ମୁଖ୍ୟ ଖବର
ଭୁବନେଶ୍ବର: ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କୁ ଉତ୍ତମ ବ୍ୟବହାର ଦେଖାଅ। ଏତଲା (ଏଫ୍ଆଇଆର୍) ରଖିବା ସହ ଘଟଣା ସମ୍ପର୍କରେ ଆଲୋଚନା କର, ନଚେତ ସମ୍ପୃକ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନେବାକୁ ପୁଲିସ ଡିଜିଙ୍କୁ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ନିର୍ଦେଶ ଦେଇଛନ୍ତି। ଶୁକ୍ରବାର ରାଜ୍ୟର ୧୪ଟି ଥାନାର ନୂତନ କୋଠା ଶୁଭାରମ୍ଭ କାର୍ୟ୍ୟକ୍ରମରେ ନୂଆପଲ୍ଲୀ ଥାନାର ନୂଆ କୋଠା ଉଦ୍ଘାଟନ କରିବା ଅବସରରେ ସାଧାରଣ ଲୋକଙ୍କ ପ୍ରତି ବ୍ୟବହାରରେ ପରିବର୍ତ୍ତନ କରିବାକୁ ମୁଖ୍ୟମନ୍ତ୍ରୀ ଓଡ଼ିଶା ପୁଲିସକୁ ପରାମର୍ଶ ଦେଇଥିଲେ। ଥାନାକୁ ଆସୁଥିବା ଲୋକଙ୍କୁ ଉତ୍ତମ ବ୍ୟବହାର ସହ ନ୍ୟାୟ ଦିଅ। ଯେଉଁ ଥାନା ଅଧିକାରୀ ଲୋକଙ୍କ କଥା ଶୁଣୁ ନାହାନ୍ତି କାର୍ୟ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀ ଚେତାବନୀ ଦେଇଛନ୍ତି। ବିଧାୟକ ଥିବାବେଳେ ପୁଲିସ ତାଙ୍କ ପ୍ରତି କେମିତି ବ୍ୟବହାର କରିଥିଲା ସେକଥା ମୁଖ୍ୟମନ୍ତ୍ରୀ କହିଥିଲେ। ବିଧାୟକ ଥିବା ବେଳେ ୨୦୧୯ରେ ମତେ କେନ୍ଦୁଝର ଆଇଆଇସି ଦୁର୍ବ୍ୟବହାର କରିଥିଲେ। ଗେଟ୍ ଆଉଟ କହିଥିଲେ। ତେଣୁ ପୁଲିସ ବ୍ୟବହାର ପରିବର୍ତ୍ତନ କରୁ। ସାଧାରଣ ଲୋକଙ୍କୁ ସେବା ଦେଉ। କାହାର ଚାପରେ ପଡ଼ି ପୁଲିସ ବ୍ୟବହାର କରିବା ଅନୁଚିତ। ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କୁ ପାଣି ଚା’ ଦେଇ ସମ୍ମାନ ଦେଇ ଅଭିଯୋଗ ଶୁଣିବା ଦରକାର। ମୁଁ ଭୁକ୍ତଭୋଗୀ ହୋଇଛି, ତେଣୁ ଆଗକୁ ସେମିତି କେବେ ହବନି। ଆଗକୁ ପୁଲିସ ବାହିନୀ ଶକ୍ତିଶାଳୀ ହେବ। ଯେଉଁ ଥାନା ଏଫ୍ଆଇଆର୍ ନେବ ନାହିଁ ସେଠି ଆଇଆଇସି ନିଲମ୍ବିତ ହେେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
କମିସନରେଟ ପୁଲିସର ନୂଆପଲ୍ଲୀ ଥାନାରେ ଆଭାସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ରାଜ୍ୟର ବିଭିନ୍ନ ଜିଲାରେ ୧୪ଟି ନବନିର୍ମିତ ଥାନା ଗୃହ ଲୋକର୍ପଣ କରିଛନ୍ତି। ନୂଆପଲ୍ଲୀ ଥାନା ସହିତ ଅନୁଗୋଳ ଜିଲାର ସମଲ ଓ ସଦର ଥାନା, ବରଗଡ଼ ଜିଲା ଭେଡେନ, କଳାହାଣ୍ଡି ଜିଲାର ଭବାନୀପାଟଣା ଟାଉନ ଥାନା, କୋରାପୁଟ ସୁଙ୍କି ଓ କୋରାପୁଟ ଟାଉନ ଥାନା, ମାଲକାନଗିରିର କୋରକୁଣ୍ଡା, କନ୍ଧମାଳ ଜିଲାର ଫିରିଙ୍ଗିଆ, କମିସନରେଟ ପୁଲିସ ଅନ୍ତର୍ଗତ କଟକର ସିଆରଆରଆଇ ଏବଂ ମଙ୍ଗଳାବାଗ ଥାନା, ଜଗତସିଂହପୁର ଜିଲାର ପାରାଦ୍ବୀପ ଲକ୍ ଥାନା, ଯାଜପୁରର ଧର୍ମଶାଳା ଓ କୋରେଇ ଥାନାର ନବନିର୍ମିତ ଥାନା ଗୃହ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ନବନିର୍ମିତ ନୂଆପଲ୍ଲୀ ଥାନାରେ ଆୟୋଜିତ କାର୍ୟ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସମୁଦାୟ ୪୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ୧୪ଟି ଥାନାର ଅଧିକାରୀ ଓ କର୍ମଚାରୀ ସାଧାରଣ ଜନତାଙ୍କୁ ଉତ୍ସର୍ଗୀକୃତ ସେବା ପ୍ରଦାନ କରିବେ। ଏହି ଥାନା ଦ୍ବାରା ଲୋକେ ଉନ୍ନତମାନର ସେବା ପାଇବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ।
Comments ସମସ୍ତ ମତାମତ