ମୁଖ୍ୟ ଖବର
ଭୁବନେଶ୍ବର: ରାଜ୍ୟରେ ଖୁବଶୀଘ୍ର ଆସିବ ନୂତନ ଜଳ ନୀତି । ଆଗାମୀ ୫ ବର୍ଷରେ ଅତିରିକ୍ତ ୧୫ ଲକ୍ଷ ହେକ୍ଟର ଜମିକୁ ହେବ ଜଳସେଚନ ବ୍ୟବସ୍ଥା । ବିଶ୍ବ ଜଳ ଦିବସ ସମାରୋହ ୨୦୨୫ ଅବସରରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଜଳ ସଂରକ୍ଷଣ ଓ ପରିଚାଳନା ପାଇଁ ସରକାରଙ୍କ ସହ ବ୍ୟକ୍ତିଗତ ଓ ସାମୁହିକ ଉଦ୍ୟମ ଆବଶ୍ୟକ ବୋଲି ସେ କହିଛନ୍ତି । ମୁଖ୍ୟମନ୍ତ୍ରୀ ୧୨୨୭ କୋଟି ଟଙ୍କାର ୧୮ ବୃହତ ଉଠା ଜଳସେଚନ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ୧୦୦ ଚେକ ଡ୍ୟାମ ଓ ୪ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଭୂତଳ ପାଇପ ଲାଇନ ଲୋକାର୍ପିତ କରିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି,"ଜଳ ସଂରକ୍ଷଣ, ଜଳ ପରିଚାଳନାରେ ସରକାରଙ୍କର ସବୁଠାରୁ ବଡ ଭୂମିକା ରହିଛି । କିନ୍ତୁ ଏଥିରେ ବ୍ୟକ୍ତିଗତ ସ୍ତରରେ ତଥା ଗୋଷ୍ଠୀଗତ ସ୍ତରରେ ସମସ୍ତେ ନିଜ ନିଜ ଯୋଗଦାନ ରଖିବା ନିତାନ୍ତ ଆବଶ୍ୟକ । ଗତ ୨୦ ବର୍ଷ ଧରି, ମାଟିର ଆର୍ଦ୍ରତା ଏବଂ ଗ୍ଲାସିଆରରେ ଗଚ୍ଛିତ ଜଳର ପରିମାଣ କ୍ରମାଗତ ଭାବେ କମିବାରେ ଲାଗିଛି । ଏ ଦୃଷ୍ଟିକୋଣରୁ ଆଗାମୀ ଦିନରେ ଜଳ ସଂରକ୍ଷଣ ଓ ଜଳକୁ ପ୍ରଦୂଷଣ ମୁକ୍ତ ରଖିବା ଅପରିହାର୍ୟ୍ୟ । ୨୦୨୧ ମସିହା ତଥ୍ୟ ଅନୁଯାୟୀ, ୨୨୦ କୋଟିରୁ ଉର୍ଦ୍ଧ୍ୱ ଲୋକ ଜଳ ସଙ୍କଟ ଦେଖା ଯାଉଥିବା ଦେଶରେ ବାସ କରୁଛନ୍ତି । ବିଶ୍ୱ ଜଳବାୟୁ ପରିବର୍ତ୍ତନ ଓ ଜନସଂଖ୍ୟା ବୃଦ୍ଧି ଯୋଗୁଁ ଏହି ସଂଖ୍ୟା ବଢ଼ିବାରେ ଲାଗିଛି ।"ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି,"ଜଳ ସଂରକ୍ଷଣ ଓ ପରିଚାଳନାର ସୁବନ୍ଦୋବସ୍ତ ହେଇପାରିବ, ତାକୁ ଗୁରୁତ୍ୱ ଦେଇ ସରକାର ବ୍ୟାପକ ପଦକ୍ଷେପ ନେଇଛନ୍ତି । କେନାଲର ତଳ ମୁଣ୍ଡରେ ରହୁଥିବା ଚାଷୀ ପାଖରେ କିଭଳି ପାଣି ପହଞ୍ଚିବ ସେଥିପ୍ରତି ଆମେ ଧ୍ୟାନ ଦେଉଛୁ । ଆଗାମୀ ୫ ବର୍ଷ ଅର୍ଥାତ ୨୦୨୯ ସୁଦ୍ଧା ଅତିରିକ୍ତ ୧୫ ଲକ୍ଷ ହେକ୍ଟର ଜମିକୁ ଜଳ ସେଚିତ କରିବା ପାଇଁ ଆମେ ଲକ୍ଷ୍ୟ ରଖିଛୁ । ଜଳ ସମ୍ପଦର ସୁରକ୍ଷା ଓ ଏହାର ସୁପରିଚାଳନା ପାଇଁ ଚଳିତ ବର୍ଷ ବଜେଟରେ ୧୪ ହଜାର ୮୪୧ କୋଟି ୭୨ ଲକ୍ଷ ୯୨ ହଜାର ଟଙ୍କା ବ୍ୟବସ୍ଥା ହୋଇଛି । କେବଳ ଜଳସେଚନ ଯୋଗାଇବା ନୁହେଁ, ସାମଗ୍ରିକ ଭାବେ ଜଳ ପରିଚାଳନା କରିବା ସରକାରଙ୍କ ଲକ୍ଷ୍ୟ । ଯାହା ଦ୍ୱାରା ରାଜ୍ୟର ପ୍ରତ୍ୟେକ ଲୋକେ ପରିବେଶକୁ କ୍ଷତି ନପହଞ୍ଚାଇ ଆବଶ୍ୟକ ଜଳ ପାନୀୟ ତଥା ଅନ୍ୟ କାର୍ୟ୍ୟ ପାଇଁ ହାତ ପାହାନ୍ତାରେ ପାଇ ପାରିବେ ।"ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି, "ନୂଆ ସରକାର ରାଜ୍ୟରେ ନୂତନ ଜଳ ନୀତି ପ୍ରଣୟନ କରିବାକୁ ଯାଉଛନ୍ତି । ଏଥିସହିତ ପଟୁ ଜମି ଯାଇଥିବା ଓ ପ୍ରଦୂଷିତ ନଦୀ ନାଳ ଗୁଡିକର ପୁନରୁଦ୍ଧାର କରାଯିବା ପାଇଁ ପଦକ୍ଷେପ ନିଆଯାଉଛି । ଜଳ ସଂରକ୍ଷଣ ପାଇଁ ଜଳ ସମ୍ପଦ ବିଭାଗ ଦ୍ଵାରା ୯ ବୃହତ୍ତ, ୪୮ ମଧ୍ୟମ ଓ ୩୮୫୩ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନିର୍ମାଣ ହୋଇଛି । ୨୪.୬୫ ବିଲିୟନ କ୍ୟୁବିକ ମିଟର ଜଳ ସଂରକ୍ଷଣ କରାଯାଇଛି । ଏହା ବ୍ୟତୀତ ୧୬୭୦୪ ଆଡିବନ୍ଧ ନିର୍ମାଣ କରାଯାଇଛି । ବର୍ତ୍ତମାନ ସୁଦ୍ଧା ବିଭିନ୍ନ ନଦୀରେ ୭୨ ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ କରି ୬୫୭୯୨ ହେକ୍ଟର ମିଟର ଜଳ ସଂରକ୍ଷଣ କରିବା ପାଇଁ ଯୋଜନା କରାଯାଇଛି । ତନ୍ମଧ୍ୟରୁ ୨୨ ନିର୍ମାଣାଧୀନ, ୬ ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି ।"
Comments ସମସ୍ତ ମତାମତ