Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଏଣିକି ପାରମ୍ପରିକ ନୁହେଁ, ନୂଆ ଯୁଗର ଶିଳ୍ପରେ ବିକଶିତ ହେବ ରାଜ୍ୟ: ମୁଖ୍ୟମନ୍ତ୍ରୀ

    Share on :
    ajab-Image
    Date: Jan 21, 2026    Views: 3129

    ଭୁବନେଶ୍ୱର:ରାଜ୍ୟରେ ଆରମ୍ଭ ହୋଇଥିବା ଶିଳ୍ପାୟନର ଧାରା ଏବେ ନୂଆ ମୋଡ ନେଇଛି । ପାରମ୍ପରିକ ଶିଳ୍ପ ପରିବର୍ତ୍ତେ ଏବେ ସରକାର ନୂଆ ଯୁଗର ଶିଳ୍ପ ଓ ଟେକ୍ନୋଲୋଜି ଆଧାରିତ କ୍ଷେତ୍ରକୁ ଗୁରୁତ୍ବ ଦେଉଛନ୍ତି । ଯାହା ଦ୍ଵାରା ରାଜ୍ୟର ଶିଳ୍ପାୟନ ପ୍ରକ୍ରିୟା ଅଧିକ ତ୍ବରାନ୍ବିତ ହେବା ସହ ନିବେଶକଙ୍କ ପାଇଁ ବଡ ସୁଯୋଗ ସୃଷ୍ଟି କରିଛି । ଶିଳ୍ପାୟନରେ ରାଜ୍ୟ ସରକାରଙ୍କ ଏହି ରୂପାନ୍ତରଣକୁ ଆଧାର କରି ଓଡ଼ିଶାରେ ନିବେଶ ଲାଗି ଏହା ଉପଯୁକ୍ତ ସମୟ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।
    ପୂର୍ବରୁ ରାଜ୍ୟରେ କେବଳ ଇସ୍ତାତ, ଖଣି ଓ ବୃହତ ଶିଳ୍ପକୁ ଗୁରୁତ୍ଵ ଦିଆଯାଉଥିଲା । ଖଣିଜ ସମ୍ପଦରେ ଭରପୂର ରାଜ୍ୟରେ କେବଳ ଇସ୍ପାତ ଓ ଖଣି ଆଧାରିତ ବୃହତ ଶିଳ୍ପ ପ୍ରତିଷ୍ଠା ହେଉଥିଲା । ଏବେ କିନ୍ତୁ ରାଜ୍ୟ ସରକାର ଏହି ଆଭିମୁଖ୍ୟରେ ପରିବର୍ତ୍ତନ କରିଛନ୍ତି । ସମୟ ସହ ତାଳ ଦେଇ ରାଜ୍ୟରେ ଏବେ ଅତ୍ୟାଧୁନିକ ଜ୍ଞାନକୌଶଳ ଏବଂ ଅଧିକ ନିଯୁକ୍ତି ସହ ରୋଜଗାର ବଢାଉଥିବା ଶିଳ୍ପକୁ ପ୍ରାଥମିକତା ଦିଆଯାଉଛି । ଆଇଟି, ଆଇଟିଇଏସ, ଏରୋସ୍ପେସ୍ ଓ ପ୍ରତିରକ୍ଷା, ପୋଷାକ, ଧାତବ୍ୟ ସମ୍ପର୍କିତ ଆନୁସଙ୍ଗିକ ଇଞ୍ଜିନିୟରିଂ ସାମଗ୍ରୀ, ପ୍ଲାଷ୍ଟିକ, ରସାୟନ, ପ୍ୟାକେଜିଂ, ଔଷଧ, ଡାକ୍ତରୀ ଉପକରଣ, ବାୟୋ-ଟେକ୍ନୋଲୋଜି ଭଳି ଶିଳ୍ପରେ ପୁଞ୍ଜିନିବେଶ ପାଇଁ ଅଧିକ ସୁଯୋଗ ସୃଷ୍ଟି କରାଯାଉଛି । ଏହିସବୁ ଶିଳ୍ପ ଆଗାମୀ ଦିନରେ ରାଜ୍ୟର ଅର୍ଥନୀତିକୁ ଅଧିକ ମଝବୁତ କରିବା ସହ ଯୁବକଯୁବତୀଙ୍କ ପାଇଁ ନିଯୁକ୍ତିର ପର୍ୟ୍ୟାପ୍ତ ସମ୍ଭାବନା ସୃଷ୍ଟି କରିବ ।

    ଗତ ଡିସେମ୍ବରରେ ହାଇଦ୍ରାବାଦରେ ଆୟୋଜିତ ନିବେଶକ ସମ୍ମିଳନୀ ଓ ନିକଟରେ ଅନୁଷ୍ଠିତ କୋଲକତା ରୋଡ ଶୋରୁ ରାଜ୍ୟ ସରକାରଙ୍କ ଶିଳ୍ପାୟନ ଧାରରେ ଏହି ରୂପାନ୍ତରଣ ସ୍ପଷ୍ଟ ଦୃଶ୍ୟମାନ ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଏହି ନିବେଶକ ସମ୍ମିଳନୀର ଆୟୋଜନ ହୋଇଥିଲା । ଏହି ଦୁଇଟି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଆଗାମୀ କାଲିର ଆବଶ୍ୟକତା ଓ ଅର୍ଥନୈତିକ ଅଭିବୃଦ୍ଧିର ସୁଯୋଗ ସହ ତାଳଦେଇ ଚାଲିବାକୁ ଓଡ଼ିଶା ପ୍ରସ୍ତୁତ ବୋଲି କହିଛନ୍ତି । ଏହି ଦୁଇଟି ନିବେଶକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ବିସ୍ତୃତ ଭାବେ ୬ଟି କ୍ଷେତ୍ରର ନିବେଶକଙ୍କ ସହ ଆଲୋଚନା କରିଛନ୍ତି ।
    ହାଇଦ୍ରାବାଦରେ ଔଷଧ ଶିଳ୍ପ ଏବଂ ଏରୋସ୍ପେଶ ଓ ପ୍ରତିରକ୍ଷା ସମ୍ପର୍କିତ ଦୁଇଟି ରାଉଣ୍ଡ ଟେବୁଲ ବୈଠକରେ ମୁଖ୍ୟମନ୍ତ୍ରୀ ନିବେଶକଙ୍କ ସହ ଆଲୋଚନା କରିଥିଲେ । କୋଲକାତାରେ ମୁଖ୍ୟମନ୍ତ୍ରୀ ପୋଷାକ, ଧାତବ୍ୟ ଆନୁଷଙ୍ଗିକ ଶିଳ୍ପ, ପ୍ଲାଷ୍ଟିକ, ରସାୟନ, ପ୍ୟାକେଜିଂ, ଔଷଧ ଓ ମେଡିକାଲ ଉପକରଣ ଏବଂ ବାୟୋଟେକ୍ନୋଲୋଜି ସହ ଜଡିତ ନିବେଶକଙ୍କ ସହ ଆଲୋଚନା କରିଛନ୍ତି । ଏହି ଦୁଇଟି ସମ୍ମିଳନୀରେ ୧୨୩ କମ୍ପାନୀର ମୁଖ୍ୟମାନେ ଯୋଗ ଦେଇଥିଲେ । ଏଥିରୁ ମୋଟ ୧ ଲକ୍ଷ ୬୭ ହଜାର କୋଟିର ପୁଞ୍ଜିନିବେଶ ସୁନିଶ୍ଚିତ ହେବା ସହ ୧ ଲକ୍ଷ ୪୬ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି ।

    ଓଡ଼ିଶାରେ ନିବେଶ ପାଇଁ ଶିଳ୍ପପତିଙ୍କ ମଧ୍ୟରେ ଆଗ୍ରହ ପ୍ରମାଣିତ କରିଛି ଯେ, ଶିଳ୍ପାୟନରେ ରାଜ୍ୟର ରୂପାନ୍ତରଣ ନିବେଶକଙ୍କ ମଧ୍ୟରେ ଆତ୍ମବିଶ୍ଵାସ ସୃଷ୍ଟି କରିଛି । ଏଥିସହିତ ଓଡ଼ିଶା ନିବେଶକଙ୍କ ପସନ୍ଦିଆ ରାଜ୍ୟର ମାନ୍ୟତା ମଧ୍ୟ ପାଇଛି । ଏହା ଦ୍ଵାରା ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ହାସଲରେ ଓଡ଼ିଶା ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି । ନୂଆ ଯୁଗର ଶିଳ୍ପ ପାଇଁ ରାଜ୍ୟ ସରକାର କଳ୍ପନାକୁ କାର୍ୟ୍ୟକାରୀ କରିବା ଠାରୁ ଆରମ୍ଭ କରି ଉତ୍ପାଦନ ଓ ପରିବହନ ପର୍ୟ୍ୟନ୍ତ ସବୁ ପ୍ରକାର ସହଯୋଗ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପାରାଦୀପ, ଗୋପାଳପୁର, ଧାମରା, ବାହୁଡ଼ା ଓ ସୁବର୍ଣ୍ଣରେଖା ବନ୍ଦର ସାଙ୍ଗକୁ ରାଜ୍ୟ ଭିତରେ ଓ ଦେଶର ପ୍ରମୁଖ ସ୍ଥାନକୁ ବିମାନ ସେବା ଓ ଶିଳ୍ପାୟନ ପାଇଁ ବଳିଷ୍ଠ ଭିତ୍ତିଭୂମି ସୃଷ୍ଟି କରିଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook