ମୁଖ୍ୟ ଖବର
ଭୁବନେଶ୍ୱର: ରାଜ୍ୟରେ ଆଇନ ଶୃଙ୍ଖଳା ବଜାୟ ରଖିବା ଓ ଅପରାଧ ନିୟନ୍ତ୍ରଣ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା । ସେବା ସହିତ ସୁରକ୍ଷା ଓ ସାହାଯ୍ୟ ହେଉ ପୋଲିସର ମୁଖ୍ୟ କାର୍ଯ୍ୟ । ସାଧାରଣ ଲୋକଙ୍କ ପ୍ରତି ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର ପ୍ରଦର୍ଶନ କରନ୍ତୁ ପୋଲିସ କର୍ମଚାରୀ । ଚାପର ବଶବର୍ତ୍ତୀ ନହୋଇ ପ୍ରକୃତ ଦୋଷୀକୁ ଖୋଜି ବାହାର କରିବା ସହ ଆଇନ ଅନୁଯାୟୀ ଦଣ୍ଡ ଦେବା ପାଇଁ ପୋଲିସ ନେଉ କାର୍ଯ୍ୟାନୁଷ୍ଠାନ । ଏଭଳି ୮ଟି ବିଷୟ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆରକ୍ଷୀ ଅଧୀକ୍ଷକ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।ଲୋକସେବା ଭବନ କନଭେନସନ ସେଣ୍ଟରରେ ଚାଲିଥିବା ଦୁଇ ଦିନିଆ ରାଜ୍ୟସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ସମ୍ମିଳନୀ ଉଦଯାପନ ହୋଇଛି । ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, "ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ନିଜ ନିଜ ଭିତରେ ସମନ୍ୱୟ ରକ୍ଷା କରି କାମ କରିବା ଉଚିତ । ବିକାଶ ଓ ସୁରକ୍ଷା ଯେପରି ଏକାଠି ହୋଇପାରିବ ସେଥିପ୍ରତି ଯତ୍ନବାନ ହେବା ଆବଶ୍ୟକ । ଆରକ୍ଷୀ ଅଧୀକ୍ଷକ ମାନେ କୌଣସି ପ୍ରକାର ଚାପର ବଶବର୍ତ୍ତୀ ନ ହୋଇ ଅପରାଧ କ୍ଷେତ୍ରରେ ପ୍ରକୃତ ଦୋଷୀକୁ ଖୋଜି ବାହାର କରନ୍ତୁ । ଆଇନ ଅନୁଯାୟୀ ଦଣ୍ଡ ଦେବା ପାଇଁ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ।ମୁଖ୍ୟମନ୍ତ୍ରୀ ଆରକ୍ଷୀ ଅଧୀକ୍ଷକମାନଙ୍କୁ ୮ଟି ବିଷୟ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେଗୁଡ଼ିକ ହେଲା - ଦଣ୍ଡବିଧାନ ହାରକୁ ବୃଦ୍ଧି କରିବା ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜି ବା ରଣନୀତି ପ୍ରସ୍ତୁତ ଏବଂ ଆବଶ୍ୟକ ସ୍ଥଳେ ତଦନ୍ତ ଏବଂ Prosecution wing ସ୍ଥାପନ, ଥାନାକୁ ଆସୁଥିବା ସମସ୍ତ ଅଭିଯୋଗକୁ ଗ୍ରହଣ କରି ପଞ୍ଜୀକୃତ କରିବା ନଚେତ ସମ୍ପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ, ଆରକ୍ଷୀ ଅଧୀକ୍ଷକମାନଙ୍କ ଦ୍ୱାରା ନିୟମିତ ଥାନା ଗସ୍ତ, ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ଗୋଟିଏ ଟିମ ଭାବରେ କାମ, ଦୁର୍ନିତୀ ବିରୁଦ୍ଧରେ ଜିରୋ ଟଲେରେନ୍ସ ଏବଂ ନିଜେ ସଚ୍ଚୋଟ ରହିବା ସହିତ ଅନ୍ୟ ଅଧିକାରୀମାନଙ୍କୁ ପ୍ରେରଣା ଦେବା, କୌଣସି ନିରୀହ ଜନସାଧାରଣଙ୍କୁ ଅଯଥାରେ ହଇରାଣ ନ କରିବା, ଥାନସ୍ତରୀୟ ଅଧିକାରୀଙ୍କୁ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ନ୍ୟାୟ ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧୀନିୟମ ବିଷୟରେ ପ୍ରଶିକ୍ଷଣ ଏବଂ ଅପରାଧୀଙ୍କ ଜ୍ଞାନ କୌଶଳ ଠାରୁ ଗୋଟିଏ ପାଦ ଆଗରେ ରହିବା ପାଇଁ ସବୁ ପୋଲିସ ଅଧିକାରୀମାନେ ଟେକ୍ନୋଲୋଜିର ବ୍ୟାପକ ବ୍ୟବହାର କରିବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି ।ମୁଖ୍ୟମନ୍ତ୍ରୀ ଓଡ଼ିଶା ପୋଲିସର କାର୍ଯ୍ୟଶୈଳୀରେ ସନ୍ତୋଷ ବ୍ୟକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, "ରାଜ୍ୟରେ ଆଇନ ଶୃଙ୍ଖଳା ବଜାୟ ରଖିବା ଓ ଅପରାଧ ନିୟନ୍ତ୍ରଣକୁ ଆମ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି । ଆମ ସରକାର ଆସିବା ପରଠାରୁ ରାଜ୍ୟ ପୋଲିସର ଦକ୍ଷତାପୂର୍ଣ୍ଣ କାର୍ଯ୍ୟ ବଳରେ ସମସ୍ତ ସମ୍ୱେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ଅପରାଧ ଗୁଡ଼ିକ ସ୍ୱଳ୍ପ ସମୟ ମଧ୍ୟରେ ସମାଧାନ କରି ଓଡ଼ିଶା ପୋଲିସ ରାଜ୍ୟ ପାଇଁ ସୁନାମ ଆଣିଛି । ପୋଲିସ ବ୍ୟବସ୍ଥାର ସୁଦୃଢୀକରଣ, ଆଧୁନିକୀକରଣ ଓ କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆଣିବା ପାଇଁ ଅନେକ ପଦକ୍ଷେପ ନିଆଯାଇଛି । ଥାନାକୁ ଅଭିଯୋଗ ନେଇ ଆସୁଥିବା ସାଧାରଣ ଲୋକ ଯେଭଳି ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର ପାଇବ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ । ସେବା ସହିତ ସୁରକ୍ଷା ଓ ସାହାଯ୍ୟ ଓଡ଼ିଶା ପୋଲିସର ମୁଖ୍ୟକାର୍ଯ୍ୟ ହେବା ଆବଶ୍ୟକ ।"
ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି, "ବିକଶିତ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ଏବଂ ପୁଞ୍ଜୀନିବେଶକାରୀଙ୍କୁ ଆକୃଷ୍ଟ କରିବା ପାଇଁ ଶାନ୍ତି ଓ ସୁଶାସନର ପରିବେଶ ଅତ୍ୟନ୍ତ ଆବଶ୍ୟକ । ଛୋଟ ଛୋଟ ସମସ୍ୟା ଯୋଗୁଁ ଯେପରି ଭିତ୍ତିଭୂମି ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ବାଧା ସୃଷ୍ଟି ନ ହେବ, ସେଥିପ୍ରତି ଉଭୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକମାନେ ସ୍ୱତନ୍ତ୍ର ଦୃଷ୍ଟି ଦେବେ । ଏଥି ସହିତ ୨୦୨୬ ସୁଦ୍ଧା ଓଡ଼ିଶାକୁ ସମ୍ପୂର୍ଣ୍ଣ ନକ୍ସଲ ମୁକ୍ତ, ବେଆଇନ ନିଶା କାରବାର, ଜମି ମାଫିଆ ଏବଂ ଅର୍ଥନୈତିକ ଅପରାଧୀଙ୍କ କାରବାରକୁ ସମ୍ପୂର୍ଣ୍ଣ ରୂପେ ଦମନ, ଦୁର୍ଘଟଣାପ୍ରବଣ ସ୍ଥାନମାନଙ୍କରେ ନଜର ରଖି ନିୟମିତ ଚେକିଙ୍ଗ ଓ ପାଟ୍ରୋଲିଙ୍ଗ, ଦ୍ରୁତ ଗତି ଗାଡି ଚାଳନା ଓ ମଦ୍ୟପାନ କରି ଗାଡ଼ିଚାଳନା ଉପରେ ଫୋକସ ଏବଂ ଅନୁପ୍ରବେଶକାରୀଙ୍କୁ ରୋକିବା ପାଇଁ କୋଷ୍ଟାଲ ସିକ୍ୟୁରିଟି, କୋଷ୍ଟ ଗାର୍ଡ ଏବଂ ନୌବାହିନୀ ସହିତ ଉପଯୁକ୍ତ ସମନ୍ୱୟ ରଖି କାମ କରିବା ପାଇଁ ପରାମର୍ଶ ଦେଇଛନ୍ତି ।ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଛନ୍ତି, "ନୂଆ ସରକାର ଦାୟିତ୍ୱ ନେବା ପରେ ରାଜ୍ୟ ପୋଲିସରେ ବ୍ୟାପକ ଆଧୁନିକୀକରଣ କରାଯାଇଛି । ପୋଲିସ ପ୍ରଶାସନରେ ମାନବ ସମ୍ୱଳ ବୃଦ୍ଧି, ଆବଶ୍ୟକ ଉପକରଣ ଓ ସଂସ୍ଥାଗତ ସୁଦୃଢୀକରଣ ପାଇଁ ମୁଖ୍ୟମନ୍ତ୍ରୀ ଅଧିକ ଅର୍ଥ ମଞ୍ଜୁର କରିଛନ୍ତି । ଯାହା ଫଳରେ ରାଜ୍ୟରେ ଜନସାଧାରଣଙ୍କୁ ସୁରକ୍ଷା ପ୍ରଦାନ କ୍ଷେତ୍ରରେ ଓଡ଼ିଶା ପୋଲିସ ସଫଳତାର ସହ କାମ କରୁଛି ।"ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ କହିଛନ୍ତି, "ଓଡ଼ିଶା ପୋଲିସକୁ ସୁଦୃଢ଼ କରିବା ପାଇଁ ଗୃହ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କୁ ଯାହା ବି ପ୍ରସ୍ତାବ ଦିଆଯାଉଛି ମୁଖ୍ୟମନ୍ତ୍ରୀ ତୁରନ୍ତ ମଞ୍ଜୁର କରୁଛନ୍ତି । ଜିଲ୍ଲାପାଳ ଓ ଏସପି ହେଉଛନ୍ତି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ । ସରକାରଙ୍କ ଆଖି ଓ କାନ । ତେଣୁ ଉଭୟଙ୍କ ମଧ୍ୟରେ ସମନ୍ୱୟ ସବୁବେଳେ ରହିବା ଦରକାର ।"ପୋଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ୀକରଣ, ଅପରାଧ ନିୟନ୍ତ୍ରଣ ଓ ତଥ୍ୟ-ପ୍ରଯୁକ୍ତି ଆଧାରିତ ନିରୀକ୍ଷଣ ପ୍ରଣାଳୀର ବିସ୍ତାର ସମ୍ପର୍କରେ ଆଲୋକପାତ କରିଛନ୍ତି । ସମସ୍ତ ଆରକ୍ଷୀ ଅଧିକ୍ଷକଙ୍କୁ ପରାମର୍ଶ ଦେଇ କହିଛନ୍ତି, "ସମ୍ମିଳିତ ପ୍ରୟାସ, ତଥ୍ୟ ଆଦାନ-ପ୍ରଦାନ ଓ ଗ୍ରାଉଣ୍ଡ-ଲେଭେଲ ମନିଟରିଂ ଆଗାମୀ ଦିନରେ ଆଇନ-ଶୃଙ୍ଖଳାକୁ ଅଧିକ ସୁନିଶ୍ଚିତ କରିବ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ର, ଉନ୍ନୟନ କମିଶନର ଅନୁ ଗର୍ଗ ଏବଂ ରାଜ୍ୟ ପୋଲିସ ଓ ପ୍ରଶାସନର ବହୁ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ ।
Comments ସମସ୍ତ ମତାମତ