ମୁଖ୍ୟ ଖବର
କଟକ: କଟକ ଆସିବେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ । ସିଜେଆଇ ଭାବରେ ଶପଥ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ଓଡିଶା ଗସ୍ତରେ ଆସୁଛନ୍ତି ଚିଫ ଜଷ୍ଟିସ ଅଫ ଇଣ୍ଡିଆ। ଆସନ୍ତା ରବିବାର ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ କଟକ ସହିଦ ଭବନ ଠାରେଆୟୋଜିତ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଆଲୋଚନାଚକ୍ର Symposium କାର୍ଯ୍ୟକ୍ରମରେ ଯୋଗଦେବେ ସିଜେଆଇ ଜଷ୍ଟିସ ସୂର୍ଯ୍ୟକାନ୍ତ ।"ସାଧାରଣ ଲୋକଙ୍କ ପାଇଁ ନ୍ୟାୟ ସୁନିଶ୍ଚିତ କରିବା, ମାମଲା ଖର୍ଚ୍ଚ କମାଇବା ତଥା ବିଳମ୍ବ ପାଇଁ ରଣନୀତି ପ୍ରସ୍ତୁତି ବିଷୟ ଉପରେ ଉଦବୋଧନ ଦେବେ ପ୍ରଧାନ ବିଚାରପତି ।ଏହି କାର୍ଯ୍ୟକ୍ରମର ଅନ୍ୟତମ ମୁଖ୍ୟ ଆକର୍ଷଣ ହେଉଛି, ୫୦ ବର୍ଷରୁ ଅଧିକ ସମୟ ଧରି ଓକିଲାତି ବୃତ୍ତିରେ ନିୟୋଜିତ ଥିବା ବରିଷ୍ଠ ଆଇନଜୀବୀମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ।
ଏହା ବ୍ୟତୀତ, ସର୍ବଭାରତୀୟ ଜଜେସ୍ ବ୍ୟାଡମିଣ୍ଟନ୍ ଚାମ୍ପିଅନସିପ୍ ଟୁର୍ନାମେଣ୍ଟର ବିଜେତା ଓ ପ୍ରତିଯୋଗୀ ଏବଂ କଳା କ୍ଷେତ୍ରରେ ଅବଦାନ ପାଇଁ ଆଇନଜୀବୀ ସଞ୍ଜୟ କୁମାର ମହାପାତ୍ରଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବ । ଏହି କାର୍ଯ୍ୟକ୍ରମରେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନଙ୍କ ସମେତ ସମସ୍ତ ବିଚାରପତି ଓ ବରିଷ୍ଠ ଆଇନଜୀବୀ ପ୍ରମୁଖ ଯୋଗଦେବେ । ଏହି ପରିପ୍ରେକ୍ଷୀରେ, ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ସୂଚନା ଦେଇଛନ୍ତି ହାଇକୋର୍ଟ ବାର ସଭାପତି ମନୋଜ ମିଶ୍ର ।
ହାଇକୋର୍ଟ ବାର ସଭାପତି ମନୋଜ ମିଶ୍ର କହିଛନ୍ତି, 'ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ବାର ଆସୋସିଏସନର ଅନୁରୋଧ ରକ୍ଷା କରି ଓଡିଶା ଆସୁଛନ୍ତି । ସେ ରବିବାର ସକାଳ 10.30ରେ ସହିଦ ଭବନରେ ପହଞ୍ଚିବେ । ପ୍ରଧାନ ବିଚାରପତି ଭାବେ ପ୍ରଥମ ଥର ପାଇଁ ଓଡିଶା ଆସୁଛନ୍ତି । ସେ ସାଧାରଣ ଲୋକଙ୍କୁ ନ୍ୟାୟ ଦେବା ଉପରେ ସେ ଗୁରୁତ୍ୱ ଦିଅନ୍ତି । ତେଣୁ ତା ଉପରେ ଉଦବୋଧନ ଦେବେ । ଏହା ପରେ ସେ ହାଇକୋର୍ଟ ଯିବେ । ପ୍ରଧାନ ବିଚାରପତିଙ୍କର ଏହି ଗସ୍ତ ଓଡିଶା ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ ।'
Comments ସମସ୍ତ ମତାମତ