Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ସିଜେପିର ଯନ୍ତର ମନ୍ତର ୨.୦ ଧମକ ; ଜ୍ଞାନେଶଙ୍କ ଇସ୍ତଫା ପାଇଁ ୧୦ ଯାଏ ମହଲତ

    Share on :
    ajab-Image
    Date: Oct 4, 2026    Views: 2894

    ନୂଆଦିଲ୍ଲୀ: ଏସ୍ଆଇଆର ଅନିୟମିତତା ଅଭିଯୋଗକୁ ନେଇ ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିକୁ ଅଡି ବସିଛି କକ୍ରୋଚ ଜନତା ପାର୍ଟି (ସିଜେପି)। ଏପରି କି ଜ୍ଞାନେଶଙ୍କ ଇସ୍ତଫା ଦାବିରେ ସିଜେପି ଦିଲ୍ଲୀର ଯନ୍ତର ମନ୍ତରରେ ଦ୍ବିତୀୟ ଆନ୍ଦୋଳନ ଆରମ୍ଭ କରିବାକୁ ଧମକ ଦେଇଛି। ପ୍ରଶ୍ନପତ୍ର ପ୍ରଘଟ ମାମଲାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଯନ୍ତର ମନ୍ତରରେ ଯେପରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ଏବେ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅନୁରୂପ ବିକ୍ଷୋଭ କରାଯିବ ବୋଲି ସିଜେପି ମୁଖ୍ୟ ଅଭିଜିତ୍ ଦୀପକେ କହିଛନ୍ତି। ସିଇସି ପଦରୁ ଜ୍ଞାନେଶଙ୍କୁ ଇସ୍ତଫା ଲାଗି ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ ସମୟ ଦେଇଛି ସିଜେପି। ଅକ୍ଟୋବର ୧୦ ସୁଦ୍ଧା ଜ୍ଞାନେଶ ଇସ୍ତଫା ନ ଦେଲେ ଯନ୍ତର ମନ୍ତରରେ ୨.୦ ବିକ୍ଷୋଭ ଆରମ୍ଭ ହେବ ବୋଲି ଅଭିଜିତ୍ ସୋସିଆଲ୍ ମିଡିଆ ‘ଏକ୍ସ’ରେ ପୋଷ୍ଟ କରି ଜଣାଇଛନ୍ତି। ପୋଷ୍ଟରେ ସେ ଲେଖିଛନ୍ତି ପୁଲିସ ଯଦି ଆମକୁ ଯନ୍ତର ମନ୍ତର ଯିବାକୁ ନଦିଏ ତେବେ ଆମକୁ ଯେଉଁଠାରେ ଅଟକାଯିବ ତାହା ଏକ ଯନ୍ତର ମନ୍ତର ପାଲଟିବ। ଜ୍ଞାନେଶଙ୍କ ଇସ୍ତଫା ଦାବିରେ ଯେଉଁ ବିକ୍ଷୋଭ ହେବ ତାହା ସମ୍ପୂର୍ଣ୍ଣ ରୂପେ ଶାନ୍ତିପୂର୍ଣ୍ଣ ଉପାୟରେ ହେବ। ଏହି ବିକ୍ଷୋଭର ନାମ ରଖାଯାଇଛି ‘ସେଭ୍ ଆୱାର ଡେମୋକ୍ରାସି’ (ଆମ ଗଣତନ୍ତ୍ର ସୁରକ୍ଷା)। ଜ୍ଞାନେଶଙ୍କ ଇସ୍ତଫା ଦାବିରେ ସିଜେପି ଶୁକ୍ରବାର ମୁମ୍ବଇର ଶିବାଜି ପାର୍କରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା। ଏହି ବିକ୍ଷୋଭରେ ହଜାର ହଜାର ସମର୍ଥକ ସାମିଲ ହୋଇଥିଲେ।

    ସିିଜେପିର ବିକ୍ଷୋଭକୁ କଂଗ୍ରେସ, ଶିବସେନା (ୟୁବିଟି), ଏମଏନ୍ଏସ୍ ସମର୍ଥନ କରିଥିଲା। ଏହା ସହିତ ଅନେକ ବଲିଉଡ୍ କଳାକାର ମଧ୍ୟ ସମର୍ଥନ କରିଥିଲେ। ଅନ୍ୟପଟେ ସିଜେପିର ଗତକାଲି ବିକ୍ଷୋଭ ବେଳେ ନାବାଳକଙ୍କୁ ସାମିଲ କରାଯାଇଥିବା ଅଭିଯୋଗ ହୋଇଛି। ଏଥିପାଇଁ ଜାତୀୟ ମାନବାଧିକାର କମିସନ (ଏନଏଚଆରସି) ପକ୍ଷରୁ ଶନିବାର ସିଜେପିକୁ ନୋଟିସ୍ ଜାରି କରାଯାଇଛି। ବିକ୍ଷୋଭକାରୀଙ୍କୁ ପୁଲିସ କାର୍ଯ୍ୟାନୁଷ୍ଠାନରୁ ସୁରକ୍ଷା ଦେବା ଲାଗି ସିଜେପି ବିକ୍ଷୋଭରେ ନାବାଳକଙ୍କୁ ସାମିଲ କରିଥିବା ଅଭିଯୋଗ ହୋଇଛି। ସେହିପରି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବିରୋଧୀ ଦଳଗୁଡିକ ପକ୍ଷରୁ ଶୁକ୍ରବାର ଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା। ଏହି ବିକ୍ଷୋଭକୁ ନେଇ ଦିଲ୍ଲୀ ପୁଲିସ ୩ଟି ମାମଲା ରୁଜୁ କରିଛି। ପାର୍ଲାମେଣ୍ଟ ଷ୍ଟ୍ରିଟ୍ ଥାନାରେ ୨ଟି ଓ କନ୍ନଟ ପ୍ଲେସ୍ ଥାନାରେ ଗୋଟିଏ ମାମଲା ରୁଜୁ ହୋଇଛି। ବିଏନ୍‌ଏସ୍‌ ଧାରା ୨୨୩ ଅନୁଯାୟୀ ଏହି ମାମଲା ରୁଜୁ ହୋଇଛି। ଏଥିରେ କୌଣସି ବ୍ୟକ୍ତି ବିଶେଷ କିମ୍ବା ସଂଗଠନକୁ ଅଭିଯୁକ୍ତ ଦର୍ଶାଯାଇ ନାହିଁ। ଶୁକ୍ରବାର ଦିଲ୍ଲୀର ହୋଇଥିବା ବିକ୍ଷୋଭରେ ଆମ୍ ଆଦମୀ ପାର୍ଟି (ଆପ୍), ଅଲ ଇଣ୍ଡିଆ ଷ୍ଟୁଡେଣ୍ଟସ୍ ଆସୋସିଏସନ୍ (ଏଆଇଏସ୍‌ଏ), ଷ୍ଟୁଡେଣ୍ଟସ୍ ଫେଡେରେସନ ଅଫ୍‌ ଇଣ୍ଡିଆ (ଏସ୍‌ଏଫ୍ଆଇ), ନ୍ୟାସନାଲ ଷ୍ଟୁଡେଣ୍ଟସ୍ ୟୁନିୟନ ଅଫ୍ ଇଣ୍ଡିଆ (ଏନ୍ଏସ୍‌ୟୁଆଇ), ଭାରତୀୟ ଯୁବ କଂଗ୍ରେସ ଓ ଅନ୍ୟାନ୍ୟ ସଂଗଠନ ସାମିଲ ହୋଇଥିଲେ। ପୁଲିସ ୧୦୦୦ରୁ ଅଧିକ ବିକ୍ଷୋଭକାରୀଙ୍କୁ ଅଟକ ରଖିଥିଲା। ଶନିବାର ମଧ୍ୟ ବାମ ଦଳଗୁଡିକ ପକ୍ଷରୁ ଜ୍ଞାନେଶଙ୍କ ଇସ୍ତଫା ଦାବିରେ ଦିଲ୍ଲୀରେ ବିକ୍ଷୋଭ କରାଯାଇଛି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook