ମୁଖ୍ୟ ଖବର
ଭୁବନେଶ୍ୱର : ଭାରତୀୟ ଜନତା ପାର୍ଟି ମହିଳାମାନଙ୍କ ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ। ନାରୀ ଶକ୍ତି ସାମାଜିକ, ରାଜନୈତିକ, ଅର୍ଥନୈତିକ ବ୍ୟବସ୍ଥାର ଅଭିନ୍ନ ଅଙ୍ଗ। ଆଜିର ନାରୀ ଆଉ ଅବଳା ନୁହେଁ, ଚାଷ କ୍ଷେତ୍ରରୁ ଆରମ୍ଭ କରି ଶିକ୍ଷା ପର୍ଯ୍ୟନ୍ତ, ଉଡାଜାହାଜ ଓ ରକେଟ ଚଲାଇବା ପର୍ଯ୍ୟନ୍ତ ସବୁକ୍ଷେତ୍ରରେ ଆଗରେ ରହିଛି। ନାରୀ ଶକ୍ତିର ଏହି ସଫଳତା ପାଇଁ ଆମେ ସମସ୍ତେ ଗର୍ବିତ। ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବୁକ୍ଷେତ୍ରରେ ନାରୀମାନଙ୍କୁ ପ୍ରାଧାନ୍ୟ ଦିଆଯାଇଛି। ସେମାନଙ୍କୁ ଆଗକୁ ଆଣିବା ପାଇଁ ଭରପୁର ଉଦ୍ୟମ କରାଯାଇଛି। ବିଜେପି ଶାସନରେ ଆଜିର ମହିଳା ଉନ୍ନତି ପଥରେ ଅଗ୍ରସର ହୋଇଛି। ନାରୀ ସଶକ୍ତୀକରଣକୁ ସ୍ୱତନ୍ତ୍ରତାର ରୂପ ବିଜେପି ସରକାର ଦେଇଛି ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଆନ୍ତର୍ଜାତୀୟ ମହିଳା ଦିବସରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି।
୨୦୧୪ରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଦେଶର ଶାସନ ଭାର ସମ୍ଭାଳି ଥିଲେ ଏହାପରେ ମହିଳା ଶସକ୍ତୀକରଣ ପାଇଁ ସେ ଅନେକ ଯୋଜନା ଆରମ୍ଭ କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବାର ମାତ୍ର ୮ ମାସ ପରେ ବେଟି ବଚାଓ ଓ ବେଟି ପଢ଼ାଓ ଯୋଜନା କରଥିଲେ। ମାନନୀୟ ମୋଦିଜୀ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଓଡ଼ିଶା ସରକାର ମଧ୍ୟ ମହିଳାଙ୍କ ବିକାଶ ପାଇଁ ଗତ ୨ ବର୍ଷ ହେବ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ମହିଳା ସଶକ୍ତୀକରଣ ପାଇଁ ରାଜ୍ୟ ସରକାର ସୁଭଦ୍ରା ଯୋଜନା ଲାଗୁ କରିଛନ୍ତି। ଆଜି ଏହି ଯୋଜନାର ୪ କିସ୍ତୀରେ ଏକ କୋଟିରୁ ଊର୍ଦ୍ଧ୍ୱ ମହିଳାଙ୍କୁ ଅର୍ଥରାଶି ପ୍ରଦାନ କରାଯାଇଛି। ସୁଭଦ୍ରା ଯୋଜନାର ସଫଳ ରୂପାୟନ, ଓଡ଼ିଶାର ମା' ଭଉଣୀମାନଙ୍କର ଉଦ୍ୟୋଗୀ ହେବାର ସ୍ୱପ୍ନକୁ ପୂରଣ କରୁଛି। ଏହା ସେମାନଙ୍କୁ ସ୍ୱାବଲମ୍ବୀ କରିବା ସହ ପରିବାରରେ ମା’ ଭଉଣୀଙ୍କ ସମ୍ମାନ ବଢ଼ିଛି। ଲକ୍ଷପତି ଦିଦି ବନେଇବାରେ ସାରା ଦେଶରେ ଓଡ଼ିଶା ଅଗ୍ରଣୀ ସ୍ଥାନରେ ରହିଛି। ମମତା ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନ ଯୋଜନା ଏକତ୍ର ଭାବେ ଓଡ଼ିଶା ସରକାର କାର୍ଯ୍ୟକାରୀ କରିଛନ୍ତି। ଏହାଦ୍ୱାରା ଝିଅ ଜନ୍ମଠାରୁ ପାଠ ପଢ଼ା ପର୍ଯ୍ୟନ୍ତ ଚିନ୍ତା ଦୂର ହୋଇଯାଇଛି। ସେହିପରି ଆର୍ଥିକ ଅନ୍ତଗ୍ରସର ମହିଳାମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଆରମ୍ଭ କରାଯାଇଛି। କନ୍ୟାସନ୍ତାନ ଜନ୍ମକୁ ପୋତ୍ସାହିତ କରିବା ପାଇଁ ବିଜେପି ସରକାର ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା ଆରମ୍ଭ କରିଛନ୍ତି। ବିଜେପି ସରକାର ସବୁବେଳେ ମହିଳାଙ୍କ ବିକାଶକୁ ପ୍ରାଥମିକତା ଦେଇଛି। ମହିଳାମାନଙ୍କ ସ୍ୱାସ୍ଥ୍ୟ, ଶିକ୍ଷା ଓ ଦକ୍ଷତା ବିକାଶ ଉପରେ ଏବେ ସର୍ବାଧିକ ଗୁରୁ୍ତ୍ୱ ଦିଆଯାଉଛି। ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ମହିଳାମାନଙ୍କୁ ସଶକ୍ତ କରିନାହିଁ ସେମାନଙ୍କ ଆର୍ôଥକ ସ୍ୱାଧୀନତା ତଥା ବିକାଶର ଧାରାକୁ ଦ୍ୱିଗୁଣିତ କରିଛି ବୋଲି ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି।
ରାଜ୍ୟ ମହିଳାମୋର୍ଚ୍ଚା ସଭାନେତ୍ରୀ ଡ. ଐଶ୍ୱର୍ଯ୍ୟା ବିଶ୍ୱାଳ କହିଥିଲେ ଯେ, ଲୋକପ୍ରିୟ ମୁଖମନ୍ତ୍ରୀ ମୋହନ ମାଝୀ ମହିଳାଙ୍କ ସୁରକ୍ଷା ଓ ସମୃଦ୍ଧି ପାଇଁ ପ୍ରତିଶ୍ରୁତିବଦ୍ଧ। ସେ ମହିଳା ସଶକ୍ତରୀ କରଣ ପାଇଁ ଏପରି ଯୋଜନା ସବୁ ଆଣିଛନ୍ତି ଯାହା ଭାରତରେ ବାକି କୌଣସି ରାଜ୍ୟରେ ଦେଖିବାକୁ ମିଳିବ ନାହିଁ। ନିର୍ବାଚନ ବେଳେ ମହିଳାଙ୍କ ଉନ୍ନତି ପାଇଁ ବିଜେପି ସରକାର ଯାହା ସବୁ ଘୋଷଣା କରିଥିଲା ତାହା ସବୁ ପୂରଣ କରିଛନ୍ତି। ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ସେମାନଙ୍କ ଆର୍ଥିକ ବିକାଶ ପାଇଁ ଅନେକ ପଦକ୍ଷେପ ନେଇଛନ୍ତି। ଏଥିପାଇଁ ତାଙ୍କୁ ଯେତେ ଧନ୍ୟବାଦ ଦେଲେ ତାହା କମ୍ ହେବ ବୋଲି ଡ. ବିଶ୍ୱାଳ କହିଛନ୍ତି।
ଏହି ଅବସରରେ କ୍ରାଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ୯ ଜଣ ମହିଳାଙ୍କୁ ମୁଖ୍ୟମନ୍ତ୍ରୀ ମାଝୀ ଉତରୀୟ ଏବଂ ଫଳକ ଦେଇ ସମ୍ମାନିତ କରିଥିଲେ। ସେମାନେ ହେଲେ ସୁନାମଧନ୍ୟ ସନ୍ତରଣକାରୀ ଦିବ୍ୟାଙ୍କା ଦିବ୍ୟଜ୍ୟୋତି ପ୍ରଧାନ, ମାର୍ଶଲଆର୍ଟ ପାଇଁ ସରୁବାଲି ନାୟକ, ବିଶିଷ୍ଟ ଧାବିକା ଦୂତୀ ଚାନ୍ଦ, ରାଜ୍ୟ ସିନିୟର ଆଥଲେଟିକ୍ସର ଚାମ୍ପିୟନସିପ୍ ୨୦୨୪ର ୩୦୦୦ ମିଟର ଷ୍ଟିପଲଚେଜର ସ୍ୱର୍ଣ୍ଣପଦକ ବିଜେତା ପୂଜା ବେହେରା, ୫୧ ବର୍ଷୀୟା ମାରଥନ ଧାବିକା ବବିତା ପ୍ରିୟଦର୍ଶନୀ, ଓଡ଼ିଶା ପାରାସନ୍ତରଣକାରୀ ବବିତା ଦଳାଇ, ଜାତୀୟସ୍ତରର ବାସ୍କେଟବଲ୍ ଖେଳାଳି ଲିଜାଲିନ୍ ଜେନା, କବାଡି ଖେଳାଳି ବିଦୁପ୍ରଭା ସ୍ୱାଇଁ, ଏସିଆନ ୱେଟଲିପ୍ଟିଂରେ ସ୍ୱର୍ଣ୍ଣପଦକ ହାସଲକାରୀ ଝିଲି ଦଳବେହେରା। ଖାଦ୍ୟ ପ୍ରତିଯୋଗିତା ମାଷ୍ଟରସେଫରେ ତୃତୀୟସ୍ଥାନ ହାସଲ କରିଥିବା ଓଡ଼ିଶାର ଦୁଇ ଭଉଣୀ ଅଞ୍ଜୁ ଓଝା ଓ ମଞ୍ଜୁ ପ୍ରଧାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥଲା।
କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସାମାଜିକ ଗଣମାଧ୍ୟମ ସଂଯୋଜକ ସୁଜାତା ପାଢ଼ୀ, ବିଶିଷ୍ଟ ମହିଳା ଧାବିକା ଦୂତିଚାନ୍ଦ, ବିଶିଷ୍ଟ ଗାୟିକା ସୁସ୍ମିତା ଦାସଙ୍କ ସମତେ ମହିଳା ମୋର୍ଚ୍ଚାର ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।
Comments ସମସ୍ତ ମତାମତ