ମୁଖ୍ୟ ଖବର
ଇଣ୍ଡିଆନ୍ ଆଇଡଲ୍ ସିଜନ୍ 16 ଟ୍ରିଫି ହାତେଇଛନ୍ତି ଓଡ଼ିଆ ଝିଅ ଜ୍ୟୋତିର୍ମୟୀ ନାୟକ । ଓଡ଼ିଶାର ପ୍ରଥମ ପ୍ରତିଯୋଗୀ ଭାବେ ଇତିହାସ ରଚିଛନ୍ତି । ଏହି ସଫଳତା ସହ ସେ ଓଲିଉଡ ଓ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି । ଏନେଇ ତାଙ୍କୁ ସବୁଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ ।ଏକ୍ସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୋଷ୍ଟ କରି ଲେଖିଛନ୍ତି, ''ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬ର ବିଜେତା ହୋଇ ଆମ ମାଟିର ନାଁ ସାରା ଦେଶରେ ଉଜ୍ଜ୍ୱଳ କରିଥିବା ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକଙ୍କୁ ମୋର ଅଶେଷ ସ୍ନେହ, ଶୁଭେଚ୍ଛା ଓ ଅଭିନନ୍ଦନ । ତାଙ୍କର ଏହି ସଫଳତା ଓଡ଼ିଶାର ଅଗଣିତ ଯୁବ ପ୍ରତିଭା ଓ ଉଦୀୟମାନ କଳାକାରଙ୍କ ପାଇଁ ଏକ ବଡ଼ ପ୍ରେରଣା । ଜ୍ୟୋତିର୍ମୟୀଙ୍କ ଉଜ୍ଜ୍ୱଳ ଓ ସମୃଦ୍ଧ ଭବିଷ୍ୟତ କାମନା କରୁଛି ।''
ସେହିପରି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଏକ୍ସରେ ଶୁଭେଚ୍ଛା ଜଣାଇ ଲେଖିଛନ୍ତି, ''ଇତିହାସ ରଚିଲେ ଓଡ଼ିଆ ଝିଅ ଜ୍ୟୋତିର୍ମୟୀ ନାୟକ । ପ୍ରସିଦ୍ଧ ସଙ୍ଗୀତ ପ୍ରତିଯୋଗିତା ଇଣ୍ଡିଆନ୍ ଆଇଡଲ୍ ସିଜନ୍ ୧୬ର ବିଜେତା ହୋଇ ଓଡ଼ିଶା ପାଇଁ ଗୌରବ ଆଣିଥିବା ଜ୍ୟୋତିର୍ମୟୀ ନାୟକଙ୍କୁ ଅଶେଷ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରୁଛି ।''
ନବୀନ ପଟ୍ଟନାୟକ ଏକ୍ସରେ ଶୁଭେଚ୍ଛା ଜଣାଇ ଲେଖିଛନ୍ତି, ''ଓଡ଼ିଆ ଝିଅ ଜ୍ୟୋତିର୍ମୟୀ ନାୟକ ଇଣ୍ଡିଆନ୍ ଆଇଡଲ୍ ୧୬ର ବିଜେତା ହୋଇ ସଭିଙ୍କ ଗୌରବ ସାଜିଛନ୍ତି। ନିଜ ଦକ୍ଷତା ବଳରେ ସେ ହାସଲ କରିଥିବା ସଫଳତା ସମଗ୍ର ଓଡ଼ିଶା ପାଇଁ ଗର୍ବର ବିଷୟ। ତାଙ୍କର ଆହୁରି ସଫଳତା ଓ ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି ।'' ସେହିପରି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ମଧ୍ୟ ଜ୍ୟୋତିର୍ମୟୀଙ୍କ ସଫଳତା ନେଇ ଶୁଭକାମନା ଜଣାଇଛନ୍ତି ।
Comments ସମସ୍ତ ମତାମତ