ମୁଖ୍ୟ ଖବର
ଭୁବନେଶ୍ବର: ଯାହା ପ୍ରଦର୍ଶନ ଭଲ, ସିଏ ରହିବେ । ଯିଏ ଦୁର୍ବଳ, ହଟିବା ଥୟ । ଆନୁଗତ୍ୟ ହେଉଛି ଦ୍ୱିତୀୟ ପ୍ରମୁଖ ମାନଦଣ୍ଡ । ସରକାରଙ୍କ ଭାବମୂର୍ତ୍ତିକୁ ଆଞ୍ଚ୍ ପହଞ୍ଚାଉଥିବା ନେତାଙ୍କ ସ୍ଥାନ ନାହିଁ ମୋହନ ମନ୍ତ୍ରିମଣ୍ଡଳରେ । ଏମିତି କଠୋର ନୀତି ଧରି ମନ୍ତ୍ରୀମାନଙ୍କର ଦକ୍ଷତା ମୂଲ୍ୟାୟନ କରୁଛନ୍ତି ମୋହନ ସରକାର । ଏଭଳି ଚର୍ଚ୍ଚା ଜୋର୍ ଧରିଲାଣି ପାୱାର୍ କରିଡର୍ରେ । କୁହାଯାଉଛି, ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତ୍ତି ପରେ ଜୁନ୍ ତୃତୀୟ ସପ୍ତାହ ବେଳକୁ ହୋଇପାରେ ମୋହନ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଓ ଅଦଳବଦଳ । ଏ ନେଇ ଆସନ୍ତା ଜୁନ୍ ୨ରୁ ମନ୍ତ୍ରୀମାନଙ୍କର ଦକ୍ଷତାର ସିଧା ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଭାଗୱାରୀ ସମୀକ୍ଷା କରାଯିବ ।
ଅତି ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ମୁତାବକ, ନିଜ ଇଚ୍ଛା ମୁତାବକ ମନ୍ତ୍ରୀ ବାଛିବା ଓ ହଟାଇବା ଲାଗି ମୋହନଙ୍କୁ ଉପର ମହଲରୁ ପୂର୍ଣ୍ଣ ସ୍ୱାଧୀନତା ମିଳି ଯାଇଛି । ଅତି କମ୍ରେ ୬ ଜଣଙ୍କ ଦକ୍ଷତା ଓ ଏବଂ ଆନୁଗତ୍ୟ ଉପରେ ମୋହନ ଖୁସି ନାହାନ୍ତି । ଏଣୁ ଏମାନଙ୍କ ମୁଣ୍ଡ ଉପରେ ଖଣ୍ଡା ଝୁଲୁଛି । ଆଉ ୬ଟି ମନ୍ତ୍ରିପଦ ଫାଙ୍କା ପଡ଼ିଛି । ଏହାର ଅର୍ଥ ହେଉଛି ୧୨ଟି ମନ୍ତ୍ରି ପଦ । କାହା ମୁଣ୍ଡରେ ଢଳିବ ମୋହନ କଳସ? ଆଶାୟୀ ଲବି ତେଜିଛନ୍ତି । ଯେଉଁ ଜିଲ୍ଲାରୁ କେହି ମନ୍ତ୍ରୀ ନାହାନ୍ତି, ସେଥିରୁ କେତେକଙ୍କ ମନରେ ମନ୍ତ୍ରୀ ପଦ ଲଡ଼ୁ ଆଶା ବଢ଼ିଛି । ଅନେକ ବଡ଼ ନେତାଙ୍କ ଚକ୍କର କାଟିବାରେ ଲାଗିଛନ୍ତି । କିଏ ମୁଖ୍ୟମନ୍ତ୍ରୀଙ୍କ ଆଖପାଖ ଭାବେ ଜଣାଶୁଣା ନେତାଙ୍କୁ ଖୁସ୍ କରାଇ ନିଜ ଯୋଗ୍ୟତା ପ୍ରତିପାଦିତ କରିବାକୁ ଉଦ୍ୟମ କରୁଛି ତ ଆଉ କିଏ ରାଜ୍ୟ ସଭାପତିଙ୍କ ମନ ଜିଣିବାକୁ ପ୍ରାଣପଣେ ଚେଷ୍ଟା ଚଳାଇଛନ୍ତି । ଆଉ କିଏ ସଂଘ ଶରଣ ପଶୁଛନ୍ତି । କିଛି କିଛି ନେତା ସୋସିଆଲ ମିଡିଆରେ ନିଜ ସମର୍ଥକଙ୍କ ମାଧ୍ୟମରେ ଚର୍ଚ୍ଚା ଖେଳାଇବାରେ ଲାଗି ପଡ଼ିଛନ୍ତି । କିନ୍ତୁ, ମୋହନ ସରକାର ପୂରା ମାପିଚୁପି ପରଖୁଛନ୍ତି ଯୋଗ୍ୟତା ।
ଯୋଗ୍ୟତା, ଦକ୍ଷତା ମୂଲ୍ୟାୟନ ପାଇଁ ୧୬ ପୃଷ୍ଠାର ଫର୍ମାଟରେ ନିଜ ବିଭାଗର ୨ବର୍ଷର ସଫଳତା, ଉପଲବ୍ଧି ଉପସ୍ଥାପନ କରିବାକୁ ମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛ । ପ୍ରଥମ ଦନି ରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ବିଭାଗର କାର୍ୟ୍ୟକାରିତା ଓ ଦକ୍ଷତାର ସମୀକ୍ଷା କରାଯିବ । ଜୁନ୍ ୯ ତାରିଖ ମଧ୍ୟରେ ସମସ୍ତ ମନ୍ତ୍ରୀମାନଙ୍କ ରିପୋର୍ଟ କାର୍ଡ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
Comments ସମସ୍ତ ମତାମତ