ମୁଖ୍ୟ ଖବର
ଭୁବନେଶ୍ବର: ବିଜେପି ସରକାରରେ ଲୋକେ ସରକାରଙ୍କ ପାଖକୁ ନୁହେଁ, ସରକାର ଲୋକଙ୍କ ପାଖକୁ ଯାଇଛନ୍ତି । ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣି ସମାଧାନ ପାଇଁ ପଦକ୍ଷେପ ନେଉଛନ୍ତି । ସରକାରୀ ନିଯୁକ୍ତି ବଢିବା ସହ ଦୁର୍ନୀତି ହ୍ରାସ ପାଉଛି । ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପାଇଁ ୨୦୨୬-୨୭ ଆର୍ଥିକ ବର୍ଷରେ ୭୭୩ କୋଟି ୯୯ ଲକ୍ଷ ୪୧ ହଜାରର ବ୍ୟୟ ବରାଦ ଆଗତ କରିବା ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ମୁଖ୍ୟମନ୍ତ୍ରୀ କହିଛନ୍ତି," ଅଭିଯୋଗ ଶୁଣାଣି ଓ ସମାଧାନ ପାଇଁ ୨୦୨୪ ଜୁଲାଇ ପହିଲାରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହି ଶୁଣାଣି କରୁଛନ୍ତି । ଉପମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ ଓ ସଚିବ ଓ ବରିଷ୍ଠ ଅଧିକାରୀ ଅଭିଯୋଗ ଶୁଣାଣିରେ ସାମିଲ ହେଉଛନ୍ତି । ଗତ ଏପ୍ରିଲ ମାସରେ ମୁଖ୍ୟାଳୟ ବାହାରେ ମୁଖ୍ୟମନ୍ତ୍ରୀଙ୍କର ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସମ୍ବଲପୁରରେ ଆୟୋଜନ ହୋଇଛି । ଯାହା ଓଡିଶା ଶାସନ ଇତିହାସରେ ବିରଳ । ରାଜ୍ୟ ମୁଖ୍ୟାଳୟ ବାହାରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ନିୟମିତ ଭାବରେ ଆୟୋଜନ କରାଯିବ । ଯାହା ଦ୍ୱାରା ଲୋକେ ରାଜଧାନୀକୁ ନଆସି ନିଜ ଅଞ୍ଚଳରେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀଙ୍କ ସହ ସିଧାସଳଖ କଥା ହେଇପାରିବେ । ଅଭିଯୋଗ ତଥା ସମସ୍ୟା ଜଣାଇପାରିବେ । କଳାହାଣ୍ଡି, ବାଲେଶ୍ୱର, ଅନୁଗୁଳ ଜିଲ୍ଲାରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବ ।"
"ବିଜେପି ସରକାର କ୍ଷମତାକୁ ଆସିଲା ପରେ ଅଦ୍ୟାବଧି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ପ୍ରାୟ ୧୫ ହଜାର ଅଭିଯୋଗର ଶୁଣାଣି କରାଯାଇଛି । ପ୍ରାପ୍ତ ଅଭିଯୋଗ ଗୁଡିକରୁ ପ୍ରାୟତଃ ୯୩ ପ୍ରତିଶତ ଅଭିଯୋଗର ତ୍ଵରିତ ସମାଧାନ ହୋଇଛି । ଜନଶୁଣାଣି ପୋର୍ଟାଲ ହ୍ୱାଟ୍ସଆପ ଓ ଡାକ ମାଧ୍ୟମରେ ସମସ୍ତ କାର୍ଯ୍ୟ ଦିବସରେ ପ୍ରତ୍ୟକ୍ଷ ଭାବରେ ଅଭିଯୋଗ ଗ୍ରହଣ କରାଯାଇ ତ୍ଵରିତ ସମାଧାନ କରାଯାଉଛି । ପ୍ରତି ସପ୍ତାହରେ ଜିଲ୍ଳାସ୍ତରରେ ଯୁଗ୍ମ ଶୁଣାଣି ଆୟୋଜନ କରାଯାଉଛି । ଆର୍ଥିକ ଅନଗ୍ରସର ଲୋକଙ୍କର ଜଟିଳ ରୋଗର ଚିକିତ୍ସା ଏବଂ ଦୁର୍ଘଟଣାରେ ପୀଡିତ ଲୋକମାନଙ୍କ ସହାୟତା ପାଇଁ ସରକାର ବିଶେଷ ଧ୍ୟାନ ଦେଉଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
"ଚଳିତ ଆର୍ଥିକ ବର୍ଷ ୨,୦୨୫-୨୬ରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୯୧୫ଟି ମାମଲାରେ ଗରିବ ଲୋକଙ୍କର ଚିକିତ୍ସା ଓ ସଡକ ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ପରିବାରଙ୍କୁ ଅନୁକମ୍ପାମୂଳକ ସହାୟତା ବାବଦରେ ୨୬ କୋଟି ୩୨ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଏକ ସ୍ଵତନ୍ତ୍ର ସହାୟତା କେନ୍ଦ୍ର ଖୋଲା ଯାଇଛି । ପୂର୍ବ ସରକାରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ମୃତ ପ୍ରାୟ ଥିଲା । ସେଠାକୁ କୋଣସି ଅଫିସର ଆସୁ ନଥିଲେ । ବିଜେପି ସରକାର କ୍ଷମତାକୁ ଆସିବା ପରେ ୨୬ ଟି ବିଭାଗରେ ନୂତନ ଭାବେ ନିଯୁକ୍ତି ପାଇଁ ଚୟନ ହୋଇଥିବା ୩୯ ହଜାର ୫୦୫ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି ।"
"ଏହି ଆର୍ଥିକ ବର୍ଷ ୨୦୨୫-୨୬ରେ ୨୧ ଟି ବିଭାଗରେ ୧୩ ହଜାର ୩୭୧ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯାଇଛି । ଅବଶିଷ୍ଟ ୯୨ ହଜାର ୫୭୩ ଗୋଟି ମୂଳ ପଦବୀ ମଧ୍ୟରୁ ୩୭ ହଜାର ୬୪୧ ଟି ପଦବୀରେ ନିଯୁକ୍ତି ପ୍ରକ୍ରିୟା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆର୍ଥିକ ବର୍ଷ ୨୦୨୬-୨୭ରେ ଓଡ଼ିଶା ଲୋକସେବା ଆୟୋଗ ବିଭିନ୍ନ ବିଭାଗର ୬ ହଜାର ୮୭୪ ଟି, ଓଡିଶା କର୍ମଚାରୀ ପ୍ରବରଣ ଆୟୋଗ ୩ ହଜାର ୬୪୭ ଟି ଏବଂ ଓଡିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ ୭ ହଜାର ୬୬୩ଟି ପଦବୀ ପୂରଣ କରିବା ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରାଯାଇଛି।" ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
"ନିଯୁକ୍ତି ପ୍ରକ୍ରିୟାକୁ ସୁ-ବ୍ୟବସ୍ଥିତ କରିବା ପାଇଁ ଓଡ଼ିଶା ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ ନିୟମାବଳୀ, ୨୦୨୫ ର ପ୍ରଣୟନ କରାଯାଇଛି । ଆୟୋଗ ଗୃହ, ଅବକାରୀ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଏବଂ ବାଣିଜ୍ୟ ଓ ପରିବହନ ବିଭାଗ ଅଧୀନରେ ପୁଲିସ ଏବଂ ଅନ୍ୟାନ୍ୟ ୟୁନିଫର୍ମ ସେବା ପାଇଁ ନିଯୁକ୍ତି ପ୍ରକ୍ରିୟା ପରିଚାଳନା କରିବ । ଓଡ଼ିଶା ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗର ଅଧ୍ୟକ୍ଷଙ୍କୁ ନିଯୁକ୍ତି ଦିଆଯାଇଛି । ସର୍ବୋଚ୍ଚ ବୟସ ସୀମା ଅଧିକ ଉଲ୍ଲେଖ ହୋଇଛି କିମ୍ବା ୟୁନିଫର୍ମ ସେବା ପୋଲିସ, ଜଙ୍ଗଲ, ଅବକାରୀ, ଅଗ୍ନିଶମ ସେବା କିମ୍ବା ଯେଉଁ ସେବା ଓ ପଦବୀରେ ଶାରୀରିକ ଦକ୍ଷତା ପରୀକ୍ଷା ରହିଥାଏ, ତା ବ୍ୟତୀତ ଅନ୍ୟ ସମସ୍ତ ବିଭିନ୍ନ ମୂଳ ପଦବୀ ଓ ସେବାରେ ପ୍ରବେଶ ପାଇଁ ସର୍ବୋଚ୍ଚ ବୟସ ସୀମାକୁ ୩୨ ବର୍ଷରୁ ୪୨ ବର୍ଷକୁ ବୃଦ୍ଧି କରାଯାଇଛି । "
ଅଗ୍ନିବୀରମାନଙ୍କ ପାଇଁ ୟୁନିଫର୍ମ ସେବା କ୍ଷେତ୍ରରେ ୧୦ ପ୍ରତିଶତ ସମାନ୍ତରାଳ ସଂରକ୍ଷଣ ଦେବା ପାଇଁ ସରକାର ନିୟମ ପ୍ରଣୟନ କରିଛନ୍ତି । ନିଯୁକ୍ତି ପ୍ରକ୍ରିୟାକୁ ଶୃଙ୍ଖଳିତ ଏବଂ ପାରଦର୍ଶୀ କରିବା ଉଦ୍ଦେଶ୍ୟରେ ସମାନ ଯୋଗ୍ୟତା ଥିବା ଖ-ବର୍ଗ ଏବଂ ଗ-ବର୍ଗ ଅନ୍ତର୍ଗତ ବିଭିନ୍ନ ପଦବୀ ପାଇଁ ୭ଟି ମିଳିତ ନିଯୁକ୍ତିର ନିୟମାବଳୀ ପ୍ରଣୟନ ହୋଇଛି । ଏଥିରୁ ୪ ଟି ନିୟମାବଳୀର ସଂଶୋଧନ କରାଯାଇ ୨୯ ଟି ନୂତନ ପଦବୀକୁ ଏହି ୪ ଟି ନିଯୁକ୍ତି ନିୟମାବଳୀରେ ଅନ୍ତର୍ଭୁକ୍ତ କରାଯାଇଛି । ଏହା ଦ୍ଵାରା ଓଡିଶା କର୍ମଚାରୀ ପ୍ରବରଣ ଆୟୋଗ ମାଧ୍ୟମରେ କରାଯାଉଥିବା ନିଯୁକ୍ତି ପରୀକ୍ଷା ସଂଖ୍ୟା ହ୍ରାସ ପାଇବ । ରାଜ୍ୟ ସରକାରଙ୍କ ବ୍ୟୟ ଭାର ହ୍ରାସ ଓ ପରୀକ୍ଷାର୍ଥୀଙ୍କୁ ସମୟର ସଦୁପଯୋଗ ପାଇଁ ସମୟ ମିଳିବ ।
Comments ସମସ୍ତ ମତାମତ