ମୁଖ୍ୟ ଖବର
ଭୁବନେଶ୍ବର: ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ଜନଜାତି ଉପଦେଷ୍ଟା ପରିଷଦ ବୈଠକରେ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏସ୍ଟି ତାଲିକାରେ ରେକର୍ଡ ଅଫ୍ ରାଇଟ୍ସ ଉଭୟ ଓଡ଼ିଆ ଓ ଇଂରାଜୀରେ ଲେଖାଯିବ। ବୈଠକରେ ପ୍ରାରମ୍ଭିକ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେ, ଆମ ପାଇଁ ଜନଜାତି ସମ୍ପ୍ରଦାୟ କେବଳ ଯୋଜନାର ହିତାଧିକାରୀ ନୁହନ୍ତି, ସେମାନେ ପ୍ରଗତିରେ ସହଭାଗୀ ମଧ୍ୟ। ତେଣୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ସେମାନଙ୍କ ନିକଟରେ ପହଞ୍ଚିବା ଦରକାର। ଆଦିବାସୀଙ୍କ ଜୀବନଜୀବିକା, ଅର୍ଥନୈତିକ ବିକାଶ ସହିତ ସେମାନଙ୍କ ଧାର୍ମିକ ଭାବନା ପ୍ରତି ମଧ୍ୟ ଆମକୁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ପଡ଼ିବ। ଆଦିବାସୀ ଗ୍ରାମର ପୂଜକଙ୍କ ପାଇଁ ଭତ୍ତା ବ୍ୟବସ୍ଥା, ସେମାନଙ୍କ ପୂଜାସ୍ଥଳୀଗୁଡ଼ିକର ବିକାଶ ଓ ସୁରକ୍ଷା ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରିଷଦକୁ ପ୍ରସ୍ତାବ ଦେଇଥିଲେ। ଏ ବିଷୟରେ ଅନୁଧ୍ୟାନ ଓ ଆଲୋଚନା କରି ନିର୍ଦ୍ଦିଷ୍ଟ ନିଷ୍ପତ୍ତି ନିଆଯିବ।
ସେହିପରି ଆଦିବାସୀ ଅଞ୍ଚଳରେ ଅଧିକ ସଂଖ୍ୟାରେ ପରିବେଶ ଅନୁକୂଳ ପର୍ୟ୍ୟଟନ (ଇକୋ ଟୁରିଜିମ୍) ପ୍ରକଳ୍ପ, ଟ୍ରାଇବାଲ୍ ହୋମ ଷ୍ଟେ ବୃଦ୍ଧି ନେଇ ସୁପାରିସ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଜନଜାତି ସମ୍ପ୍ରଦାୟରେ ଅଧିକ ବର୍ଗଙ୍କ ଅନ୍ତର୍ଭୁକ୍ତି ପାଇଁ ଏସ୍ସିଏସ୍ଟିଆର୍ଟିଆଇକୁ ଠିକ୍ ଅନୁଧ୍ୟାନ କରି ପରବର୍ତ୍ତୀ ଜନଜାତି ଉପଦେଷ୍ଟା ପରିଷଦକୁ ସୁପାରିସ ପାଇଁ କୁହାଯାଇଥିଲା। ରାଜ୍ୟପାଳଙ୍କ ଅଫିସରୁ ଆସିଥିବା ପ୍ରସ୍ତାବଗୁଡ଼ିକୁ ଅନୁଧ୍ୟାନ କରି ପରବର୍ତ୍ତୀ ଜନଜାତି ଉପଦେଷ୍ଟା ପରିଷଦ ବୈଠକରେ ଆଲୋଚନା ଲାଗି ନିଷ୍ପତ୍ତି ନିଆଯାଇଛି। ସେହିପରି ଆନ୍ତଃବିଭାଗୀୟ କମିଟି ମାଧ୍ୟମରେ ପେସା ଅଧିନିୟମର ଓଡ଼ିଶାଭିତ୍ତିକ ନିୟମାବଳୀକୁ ଅନୁଧ୍ୟାନ କରି ପରବର୍ତ୍ତୀ ଜନଜାତି ଉପଦେଷ୍ଟା ପରିଷଦ ବୈଠକକୁ ସୁପାରିସ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏକାଦଶ ଓ ଦ୍ବାଦଶ ଶ୍ରେଣୀରେ ଏକଲବ୍ୟ ମଡେଲ ଆବାସିକ ସ୍କୁଲଗୁଡ଼ିକରେ ବିଜ୍ଞାନ ସହିତ କଳା ଓ ବାଣିଜ୍ୟ ବିଷୟ ରଖିବା ପାଇଁ ସୁପାରିସ କରାଯାଇଛି। ଏହି ବୈଠକରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, କେନ୍ଦୁଝର ସାଂସଦ ଅନନ୍ତ ନାୟକ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀଙ୍କ ସହିତ କମିଟିର ସଦସ୍ୟ ଓ ବିଧାୟକମାନେ ଉପସ୍ଥିତ ଥିଲେ।
Comments ସମସ୍ତ ମତାମତ