Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ବିକାଶ ଓ ପରିବେଶ ପରସ୍ପରର ବିରୋଧୀ ନୁହଁନ୍ତି, ବରଂ ପରିପୂରକ: ମୁଖ୍ୟମନ୍ତ୍ରୀ

    Share on :
    ajab-Image
    Date: Jul 8, 2026    Views: 2647

    ଭୁବନେଶ୍ୱର: ବିଶ୍ୱବ୍ୟାପୀ ଜଳବାୟୁ ପରିବର୍ତ୍ତନ ଓ ବିକଟ ଗ୍ରୀଷ୍ମ ଲହରର ମୁକାବିଲା ପାଇଁ ବ୍ୟାପକ ବୃକ୍ଷରୋପଣ ହିଁ ଏକମାତ୍ର ଦୀର୍ଘକାଳୀନ ସମାଧାନ। ବିକାଶ ଓ ପରିବେଶ ପରସ୍ପରର ବିରୋଧୀ ନୁହଁନ୍ତି, ବରଂ ପରିପୂରକ। ଏହି ଦୂରଦର୍ଶୀ ଆଭିମୁଖ୍ୟ ସହ ବନ ସୁରକ୍ଷା ଓ ସବୁଜବଳୟ ସୃଷ୍ଟିରେ ଓଡ଼ିଶା ଆଜି ସାରା ଦେଶରେ ଏକ ଅଗ୍ରଣୀ ରାଜ୍ୟ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛି। ବିଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟରେ ୫୫୮ ବର୍ଗ କିଲୋମିଟର ବନ ଓ ବୃକ୍ଷ ଆବରଣ ବୃଦ୍ଧି ପାଇଛି, ଯାହା ଫଳରେ ସମଗ୍ର ଭାରତବର୍ଷରେ ଓଡ଼ିଶା ଆଜି ଗୌରବଜନକ ତୃତୀୟ ସ୍ଥାନ ଅଧିକାର କରିଛି ବୋଲି କପିଳେଶ୍ଵର ଠାରେ ଆୟୋଜିତ ରାଜ୍ୟସ୍ତରୀୟ ୭୭ ତମ ବନ ମହୋତ୍ସବ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପ୍ରକାଶ କରିଛନ୍ତି।

    ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟର ପ୍ରବାହିତ ନଦୀଗୁଡ଼ିକୁ ଚିରସ୍ରୋତା କରିବା ପାଇଁ ‘ସବୁଜ ମହାନଦୀ ମିଶନ’ ଅଧୀନରେ ମହାନଦୀ, ତେଲ୍, ଇବ୍, ବ୍ରାହ୍ମଣୀ, ଋଷିକୁଲ୍ୟା, ବୈତରଣୀ ଓ ବଂଶଧରା ନଦୀ ପାର୍ଶ୍ୱରେ ୧.୫ କିଲୋମିଟର ପ୍ରଶସ୍ତ ସବୁଜ ବଳୟ ସୃଷ୍ଟି କରାଯାଉଛି। ୨୦୨୫-୨୬ ଆର୍ଥିକ ବର୍ଷରେ ୭୭୪ ହେକ୍ଟର ଅଞ୍ଚଳରେ ୫.୬୫ ଲକ୍ଷ ଚାରା ରୋପଣ କରାଯାଇଥିବା ବେଳେ ୨୦୨୬-୨୭ ବର୍ଷରେ ୨,୭୦୨ ହେକ୍ଟର ଅଞ୍ଚଳରେ ପ୍ରାୟ ୯ ଲକ୍ଷ ଚାରା ରୋପଣର ଲକ୍ଷ୍ୟ ରଖାଯାଇଛି। ସେହିପରି ‘ବର୍ଦ୍ଧିତ ସବୁଜ ବଳୟ ଯୋଜନା’ ମାଧ୍ୟମରେ ଚଳିତ ବର୍ଷ ୩,୫୮ ହେକ୍ଟର ଜମିରେ ୧୫ ଲକ୍ଷ ୯୩ ହଜାର ବୃକ୍ଷଚାରା ରୋପଣ କରାଯିବ। ସହରାଞ୍ଚଳରେ ପ୍ରଦୂଷଣ କମାଇବା ପାଇଁ ଚଳିତ ବର୍ଷ ପ୍ରାୟ ୬ ଲକ୍ଷ ୯୫ ହଜାର ଚାରା ରୋପଣର ଲକ୍ଷ୍ୟ ରହିଛି। ‘ଆମ ଜଙ୍ଗଲ ଯୋଜନା’ ଅଧୀନରେ ୧୯,୯୭୫ ହେକ୍ଟର ଉଜୁଡ଼ା ଜଙ୍ଗଲର ପୁନରୁଦ୍ଧାର କରାଯାଇ ୪୩.୧୮ ଲକ୍ଷ ସ୍ଥାନୀୟ ହିତାଧିକାରୀଙ୍କୁ ୧,୪୮୮.୫୨ କୋଟି ଟଙ୍କାର ଜୀବିକା ଭିତ୍ତିକ କାର୍ଯ୍ୟକ୍ରମରେ ସାମିଲ କରାଯାଇଛି।

    ରାଜ୍ୟର ଅନ୍ୟାନ୍ୟ ପ୍ରମୁଖ ପଦକ୍ଷେପ ବାବଦରେ ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କାମ୍ପା (CAMPA) ଯୋଜନାରେ ଆସନ୍ତା ବର୍ଷ ପାଇଁ ୨୦,୫୬୨ ହେକ୍ଟରରୁ ଅଧିକ ଜଙ୍ଗଲ ଜମିରେ ବୃକ୍ଷରୋପଣର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଜାପାନ ଆନ୍ତର୍ଜାତୀୟ ସଂସ୍ଥାର ସହାୟତାରେ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨ (OFSDP-II) ମାଧ୍ୟମରେ ୧,୨୧୦ଟି ବନସୁରକ୍ଷା ସମିତିକୁ ସାମିଲ କରାଯାଉଛି। ଉପକୂଳ ଅଞ୍ଚଳର ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ‘ମିଷ୍ଟି’ (MISHTI) ଯୋଜନାରେ ୮୯ ହେକ୍ଟର ଅଞ୍ଚଳରେ ହେନ୍ତାଳ ବନ ସୃଷ୍ଟି ଏବଂ ‘ECRICC’ ଯୋଜନାରେ ୨,୪୦୫ ହେକ୍ଟର ଲୁଣା ଜଙ୍ଗଲର ପୁନରୁଦ୍ଧାର କରାଯାଉଛି। ଏହା ସହିତ ବଜ୍ରପାତରୁ ରକ୍ଷା ପାଇବା ପାଇଁ ଗତ ଆର୍ଥିକ ବର୍ଷରେ ୧୭.୯୦ ଲକ୍ଷ ତାଳ ଚାରା ରୋପଣ କରାଯାଇଛି। ଚଳିତ ଜୁଲାଇ ୧ ତାରିଖରୁ କେନ୍ଦ୍ର ଓ ରାଜ୍ୟର ମିଳିତ ସହଯୋଗରେ ଏକ ନୂତନ ଯୋଜନା ‘ବିକଶିତ ଭାରତ - ରୋଜଗାର ଗ୍ୟାରେଣ୍ଟି ଏବଂ ଆଜୀବିକା ମିଶନ (ଗ୍ରାମୀଣ)’ କାର୍ଯ୍ୟକାରୀ ହୋଇଛି, ଯାହା ବୃକ୍ଷରୋପଣ ସହ ଲୋକଙ୍କୁ ରୋଜଗାରକ୍ଷମ କରିବ।

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଏକ ପେଡ୍ ମା କେ ନାମ’ ଅଭିଯାନକୁ ଓଡ଼ିଶାବାସୀ ଏକ ଜନ ଆନ୍ଦୋଳନରେ ପରିଣତ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି। ଗତ ବର୍ଷ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିବସରେ ଓଡ଼ିଶାରେ ଗୋଟିଏ ଦିନରେ ୧ କୋଟି ୪୯ ଲକ୍ଷ ଚାରା ରୋପଣ କରାଯାଇଥିଲା ଏବଂ ‘ମେରୀ ଲାଇଫ୍’ ପୋର୍ଟାଲରେ ୮ କୋଟି ୧୨ ଲକ୍ଷ ବୃକ୍ଷରୋପଣର ତଥ୍ୟ ଅପଲୋଡ୍ କରାଯାଇଛି। ଚଳିତ ବର୍ଷ ଭାରତ ସରକାରଙ୍କ ପକ୍ଷରୁ ରାଜ୍ୟ ପାଇଁ ୩ କୋଟି ୭୬ ଲକ୍ଷ ବୃକ୍ଷଚାରା ରୋପଣର ଲକ୍ଷ୍ୟ ରହିଛି। ବିକାଶ ଏବଂ ପରିବେଶ ପରସ୍ପରର ବିରୋଧୀ ନୁହଁନ୍ତି, ବରଂ ପରିପୂରକ ବୋଲି ଦର୍ଶାଇ ମୁଖ୍ୟମନ୍ତ୍ରୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ପରିବେଶବିତମାନଙ୍କୁ ସରକାରୀ ନିୟମାବଳୀର କଡ଼ାକଡ଼ି ପାଳନ ପାଇଁ ଦାବି କରିବାକୁ ଆହ୍ୱାନ ଦେଇଛନ୍ତି। ଶେଷରେ ସେ ସମସ୍ତ ରାଜ୍ୟବାସୀଙ୍କୁ ବହୁଳ ଭାବେ ଗଛ ଲଗାଇ ଏକ ସୁସ୍ଥ ଓ ସବୁଜ ସୁନ୍ଦର ଓଡ଼ିଶା ଗଠନ କରିବାକୁ ନିବେଦନ କରିଛନ୍ତି।

    ସମାରୋହରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରାଜ୍ୟ  ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ଶ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ବନୀକରଣ କ୍ଷେତ୍ରରେ ଜନଭାଗୀଦାରି ଉପରେ ବିଶେଷ ଗୁରୁତ୍ୱ ଆରୋପ କରିଛନ୍ତି। ସେ କହିଛନ୍ତି ଯେ, କେବଳ ସରକାରୀ ସ୍ତରରେ ଯୋଜନା ପ୍ରଣୟନ କଲେ ଜଙ୍ଗଲର ସୁରକ୍ଷା ସମ୍ଭବ ନୁହେଁ, ଏଥିପାଇଁ ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ ସମସ୍ତ ନାଗରିକ ଓ ସାମାଜିକ ସଂଗଠନକୁ ଆଗେଇ ଆସିବାକୁ ହେବ। 

    ଏହି ଅବସରରେ ଜଙ୍ଗଲ ସୁରକ୍ଷା ଓ ବନୀକରଣ କାର୍ଯ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ  ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନୁଗୁଳର ‘ଜେରେଙ୍ଗ ବୁଧିପାହାଡ଼ ବନ ସୁରକ୍ଷା ସମିତି’ ଏବଂ ମୟୂରଭଞ୍ଜର ‘ଗୁଡ଼ଗୁଡ଼ିଆ ପରିବେଶ ବିକାଶ ସମିତି (ଇଡିସି)’ କୁ ରାଜ୍ୟ ସ୍ତରୀୟ ମୁଖ୍ୟମନ୍ତ୍ରୀ ପୁରସ୍କାର ସ୍ୱରୂପ ୨ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି।

    ଏହି ସମାରୋହରେ, ଏକାମ୍ର-ଭୁବନେଶ୍ୱର ବିଧାୟକ ଶ୍ରୀ ବାବୁ ସିଂ,  ପ୍ରମୁଖ ଶାସନ ସଚିବ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା ଏବଂ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଡକ୍ଟର କେ. ମୁରୁଗେଶନଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ, ସାମାଜିକ ସଂଗଠନର ପ୍ରତିନିଧି ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook