Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଅସାଧୁ ବ୍ୟବସାୟୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

    Share on :
    ajab-Image
    Date: Mar 27, 2026    Views: 3062

    ଭୁବନେଶ୍ୱର : ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଏକ ଉଚ୍ଚସ୍ତରୀୟ ବୈଠକରେ ପଶ୍ଚିମ ଏସିଆରେ ଯୁଦ୍ଧ ପାଇଁ ଦେଶ ତଥା ରାଜ୍ୟରେ ସୃଷ୍ଟି ହୋଇଥିବା ବିଭିନ୍ନ ଦ୍ରବ୍ୟର କୃତ୍ରିମ ଅଭାବଜନିତ ସମସ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରିଛନ୍ତି । ସମୀକ୍ଷାରୁ ଜଣାଯାଇଛି ଯେ, ରାଜ୍ୟରେ ଆବଶ୍ୟକତା ଅନୁଯାୟୀ ପେଟ୍ରୋଲିୟମ, ଗ୍ୟାସ ଓ ଅନ୍ୟାନ୍ୟ ସାମଗ୍ରୀ ମହଜୁଦ ଅଛି । ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଯେପରି ଅତ୍ୟାବଶ୍ୟକ ଦ୍ରବ୍ୟ ଗୁଡ଼ିକର କଳାବଜାରୀ ନ ହୁଏ, ସେଥିପ୍ରତି ସଜାଗ ରହିବା ସହିତ ରାଜ୍ୟବ୍ୟାପୀ ଚଢ଼ଉ କରି ଅସାଧୁ ବ୍ୟବସାୟୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ରବି ଋତୁ ଚାଷ ପାଇଁ ଯଥେଷ୍ଟ ସାର ମହଜୁଦ ରଖିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଏ ସମସ୍ୟା ବିଷୟରେ ରାଜ୍ୟବାସୀ ଯେପରି ଆଶଙ୍କିତ ନ ହୁଅନ୍ତି, ସେଥିପ୍ରତି ସରକାରୀସ୍ତରରେ ବ୍ୟାପକ ଜନ ସଚେତନତା ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

    ସୂଚନାଯୋଗ୍ୟ ଯେ, ପେଟ୍ରୋଲ ଓ ପେଟ୍ରୋଲିୟମ ସାମଗ୍ରୀ ତଥା ଏଲ୍.ଏନ୍.ଜି ପାଇଁ ଭାରତ ବିଭିନ୍ନ ଗଲ୍ଫ ଦେଶମାନଙ୍କ ଉପରେ ନିର୍ଭର କରିଥାଏ । ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ପାଇଁ ଉଭୟ ପେଟ୍ରୋଲ ଓ ଏଲ୍.ପି.ଜି ଉପରେ ଏହାର ପ୍ରଭାବ ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି । ରାଜ୍ୟରେ ଏ ସବୁ ସାମଗ୍ରୀର ଉପଲବ୍ଧତା ଓ ବଣ୍ଟନ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଆଜି ମୁଖ୍ୟମନ୍ତ୍ରୀ ଏହି ବୈଠକ ଡାକିଥିଲେ । ମୁଖ୍ୟ ଶାସନ ସଚିବ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସମସ୍ୟାର ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସବିସ୍ତୃତ ବିବରଣୀ ରଖିଥିଲେ । ବୈଠକରେ ପେଟ୍ରୋଲ, ରନ୍ଧନ ଗ୍ୟାସ ଓ ସାର ଯୋଗାଣ ଯେପରି ଅବ୍ୟାହତ ରହିବ, ସେ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା ।

    ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଉନ୍ନୟନ କମିଶନର ଡି.କେ. ସିଂହ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶାଶ୍ୱତ ମିଶ୍ର, ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ, ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଲ କୁମାର ଦେବ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ, କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର ତଥା ଶାସନ ସଚିବ ସଚିନ ରାମଚନ୍ଦ୍ର ଯାଦବ ପ୍ରମୁଖ ଉପସ୍ଥିତ ଥିଲେ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook