Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

    Share on :
    ajab-Image
    Date: Dec 15, 2025    Views: 3575

    କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି ସବୁ ସମସ୍ୟାର ସବୁଠୁ ପ୍ରଭାବଶାଳୀ ସମାଧାନ ହେଉଛି ମଧ୍ୟସ୍ଥତା। ଏହାଦ୍ୱାରା ସହଜ, ସୁଲଭ ଓ ଦ୍ରୁତ ଗତିରେ ବିବାଦ ସମାଧାନ ସମ୍ଭବ। ମଧ୍ୟସ୍ଥତାରେ କେବଳ ମାମଲା କମେ ନାହିଁ; ସାମାଜିକ ସମ୍ପର୍କ ଓ ସାମାଜିକ ସମନ୍ୱୟ ମଧ୍ୟ ଦୃଢ଼ ହୁଏ। ମଧ୍ୟସ୍ଥତାକୁ ଗାଁ ଠାରୁ ସହର ପର୍ୟ୍ୟନ୍ତ ଏକ ଆନ୍ଦୋଳନ ଭାବେ ଆଗେଇ ନେବାକୁ ହେବ। ଗୋଷ୍ଠୀ ମଧ୍ୟସ୍ଥତା (କମ୍ୟୁନିଟି ମେଡିଏସନ) ଦ୍ୱାରା ଗ୍ରାମୀଣ ଅଞ୍ଚଳର ଛୋଟ ବିବାଦ ଆରମ୍ଭରୁ ସମାଧାନ ହୋଇପାରିବ। ନ୍ୟାୟ ସେତେବେଳେ ହିଁ ସଫଳ ହୁଏ, ଯେତେବେଳେ ମକଦ୍ଦମା ଅଦାଲତରେ ପହଞ୍ଚିବା ପୂର୍ବରୁ ହିଁ ସମାଧାନ ହୋଇଯାଇଥାଏ ବୋଲି ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ସୂର୍ୟ୍ୟକାନ୍ତ ମତବ୍ୟକ୍ତ କରିଛନ୍ତି।
    ରବିବାର ପୂର୍ବାହ୍ଣରେ ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନ୍‌‌ ପକ୍ଷରୁ ସହିଦ ଭବନଠାରେ ଅନୁଷ୍ଠିତ ‘ସାଧାରଣ ଲୋକ ପାଇଁ ନ୍ୟାୟ ସୁନିଶ୍ଚିତ : ମାମଲା ଖର୍ଚ୍ଚ ଏବଂ ବିଳମ୍ବ ହ୍ରାସ କରିବା ପାଇଁ ରଣନୀତି’ ବିଷୟ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଧାନ ବିଚାରପତି ସୂର୍ୟ୍ୟକାନ୍ତ ଏକ ଲୋକକଥାକୁ ଆଧାର କରି କହିଲେ ଯେ, କପଡ଼ାରେ ଛୋଟ ଛିଦ୍ର ପଡ଼ିଲେ ସମୟ ସହିତ ସେହି ଛିଦ୍ର ବଡ଼ ହୋଇ ଶକ୍ତ କପଡ଼ାକୁ ଯେଭଳି ଫଟାଇଦିଏ; ନ୍ୟାୟ ପ୍ରଣାଳୀରେ ସାମାନ୍ୟ ଦୁର୍ବଳତା ମଧ୍ୟ ସମଗ୍ର ବ୍ୟବସ୍ଥାକୁ ବିପଦରେ ପକାଇଥାଏ। ନ୍ୟାୟିକ ବ୍ୟବସ୍ଥାରେ ମାମଲାଗୁଡ଼ିକର ବୃଦ୍ଧି କେବଳ ଏକ ସଂଖ୍ୟା ନୁହେଁ, ବରଂ ଏହା ସମଗ୍ର ନ୍ୟାୟିକ ଢ଼ାଞ୍ଚାକୁ ପ୍ରଭାବିତ କରୁଥିବା ଏକ ଇକୋସିଷ୍ଟମ। ସୁପ୍ରିମକୋର୍ଟ ବିଚାରାଧୀନ ଥିବା ବିଭିନ୍ନ ଶ୍ରେଣୀର ମାମଲାକୁ ନିଷ୍ପତ୍ତିମୂଳକ ଭାବେ ସମାଧାନ କରିବା ପାଇଁ ଯୋଜନା କରୁଛନ୍ତି। ଏହାର ସକାରାତ୍ମକ ପ୍ରଭାବ ହାଇକୋର୍ଟ ଓ ଜିଲା କୋର୍ଟ ଉପରେ ପଡ଼ିବ। ନ୍ୟାୟପାଳିକାରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଉପଯୋଗ ଉପରେ ପ୍ରଧାନ ବିଚାରପତି କହିଲେ ଯେ, କୋଭିଡ୍‌‌ ସମୟରେ ଅନ୍ୟ ଦେଶର ନ୍ୟାୟାଳୟ ବନ୍ଦ ରହିଥିଲା ବେଳେ ଆମ ଦେଶରେ ଆଭାସିରେ ଅଦାଲତ (ଭର୍ଚୁଆଲ କୋର୍ଟ) ମାଧ୍ୟମରେ ଲୋକେ ନ୍ୟାୟ ପାଉଥିଲେ। ତେଣୁ ଏଆଇକୁ ଠିକ ଭାବେ ଉପଯୋଗ କଲେ ନ୍ୟାୟ ପ୍ରକ୍ରିୟା ତ୍ୱରିତ ହେବ।
    ଆଲୋଚନାଚକ୍ରରେ ମୁଖ୍ୟବକ୍ତା ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହରିଶ ଟଣ୍ଡନ କହିଲେ, ମଧ୍ୟସ୍ଥତା, ମାମଲା ପରିଚାଳନା, ଡିଜିଟାଲ ବ୍ୟବସ୍ଥା ଓ ଆଧୁନିକ ପ୍ରଯୁକ୍ତିକୁ ଠିକ ଭାବେ ବ୍ୟବହାର କଲେ ହିଁ ନ୍ୟାୟ ପ୍ରଣାଳୀରେ ଗୁଣାତ୍ମକ ପରିବର୍ତ୍ତନ ଆସିପାରିବ। ପ୍ରତ୍ୟେକ ମାମଲା ପାଇଁ ସ୍ପଷ୍ଟ ସମୟସୀମା, ନିର୍ଦିଷ୍ଟ ଶୁଣାଣି ତାରିଖ, ଅନାବଶ୍ୟକ ମୁଲତବୀ ରୋକିବା ଦ୍ୱାରା ବିଳମ୍ବକୁ ରୋକାଯାଇପାରିବ। ଆଇନଜୀବୀମାନେ ଯଦି ମାମଲାକାରୀଙ୍କୁ ମଧ୍ୟସ୍ଥତା ପାଇଁ ପରାମର୍ଶ ଦିଅନ୍ତି, ତେବେ ଏହା ସମାଜ ପ୍ରତି ସେମାନଙ୍କର ଏକ ବଡ଼ ସେବା ହେବ। ସମାନ ପ୍ରଶ୍ନର କେସ ଚିହ୍ନଟ, ପୁରୁଣା ରାୟ ଖୋଜିବା ଓ ରେଜିଷ୍ଟ୍ରିକୁ ସାହାଯ୍ୟ କରିବାରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଉପଯୋଗୀ ହୋଇପାରିବ ବୋଲି ସେ କହିଥିଲେ। ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ୟ୍ୟ ଏବଂ ଓଡ଼ିଶା ରାଜ୍ୟ ବାର୍‌‌ କାଉନସିଲ ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ୱିବେଦୀ ଲୋକେ କିଭଳି ତ୍ୱରିତ ନ୍ୟାୟ ପାଇପାରିବେ ସେ ସଂକ୍ରାନ୍ତରେ ମତ ଉପସ୍ଥାପନ କରିଥିଲେ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook