ମୁଖ୍ୟ ଖବର
ଭୁବନେଶ୍ବର: ଦୂର ହେବ ଭିଡ଼ ସମସ୍ୟା । ରାଜଧାନୀ ଭୁବନେଶ୍ବର ଜୟଦେବ ବିହାରରୁ ନନ୍ଦନକାନନ ଯାଏଁ ନିର୍ମାଣ ହେବ ସ୍ବତନ୍ତ୍ର ଏଲିଭେଟେଡ କରିଡର । ୯୫୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ଏହି ରାସ୍ତା କାମ । ଜୁନ୍ ପ୍ରଥମ ସପ୍ତାହରେ ଏହାର ଭିତ୍ତିପ୍ରସ୍ତର କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହାର ଟେଣ୍ଡର ପ୍ରକ୍ରିୟା ସରିଥିବା ନେଇ ସୂଚନା ଦେଇଛନ୍ତି ପୂର୍ତ୍ତମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ।
ମନ୍ତ୍ରୀ କହିଛନ୍ତି କି, ୮ ଲେନ୍ ବିଶିଷ୍ଟ ରାସ୍ତାରେ କୌଣସି ରେଡ୍ ଲାଇଟ୍ (ଟ୍ରାଫିକ୍ ) ରହିବ ନାହିଁ । ଏହାସହ କଲୋନୀ ଅଞ୍ଚଳକୁ ଯିବାକୁ ସର୍ଭିସ ରୋଡ ରହିବ । ଟ୍ରାଫିକ୍ ସମସ୍ୟା ଦୂର ହେବା ସହ ସହଜ ଏବଂ ସୁଗମ ଯାତାୟତ ପାଇଁ ସରକାର ଏହି କାମ କରିବାକୁ ଯାଉଛନ୍ତି । ଜୟଦେବ ବିହାର, କଳିଙ୍ଗ ହସ୍ପିଟାଲ ଛକ, ଡମଣା ଛକ ଓ କିଟ ଛକରେ ନିର୍ମାଣ ହେବ ଫ୍ଲାଏ ଓଭର । ଜୟଦେବ ବିହାର ଛକରେ ୪ ଏଲିଭେଟେଡ ଲେନ ବିଶିଷ୍ଟ କେବୁଲ ଷ୍ଟେ ବ୍ରିଜ କରିବାକୁ ଯୋଜନା ରହିଛି ।
ରାସ୍ତାର ଦୁଇ ପାର୍ଶ୍ୱରେ ପ୍ରାୟ ୧୭.୫ କିଲୋମିଟର ଲମ୍ବର ୫.୫ ମିଟର ଓସାର ବିଶିଷ୍ଟ ସର୍ଭିସ ରୋଡ ଏବଂ ୯ କିଲୋମିଟର ଲମ୍ବର ୭.୫ ମିଟର ଓସାର ବିଶିଷ୍ଟ ସ୍ଲିପ ରୋଡ ନିର୍ମାଣ କରାଯିବ । ସହରର ବିଭିନ୍ନ ପ୍ରମୁଖ ଛକ ଜୟଦେବ ବିହାର, ଜାଭିୟର ଛକ, କଳିଙ୍ଗ ହସ୍ପିଟାଲ ଛକ, କେୟାର ହସ୍ପିଟାଲ୍ ଛକ, ଡମଣା ଛକ, ଇନଫୋସିଟି ଛକ, ଶିଶୁ ବିହାର ଜଙ୍କସନ, କିଟ ଛକ ଏବଂ କଳାରାହାଙ୍ଗ ଜଙ୍କସନରେ 'ଏଟ ଗ୍ରେଡ' ରାଉଣ୍ଡଅବାଉଟ ବା ଗୋଲେଇ ଆକୃତିରେ ନିର୍ମାଣ କରାଯିବ ।
Comments ସମସ୍ତ ମତାମତ