ଼ାଇବା ସହ ପୀଠର ସମ୍ପତ୍ତିର ସୁରକ୍ଷା ପାଇଁ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ପୀଠର ପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ।ବୈଠକରେ ମୁଖ୍ୟମନ୍ତ୍ରୀ ପୁରୀ ସ୍ୱର୍ଗଦ୍ୱାର ସମ୍ମୁଖ ବେଳାଭୂମିରେ ପ୍ରତିଦିନ ଅନୁଷ୍ଠିତ ହେଉଥିବା ପବିତ୍ର ‘ସନ୍ଧ୍ୟା ମହୋଦଧି ଆରତୀ’ ଉପରେ ବିଶେଷ ଗୁରୁତ୍ୱ ଆରୋପ କରିଛନ୍ତି। ଏହି ଆରତୀ ସ୍ଥଳର ସୌନ୍ଦର୍ଯ୍ୟକରଣ କରାଯିବା ସହିତ ସନ୍ଧ୍ୟା ଆରତୀକୁ ଆହୁରି ଭବ୍ୟ ଆକାରରେ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।  ସମଗ୍ର ପୁରୀ ବେଳାଭୂମିକୁ ଏକ ଭବ୍ୟ ଆଧ୍ୟାତ୍ମିକ ବେଳାଭୂମି ଭାବେ ବିକଶିତ କରିବାକୁ ସେ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। 

    ଏହା ସହିତ ଗୋବର୍ଦ୍ଧନ ପୀଠର ଜମି ଜମା ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପୁରୁଣା ଲ୍ୟାଣ୍ଡ ସେଟେଲମେଣ୍ଟ ଦସ୍ତାବିଜ୍‌କୁ ପୁନର୍ବାର ସମ୍ପୂର୍ଣ୍ଣ ଯାଞ୍ଚ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ନିରାପତ୍ତା ଓ ପୀଠ ପରିସରର ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।ଗୋବର୍ଦ୍ଧନ ପୀଠର ସମସ୍ତ ପୂର୍ବାଚାର୍ଯ୍ୟ ମାନଙ୍କ ପବିତ୍ର ସମାଧି ସ୍ଥଳର ସୁରକ୍ଷା ଓ ସଂରକ୍ଷଣ ଉପରେ ସ୍ୱତନ୍ତ୍ର ପଦକ୍ଷେପ ନିଆଯିବ। ମଠର ପାରିପାର୍ଶ୍ୱିକ ବିକାଶ ସହିତ ମଠ ପରିସରରେ ଥିବା ‘ଶ୍ରୀ ଗୋବର୍ଦ୍ଧନ ଗୋଶାଳା’ର ସୁପରିଚାଳନା ପାଇଁ ଆବଶ୍ୟକୀୟ ସୁବିଧା ସୁଯୋଗ ଯୋଗେଇଦେବା ଉପରେ  ବୈଠକରେ ଆଲୋଚନା ହୋଇଥିଲା  ।  ଏହି ବୈଠକରେ ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଗୋବର୍ଦ୍ଧନ ପୀଠର ସାଧୁସନ୍ଥ ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହି ପୀଠର ଉନ୍ନତି ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ । 
    ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଉନ୍ନୟନ କମିଶନର ଡି. କେ. ସିଂହ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ, ଆଇନ ସଚିବ ଡକ୍ଟର ପବିତ୍ର ମୋହନ ସାମଲ, ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଏବଂ ପୁରୀ ଏସପି ପ୍ରତୀକ ସିଂହ ପ୍ରମୁଖ ଯୋଗଦେଇଥିଲେ। ଏହା ସହିତ ଗୋବର୍ଦ୍ଧନ ପୀଠର ବ୍ୟବସ୍ଥା ପ୍ରମୁଖ ପ୍ରଫୁଲ୍ଲ ଚୈତନ୍ୟ ମହାରାଜ, ଆଦିତ୍ୟ ବାହିନୀ ମୁଖ୍ୟ  ପୀଠ ପ୍ରତିନିଧି ମାତୃ ପ୍ରସାଦ ମିଶ୍ର ତଥା ଅନ୍ୟାନ୍ୟ ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ଥିଲେ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook