ମୁଖ୍ୟ ଖବର
ଭୁବନେଶ୍ୱର : ସମ୍ବଲପୁରର ରେଙ୍ଗାଲି ଠାରେ JSW ଓ ଜାପାନର JFE Steel ମଧ୍ୟରେ ଏକ ଜଏଣ୍ଟ ଭେନ୍ଚର୍ ଗତ ୨୪ ତାରିଖରେ ଘୋଷଣା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଭାରତରେ ଅବସ୍ଥାପିତ ଜାପାନର ରାଷ୍ଟ୍ରଦୂତ ମିଷ୍ଟର ଓନୋ କେଇଚି (Mr ONO Keiichi) ଯୋଗ ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ଜାପାନର ରାଷ୍ଟ୍ରଦୂତଙ୍କୁ ପାରମ୍ପରିକ ଓଡ଼ିଆ ଖାଦ୍ୟ ପରଷା ଯାଇଥିଲା । ପାରମ୍ପରିକ ଓଡ଼ିଆ ଖାଦ୍ୟର ସ୍ବାଦରେ ରାଷ୍ଟ୍ରଦୂତ ଖୁବ୍ ଆନନ୍ଦିତ ହୋଇଥିଲେ । ବିଶେଷକରି, ‘ଡାଲମା’ର ସ୍ବାଦ ତାଙ୍କୁ ଖୁବ୍ ଭଲ ଲାଗିଥିଲା । କାର୍ଯ୍ୟକ୍ରମ ପରେ ସେ ତାଙ୍କର ସୋସିଆଲ ମିଡିଆ ହ୍ୟାଣ୍ଡେଲ ‘X’ ରେ ଲେଖିଛନ୍ତି ଯେ, ‘‘ଓଡ଼ିଶାରେ ଡାଲମାର ସ୍ୱାଦକୁ ଖୁବ୍ ଉପଭୋଗ କଲି । ଏହା ଅତ୍ୟନ୍ତ ସ୍ୱାଦିଷ୍ଟ ଏବଂ ଓଡ଼ିଶାର ଉନ୍ନତ ରନ୍ଧନ କଳାର ଏକ ସୁନ୍ଦର ପ୍ରତିଫଳନ ।’’
ରାଷ୍ଟ୍ରଦୂତ ମିଷ୍ଟର ଓନୋଙ୍କର ଏହି ମନ୍ତବ୍ୟ ଯୋଗୁଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅତ୍ୟନ୍ତ ଆନନ୍ଦ ପ୍ରକାଶ କରିଛନ୍ତି । ରାଷ୍ଟ୍ରଦୂତ ଓନୋ’ଙ୍କୁ ଧନ୍ୟବାଦ ଜଣାଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ତାଙ୍କ ‘X’ ହ୍ୟାଣ୍ଡେଲ’ରେ ଲେଖିଛନ୍ତି ଯେ, ଓଡ଼ିଶାର ପାରମ୍ପରିକ ସ୍ୱାଦକୁ ଏତେ ଭଲ ପାଇଥିବାରୁ ଅନେକ ଧନ୍ୟବାଦ ଆମ୍ୱାସାଡର ‘ଓନୋ ସାନ୍’ (ମିଷ୍ଟର ଓନୋ) ।ମୁଖ୍ୟମନ୍ତ୍ରୀ ଆହୁରି ଲେଖିଛନ୍ତି ଯେ, ଡାଲମା କେବଳ ଆମ ଖାଦ୍ୟ ପରମ୍ପରାର ଅଂଶ ନୁହେଁ, ଏହା ହେଉଛି ଆମ ସଂସ୍କୃତି ଓ ଆତିଥେୟତାର ପ୍ରତୀକ । ଓଡ଼ିଶା ଓ ଜାପାନ ମଧ୍ୟରେ ଥିବା ସାଂସ୍କୃତିକ ସମନ୍ୱୟ ଆଗାମୀ ଦିନରେ ଆମର ବନ୍ଧୁତାକୁ ଆହୁରି ସୁଦୃଢ଼ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।
Comments ସମସ୍ତ ମତାମତ