ମୁଖ୍ୟ ଖବର
ନୂଆପଡା / ଭୁବନେଶ୍ୱର: ନୂଆପଡାର ବିକାଶ ପାଇଁ ବିଜେପି ପ୍ରତିଶ୍ରୁତିବଦ୍ଧ । ଜ଼ିଲ୍ଲାର ବିକାଶ ପାଇଁ ୧୪୦୦ କୋଟି ଟଙ୍କାର ପ୍ରକଳ୍ପ ହେବ । ସରକାରଙ୍କ ନୀତି ଓ ନିଷ୍ପତି ତୃଣମୂଳ ସ୍ତରରେ କାର୍ୟ୍ୟକାରୀ ହେବ । ନୂଆପଡାର ବିକାଶ ଦାୟୀତ୍ୱ ମୁଁ ନେଇଛି । ଏହାର ସର୍ବଙ୍ଗୀନ ଓ ସାମଗ୍ରିକ ବିକାଶ ପାଇଁ ବିଜେପି ପ୍ରାର୍ଥୀ ଶ୍ରୀ ଜୟ ଢୋଲକିଆଙ୍କୁ ପଦ୍ମ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରାଇବାକୁ ମାନବ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନୂଆପଡାବାସୀଙ୍କୁ ଅନୁରୋଧ କରିଛନ୍ତି ।
ଆଜି ନୂଆପଡା ନିର୍ବାଚନମଣ୍ଡଳୀର କୋମନାଠାରେ ଅନୁଷ୍ଠିତ ବିଶାଳ ଜନସଭାକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ବେଇମାନ କହିଲେ । ବେଇମାନର ସଂଜ୍ଞା କଣ, ଏହା କେମିତି ଆସିଲା ? ପୂର୍ବତନ ମୁଖ୍ୟମନ୍ତ୍ରୀ କୁଆଡେ ଶାଳୀନତା ରକ୍ଷା କରନ୍ତି, ହେଲେ ଏହା କି ପ୍ରକାର ଶାଳୀନତା ? ରାଜନୈତିକ ଚକ୍ରାନ୍ତ କରି ନିଜେ ନିଜ ଲୋକଙ୍କୁ ଠକେଇଛି ବିଜେଡି । ବିଜେଡି କେତେ ପ୍ରତାରଣା କରିଛି ସମସ୍ତେ ଜାଣନ୍ତି । ଜଣ ଜଣ କରି ନିଜ ନେତାଙ୍କୁ ନବୀନ ବିଜେଡିରୁ ବାହାର କରିଛନ୍ତି । ନୂଆପଡାରେ ବିଜେଡିର କଣ ଯୋଗ୍ୟ ପ୍ରାର୍ଥି ନଥିଲେ କି ବାହାରୁ ଆଣି ପ୍ରାର୍ଥୀ କରାଗଲା । ନୂଆପଡାର ଲୋକ କଣ ପ୍ରାର୍ଥି ହେବା ଜରୁରୀ ନୁହେଁ? ବିଜେଡି ହେଉଛି ପ୍ରାର୍ଥୀ ଚୋର । ବିଜେପୁରରେ କଂଗ୍ରେସ ନେତାକୁ ଆଣି ବିଜେଡି ପ୍ରାର୍ଥୀ କରିଥିଲା, କାକଟପୁରରେ ପ୍ରାର୍ଥୀ ଚୋରି କରିଥିଲା ବିଜେଡି । ସେତେବେଳେ ବିଜେଡି ବେଇମାନି କରିନଥିଲା କି? ମନ୍ତ୍ରୀ ପଦ ଦେଖାଇ ପ୍ରାର୍ଥୀ ଚୋରି କରିଥିଲା ବିଜେଡି । ନର୍ଲା ଓ କେସିଙ୍ଗା କଂଗ୍ରେସ ନେତାଙ୍କୁ ନେଇଯାଇଥିଲା ବିଜେଡି । ବେଇମାନି ଆଉ ପ୍ରାର୍ଥୀ ଚୋରି କରିଥିଲା କିଏ? ଏହାର ସ୍ପଷ୍ଟ ଉତର ବିଜୁ ଜନତା ଦଳ ଦେବା ଦରକାର ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।
ରାଜନୈତିକ ଚକ୍ରାନ୍ତରେ ଗୋଟିଏ ପରେ ଗୋଟିଏ ସମ୍ପୂର୍ଣ୍ଣ ଭାବେ ଅନୈତିକ କରିଥିବା ବିଜୁ ଜନତା ଦଳ ଆଜି ରାଜେନ୍ଦ୍ର ଢୋଲକିଆଙ୍କ ସୁପୁତ୍ର ଜୟ ଢୋଲକିଆଙ୍କୁ ବେଇମାନି କହିବା ଅତ୍ୟନ୍ତ ନିନ୍ଦନିଅ । ଏହା କଣ ବିରୋଧୀ ଦଳ ନେତାଙ୍କ ମୁହଁରେ ଶୋଭା ପାଏ । ବେଇମାନି କହି କହି ସମସ୍ତଙ୍କ ଠାରୁ କାମ ହାସଲ କରି ତାଙ୍କୁ ଧକ୍କା ମାରି ବାହାର କରିଦେଇଛନ୍ତି ନବୀନ ପଟ୍ଟନାୟକ । ପୂର୍ବ ସରକାର ରାଜ୍ୟରେ ୨୪ବର୍ଷ ଶାସନ କଲେ, ସେହି ତୁଳନାରେ ୧୬ ମାସରେ ବିଜେପି ସରକାରଙ୍କ ସଫଳତା ଅଧିକ । ସେମାନେ ବିରୋଧ ନାଁରେ କେବଳ ବିରୋଧ କରୁଛନ୍ତି । ନବୀନ ବାବୁ ସୋହେଲା ଠାରେ ନିଜେ ଘୋଷଣା କରିଥିବା ଧାନ କ୍ୱିଂଟାଲ ପିଛା ୧୦୦ଟଙ୍କାର ବୋନସ୍ ଦେଇପାରିଲେନି । ଘୋଷଣା କରି ଚୁପ୍ ବସି ଯାଇଥିଲା ପୂର୍ବ ସରକାର । ବିଜେପି ସରକାରକୁ ଆସିବା ପରେ ବର୍ତମାନ ଧାନ କ୍ୱିଂଟାଲ ପିଛା ୩୧୬୯ ଟଙ୍କା ଚାଷୀକୁ ମିଳୁଛି । ନୂଆପଡା ଜିଲ୍ଲାରେ ସର୍ବାଧିକ ଧାନ କିଣା ଯାଇଛି । ରାଜ୍ୟରେ ୧୫୩ ପ୍ରତିଶତ ଧାନ କିଣା ହୋଇଛି । ମହିଳାଙ୍କ ପାଇଁ ପୂର୍ବ ସରକାରରେ କିଛି ଯୋଜନା ନଥିଲା । ଆମ ସରକାର ସୁଭଦ୍ରା ଯୋଜନା ଲାଗୁ କରିଛନ୍ତି । ଏହି ଯୋଜନାରେ ରାଜ୍ୟର ୧କୋଟିରୁ ଅଧିକ ହିତାଧିକାରୀ ଉପକୃତ ହେଉଛନ୍ତି ବୋଲି ଶ୍ରୀ ମାଝୀ କହିଛନ୍ତି ।
ବିଜେଡି ଶାସନରେ କାହିଁକି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଖୋଲାଯାଉନଥିଲା । ଯଦି କେବେ ଥରେ ଅଧେବି ଖୋଲା ଯାଉଥିଲା ନବୀନ ବାବୁ ଅଭିଯୋଗ ଶୁଣିବାକୁ କାହିଁକି ଆସୁନଥିଲେ । ଲୋକଙ୍କ ପାଖକୁ ଆମେ ଯାଉଛୁ, ଲୋକଙ୍କ ସମସ୍ୟା ବୁଝୁଛୁ । ନବୀନ ବାବୁ ଖାଲି ହାତ ହଲେଇ ‘ଆପଣମାନେ ଖୁସି ତ’ କହି ଆସୁଥିଲେ । ନୂଆପଡାବାସୀ କଣ ଖୁସି ହୋଇପାରିଲେ କି? ନୂଆପଡା ନିର୍ବାଚନର ଫଳାଫଳ ନିଶ୍ଚିନ୍ତ ଭାବେ ନୂଆପଡାର ବିକାଶ ଦିଗ ସ୍ପଷ୍ଟ କରିବ । ନୂଆପଡା ବିଧାନସଭା ସହ ନୂଆପଡା ଜିଲ୍ଲାର ବିକାଶ କରିବେ ଜୟ ଢୋଲକିଆ । ଆମ ସରକାରଙ୍କ ନିଷ୍ପତି ପଦକ୍ଷେପକୁ ତୃଣମୂଳ ସ୍ତରରେ କରିବା ପାଇଁ ଜଣେ ଦକ୍ଷ ଓ ସମର୍ଥ ପ୍ରତିନିଧିର ଆବଶ୍ୟକତା ରହିଛି । ନୂଆପଡାର ସାମଗ୍ରିକ ବିକାଶ ପାଇଁ ଲୋକମାନଙ୍କ କଥା ଜୟ ଢୋଲକିଆ ଶୁଣିବେ, ଜୟ ଢୋଲକିଆଙ୍କ କଥା ମୁଁ ଶୁଣିବି; ଏହା ହେଉଛି ମୋର ଆପଣଙ୍କୁ ପ୍ରତିଶୃତି । ସେ ଆପଣଙ୍କ ଜନପ୍ରତିନିଧି ଭାବେ ଆପଣଙ୍କମାନଙ୍କଠାରୁ ଆର୍ଶୀବାଦ ନେବା ପାଇଁ ଆସିଛନ୍ତି ବୋଲି ଶ୍ରୀ ମାଝୀ କହିଛନ୍ତି ।
ନୂଆପଡାରେ କଣ ଯୋଗ୍ୟ ଲୋକ ନହିଲେ,ବାହାରୁ ପାର୍ଥୀ ଆଣି ନୂଆପଡା ମାଟିକୁ ଅପମାନିତ କରିଛନ୍ତି ନବୀନ । ଜୟ ଢୋଲକିଆଙ୍କ ପରି ଜଣେ କଠିନ ପରିଶ୍ରମୀ ସ୍ଥାନୀୟ ବ୍ୟକ୍ତି ନୂଆପଡା ନିର୍ବାଚନ ମଣ୍ଡଳୀକୁ ପ୍ରତିନିଧିତ୍ୱ କରିବା ପାଇଁ ସବୁଠାରୁ ଯୋଗ୍ୟତମ ବ୍ୟକ୍ତି । ଘର ଘର ବୁଲି ଆଜି ଭୋଟ ଭିକ୍ଷା କରୁଛନ୍ତି । ଆଜି ଜୟ ଢୋଲକିଆ ଭାରତୀୟ ଜନତା ପାର୍ଟିର ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗଦାନ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ।
ଜୟ ଢୋଲକିଆଙ୍କ ପିତା ସ୍ୱର୍ଗତଃ ରାଜେନ୍ଦ୍ର ଢୋଲକିଆ ଏହି ଅଂଚଳର ବିଧାୟକ ଥିଲେ, ସେ ଅନେକ ଦାବି ପୂରଣ କରିଛନ୍ତି ଓ ପରବର୍ତୀ ସମୟରେ ବିଜୁ ଜନତା ଦଳର ମନ୍ତ୍ରୀ ପଦବୀ ପାଇଥିଲେ । ଚେଷ୍ଟା କରିଥିଲେ ଏ ଅଂଚଳର ବିକାଶ କରିବା ପାଇଁ ଓ ଗରିବ ଲୋକଙ୍କ ସମସ୍ୟାର ସମାଧାନ କରିବା ପାଇଁ । କିନ୍ତୁ ଆପଣମାନେ ଜାଣିବା ଦରକାର ରାଜେନ୍ଦ୍ର ବାବୁ କିପରି ଭାବେ ଅସହାୟ ହୋଇଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯିବା ପାଇଁ ତାଙ୍କୁ ସୁଯୋଗ ମିଳୁନଥିଲା । ବିଜେଡିର ସମସ୍ତ ବିଧାୟକ ମନ୍ତ୍ରୀ କେହି ବି ତତ୍କାଳିନ ମୁଖ୍ୟମନ୍ତ୍ରୀଙ୍କ ଦେଖା କରିପାରୁନଥିଲେ ବୋଲି ଶ୍ରୀ ମାଝୀ କହିଛନ୍ତି ।
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜି ଭୁବନେଶ୍ୱରରୁ ସିଧାସଳଖ ନୂଆପଡାସ୍ଥିତ ଗୋତମା ଏୟାରଷ୍ଟ୍ରିପରେ ଓହ୍ଲାଇ କୋମନା ବ୍ଲକ ଉଦ୍ୟାନବନ୍ଧ ପହଂଚିବା ପରେ ଡ.ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଏହା ପରେ ଏକ ବିରାଟ 'ରୋଡ ସୋ' ରେ ଆସି କୋମନାଠାରେ ପହଂଚିଥିଲେ । ରାସ୍ତାର ଉଭୟ ପଟରେ ହଜାର ହଜାର ସଂଖ୍ୟାରେ ସ୍ଥାନୀୟବାସିନ୍ଦା ଛିଡା ହୋଇ ଭବ୍ୟ ସ୍ୱାଗତ ଜଣାଇଥିଲେ ।
ଏହି ବିଶାଳ ବିଜୟ ସଂକଳ୍ପ ସମାବେଶରେ ପ୍ରାର୍ଥୀ ଶ୍ରୀ ଜୟ ଢୋଲକିଆ, ସ୍ୱର୍ଗତଃ ରାଜୁ ଢୋଲକିଆଙ୍କ ଧର୍ମପତ୍ନୀ ଶ୍ରୀମତୀ କଳ୍ପନା ଢୋଲକିଆ, ମାନନୀୟ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ ଶ୍ରୀ କେ.ଭି.ସିଂହଦେଓ, ସାଂସଦ ଶ୍ରୀମତୀ ମାଳବିକା ଦେବୀ, ପୂର୍ବତନ ରାଜ୍ୟ ସଭାପତି ତଥା ବରିଷ୍ଠ ନେତା ଶ୍ରୀ ବସନ୍ତ ପଣ୍ଡା, ବରିଷ୍ଠ ନେତା ଯଦୁମଣି ପାଣିଗ୍ରାହୀ, ପ୍ରସନ୍ନ ପାଢୀ, ଖାମ ସିଂ ମାଝି, ହୋମ ସିଂ ମାଝି, ଯୁବ ନେତା ଅଭିନନ୍ଦନ ପଣ୍ଡାଙ୍କ ସମେତ ଅନେକ ବିଧାୟକ, ରାଜ୍ୟ-ଜିଲ୍ଲା ଏବଂ ସ୍ଥାନୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ ।
Comments ସମସ୍ତ ମତାମତ