ମୁଖ୍ୟ ଖବର
ଭୁବନେଶ୍ୱର: ଇଣ୍ଡିଆନ୍ ଆଇଡଲ୍ ବିଜେତା ସାଜି ଓଡ଼ିଶା ଓ ଓଲିଉଡ ପାଇଁ ଗୌରବ ଆଣିଛନ୍ତି ଜ୍ୟୋତିର୍ମୟୀ ନାୟକ । ଏହି ସମୟରେ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଜ୍ୟୋତିର୍ମୟୀଙ୍କ ଅସାଧାରଣ କୃତିତ୍ୱ ପାଇଁ ମୁଖ୍ୟମନ୍ତ୍ରୀ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି । ନୂଆ ପିଢିର କଣ୍ଠଶିଳ୍ପୀଙ୍କ ପାଇଁ ଜ୍ୟୋତିର୍ମୟୀ ପ୍ରେରଣା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚଳିତ ବର୍ଷର ଇଣ୍ଡିଆନ୍ ଆଇଡଲ୍- ସିଜିନ୍ ୧୬ର ବିଜେତା ଜ୍ୟୋତିର୍ମୟୀ ନାୟକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ସମ୍ବର୍ଦ୍ଧିତ କରିଛନ୍ତି । ଏଥିସହ ଜ୍ୟୋତିର୍ମୟୀଙ୍କ ଅସାଧାରଣ କୃତିତ୍ୱ ପାଇଁ ମୁଖ୍ୟମନ୍ତ୍ରୀ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି । ଜ୍ୟୋତିର୍ମୟୀ ମୁଖ୍ୟମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ଭେଟି ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ପ୍ରଦର୍ଶନ କରିଛନ୍ତି । ଏହା ସହ ଇଣ୍ଡିଆନ୍ ଆଇଡଲ୍’ର ସଫଳତା ପଛରେ ଥିବା ତାଙ୍କ କଠିନ ପରିଶ୍ରମ ବିଷୟରେ ବର୍ଣ୍ଣନା କରିଛନ୍ତି । ମୁଖ୍ୟମନ୍ତ୍ରୀ ଜ୍ୟୋତିର୍ମୟୀଙ୍କ ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ, ନିଜର ଅସାଧାରଣ ପ୍ରତିଭା ଓ କଠିନ ସାଧନା ବଳରେ ଜାତୀୟ ସ୍ତରରେ ବିଜେତା ହୋଇ ରାଜ୍ୟ ପାଇଁ ସେ ଗୌରବ ଆଣିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ନୂଆ ପିଢିର କଣ୍ଠଶିଳ୍ପୀଙ୍କ ପାଇଁ ଜ୍ୟୋତିର୍ମୟୀ ଏକ ପ୍ରେରଣା ବୋଲି କହିଛନ୍ତି ।ଜ୍ୟୋତିର୍ମୟୀ ତାଙ୍କର ସଙ୍ଗୀତ ପ୍ରତିଭାକୁ ଚିକିତ୍ସା କ୍ଷେତ୍ରରେ ମଧ୍ୟ ଉପଯୋଗ କରୁଛନ୍ତି । ରାଜ୍ୟର ଅନେକ କ୍ୟାନ୍ସର ହସ୍ପିଟାଲରେ ମ୍ୟୁଜିକ୍ ଥେରାପି ପ୍ରୟୋଗ କରି ସେମାନଙ୍କ କଷ୍ଟ ଲାଘବ କରିବାରେ ସହାୟତା କରିଛନ୍ତି ଜ୍ୟୋତିର୍ମୟୀଙ୍କର ଏହି ବିରଳ ପ୍ରତିଭା ଓ ସେବା ମନୋଭାବର ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, "ଜ୍ୟୋତିର୍ମୟୀ ସାରା ରାଜ୍ୟ ତଥା ଦେଶର ଏକ ‘ୟୁଥ୍ ଆଇକନ୍’ । ସଙ୍ଗୀତକୁ ରୋଗୀଙ୍କ ସେବା କ୍ଷେତ୍ରରେ ବ୍ୟବହାର କରିବାର ଏହି ଉଦ୍ୟମ ଆଗାମୀ ଦିନରେ ଏକ ନୂଆ ଟ୍ରେଣ୍ଡ୍ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଛନ୍ତି । ଜ୍ୟୋତିର୍ମୟୀଙ୍କ ଭଳି ଯୁବ ପ୍ରତିଭାଙ୍କ ନିଷ୍ଠା ଓ ଉଦ୍ୟମ ସମୃଦ୍ଧ ଓଡିଶା ଓ ବିକଶିତ ଭାରତ ଗଠନର ସ୍ୱପ୍ନକୁ ସାର୍ଥକ କରିବ ।ଜ୍ୟୋତିର୍ମୟୀଙ୍କ ଏହି ଯାତ୍ରାରେ ରାଜ୍ୟବାସୀ ବିପୁଳ ଉତ୍ସାହର ସହ ସମର୍ଥନ କରିଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ଜାତୀୟ ସ୍ତରର କୃତିତ୍ୱ ସମଗ୍ର ରାଜ୍ୟବାସୀଙ୍କ ପାଇଁ ଏକ ସ୍ମରଣୀୟ ଅଧ୍ୟାୟ । ଏହା ଓଡିଶାର କଳା ପ୍ରତିଭାକୁ ଜାତୀୟ ସ୍ତରରେ ଆହୁରି ଉଜ୍ଜ୍ୱଳ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଅବସରରେ ଜ୍ୟୋତିର୍ମୟୀଙ୍କ ପିତା ଚକ୍ରଧର ନାୟକ ଓ ମାତା ଗୌରୀ ନାୟକ ଉପସ୍ଥିତ ଥିଲେ ।
କହିରଖୁଛୁ କି, ଇଣ୍ଡିଆନ ଆଇଡଲ ସିଜନ 16 ବିଜୟ ମୁକୁଟ ପିନ୍ଧିଛନ୍ତି ଜ୍ୟୋତିର୍ମୟୀ ନାୟକ । ସେ ଅଂଶିକା ଚୋନକର, ମନରାଜ ଭୀର ସିଂ, ମାସ୍କାମେ ବୋସୁ, ସୁହେଲ ସୁଫି ଏବଂ ତନିସ୍କ ଶୁକ୍ଲାଙ୍କ ଭଳି ଦୃଢ ପ୍ରତିଯୋଗୀଙ୍କୁ ପଛରେ ପକାଇ ଫାଇନାଲରେ ଟ୍ରଫି ଜିତିଛନ୍ତି । ଏଥିସହ ସେ 20 ଲକ୍ଷ ପୁରସ୍କାର ମଧ୍ୟ ଜିତିଛନ୍ତି । ଜବଲପୁରର ତନିଷ୍କ ଶୁକ୍ଲା ପ୍ରଥମ ରନର୍ସ-ଅପ୍ ହୋଇଛନ୍ତି ।
Comments ସମସ୍ତ ମତାମତ