ମୁଖ୍ୟ ଖବର
ନୂଆଦିଲ୍ଲୀ : ଦୀର୍ଘ 7 ବର୍ଷ ପରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତ ଗସ୍ତରେ ଆସି ପହଞ୍ଚିଛନ୍ତି । ବ୍ରିକ୍ସ ବୈଠକରେ ସାମିଲ ହେବାକୁ ଆସିଥିବା ଜିନପିଙ୍ଗ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି । ଆଜି ସଂଧ୍ୟାରେ ହେବାକୁ ଥିବା ମୋଦି-ଜିନପିଙ୍ଗ ଭେଟ୍ ଘାଟ୍ ଦୁଇ ଦେଶ ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ ।ଚୀନ୍ର ସରକାରୀ ସମାଚାର ଏଜେନ୍ସି ଜିନହୁଆ ଅନୁଯାୟୀ, ଭାରତ ପକ୍ଷରୁ ମିଳିଥିବା ନିମନ୍ତ୍ରଣ କ୍ରମେ ଜିନପିଙ୍ଗ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବେ।ତାଙ୍କ ସହ ଚୀନ କମ୍ୟୁନିଷ୍ଟ ପାର୍ଟିର ବରିଷ୍ଠ ଅଧିକାରୀ କାଇ କ୍ୱି ଏବଂ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ମଧ୍ୟ ଆସିଛନ୍ତି ।
ଗ୍ଲୋବାଲ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଗତକାଲି (ଶୁକ୍ରବାର) ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଚୀନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାଓ ନିଙ୍ଗ୍ କହିଛନ୍ତି ବଜାର ଏବଂ ବିକାଶଶୀଳ ଦେଶମାନଙ୍କ ମଧ୍ୟରେ ଏକତା ଏବଂ ସହଯୋଗ ପାଇଁ ବ୍ରିକ୍ସ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ । ଚୀନ ବ୍ରିକ୍ସ ସହଯୋଗକୁ ବହୁତ ଗୁରୁତ୍ୱ ଦିଏ ଏବଂ ଏଥିରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବ । ରାଷ୍ଟ୍ରପତି ଜିନପିଙ୍ଗ ଶିଖର ସମ୍ମିଳନୀକୁ ସମ୍ବୋଧିତ କରିବେ । ସେ ଅନ୍ୟ ନେତାମାନଙ୍କ ସହିତ ବର୍ତ୍ତମାନର ଅନ୍ତର୍ଜାତୀୟ ପରିସ୍ଥିତି, ବ୍ରିକ୍ସ ବ୍ୟବସ୍ଥାର ବିକାଶ ଏବଂ ବ୍ୟବହାରିକ ସହଯୋଗକୁ ଗଭୀର କରିବା ଭଳି ପ୍ରମୁଖ ପ୍ରସଙ୍ଗ ଉପରେ ଗଭୀର ଆଲୋଚନା କରିବେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ହେବାକୁ ଥିବା ଦ୍ୱିପାକ୍ଷିକ ଆଲୋଚନା ଦୁଇ ଦେଶର ସମ୍ପର୍କକୁ ଆଗକୁ ବଢ଼ାଇବା ଏବଂ ବ୍ରିକ୍ସ ସହଯୋଗକୁ ନୂତନ ଗତି ଦେବାର ସୁଯୋଗ ପ୍ରଦାନ କରିବ ।
Comments ସମସ୍ତ ମତାମତ