ମୁଖ୍ୟ ଖବର
ଭୁବନେଶ୍ୱର: ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡ ସମ୍ପର୍କିତ ଫାଇଲ ଲୋକସେବା ଭବନରୁ ହଜିଯିବା ଘଟଣା କୌଣସି ସାଧାରଣ ଅବହେଳା ନୁହେଁ, ବରଂ ଏହା ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ଏହି ଘଟଣାର ପର୍ଦ୍ଦାଫାଶ କରିବା ସହ ହତ୍ୟାକାଣ୍ଡ ପଛରେ ଥିବା ପ୍ରକୃତ ଦୋଷୀଙ୍କୁ କୌଣସି ପରିସ୍ଥିତିରେ ଛାଡ଼ି ଦିଆଯିବ ନାହିଁ ବୋଲି ସେ ଦୃଢ଼ ଆଶ୍ୱାସନା ଦେଇଛନ୍ତି ।
ଭୁବନେଶ୍ୱରର ରେଳ ଅଡିଟୋରିୟମରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଉପରେ ରଚିତ ‘ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ: କୃତି ଓ ବ୍ୟକ୍ତିତ୍ୱ’ ପୁସ୍ତକ ଉନ୍ମୋଚନ ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ୨୦୦୮ ମସିହାର ଜନ୍ମାଷ୍ଟମୀ ରାତିରେ ଘଟିଥିବା ସ୍ୱାମୀଜୀଙ୍କ ହତ୍ୟାକାଣ୍ଡ ପ୍ରସଙ୍ଗ ଉଠାଇଥିଲେ ।ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଜଷ୍ଟିସ୍ ନାଇଡୁ କମିଶନଙ୍କ ରିପୋର୍ଟ ଏବଂ ଏହା ସମ୍ପର୍କିତ ଫାଇଲ ଲୋକସେବା ଭବନରୁ ଗାଏବ ହୋଇଯିବା ଘଟଣା ଗୁରୁତର ଏବଂ ଏହା ପଛରେ ସୁଚିନ୍ତିତ ଷଡ଼ଯନ୍ତ୍ର ରହିଛି । ଏହି ଘଟଣାର ସତ୍ୟାସତ୍ୟ ଉନ୍ମୋଚନ ପାଇଁ ଫାଇଲ ହଜିବା ମାମଲାର ତଦନ୍ତ ଦାୟିତ୍ୱ କ୍ରାଇମବ୍ରାଞ୍ଚକୁ ଦିଆଯାଇଛି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, "ସତ୍ୟ ନିଶ୍ଚିତ ଭାବେ ସାମ୍ନାକୁ ଆସିବ । ଏହି ହତ୍ୟାକାଣ୍ଡ ପଛରେ ଥିବା ପ୍ରକୃତ ଦୋଷୀଙ୍କୁ ଆମ ସରକାର କୌଣସି ପରିସ୍ଥିତିରେ ଛାଡ଼ିବ ନାହିଁ ।"ଏହି ଅବସରରେ ସେ ତତ୍କାଳୀନ ସରକାରଙ୍କୁ ମଧ୍ୟ ସମାଲୋଚନା କରି କହିଥିଲେ ଯେ, ୨୦୦୮ର ହତ୍ୟାକାଣ୍ଡ ପରିଚାଳନାରେ ସରକାର ବିଫଳ ହୋଇଥିଲେ ଏବଂ ତୁଷ୍ଟୀକରଣ ରାଜନୀତି ଯୋଗୁଁ ନ୍ୟାୟ ପ୍ରକ୍ରିୟା ପ୍ରଭାବିତ ହୋଇଥିଲା ।
ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆରଏସଏସ୍ ସରକାର୍ଯ୍ୟବାହ ଦତ୍ତାତ୍ରେୟ ହୋସବୋଲେ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।
ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଅଭିଭାଷଣରେ କହିଛନ୍ତି, "ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଯେଉଁ ସ୍ଵପ୍ନ ଦେଖିଥିଲେ ତାକୁ ଆଗକୁ ନେବା ଆମର ଦାୟିତ୍ଵ । ସ୍ୱାମୀଜୀଙ୍କ ମୃତ୍ୟୁକୁ ନେଇ ଯେଉଁ ବିଷୟ ଅଛି ତାକୁ ଦେଖିବା ଲୋକେ ଦେଖିବେ ।"
ସ୍ଵାମୀଜୀଙ୍କ ବିଷୟରେ ଅନେକ୍ ଲୋକକଥା ରହିଛି l ନିଜର ଛାତ୍ର ସମୟରେ ସ୍ୱାମୀଜୀଙ୍କ ସଂସ୍ପର୍ଶରେ ଆସିଥିବା କଥାକୁ ମନେ ପକାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ l ସେ କହିଛନ୍ତି, "ସ୍ୱାମୀଜୀଙ୍କୁ ଆକ୍ରମଣ ଖବର ପାଇ ମୁଁ ପ୍ରଥମେ ଗୋଲାପାଣି ଯାଇଥିଲି l ମୁଁ ମୋର ବନ୍ଧୁମାନେ ସ୍ୱାମୀଜୀଙ୍କ ଉପରେ ଆକ୍ରମଣ ହେବାର ଖବର ପାଇ ଆମେ ଜଗିବାକୁ ଯାଇଥିଲୁ l ସ୍ଵାମୀଜୀ ଆଧ୍ୟାତ୍ମିକତା ଏବଂ ଭାରତର ଅନ୍ୟତମ ସ୍ଵାଧୀନତା ସଂଗ୍ରାମୀ ଥିଲେ l ଦେଶ ସ୍ଵାଧୀନ ପରେ ହିମାଳୟ ଯାଇଥିଲେ ସ୍ଵାମୀଜୀ l ସ୍ୱାମୀଜୀଙ୍କୁ ଫୁଲବାଣୀ ପଠାଯାଇଥିଲା । ସ୍ଵାମୀଜୀ ଫୁଲବାଣୀରେ ଚାଷ କଲେ l ଝିଅମାନଙ୍କୁ ପାଠ ପଢାଇଲେ, ସଂସ୍କାର ଦେଲେ । ଓଡିଶାର ସାଧୁ ସନ୍ଥମାନେ ଗାଁରେ ସନାତନ ଧର୍ମ ପ୍ରଚାର କରିଥିଲେ l ଜନ୍ମାଷ୍ଟମୀ ଦିନ ସ୍ୱାମୀଜୀଙ୍କୁ ହତ୍ୟା କରାଯାଇଥିଲା । କେବଳ ମୃତ୍ୟୁ ସମ୍ପର୍କିତ କଥା ମନେ ପକାଇଲେ ହେବ ନାହିଁ । ତାଙ୍କ ପ୍ରେରଣାକୁ ନେଇ ଆମକୁ ଆଗକୁ ବଢିବାକୁ ପଢ଼ିବ l ତେବେ ଯାଇ ସଠିକ ଶ୍ରଦ୍ଧାଞ୍ଜଳି ହେବ l ଓଡିଶାରେ ଶତ ବାର୍ଷିକ ପାଳନ ହେବ ।"
Comments ସମସ୍ତ ମତାମତ