Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ‘ଅପରେସନ ସିନ୍ଦୂର’ ପ୍ରସଙ୍ଗରେ ଚୀନର ସ୍ବୀକାର,ପାକିସ୍ତାନକୁ ସହଯୋଗ କରିଥିଲୁ

    Share on :
    ajab-Image
    Date: May 9, 2026    Views: 2938

    ବେଜିଂ: ପାକିସ୍ତାନ ବିରୋଧରେ ଭାରତର ସାମରିକ ଅଭିଯାନ ‘ଅପରେସନ ସିନ୍ଦୂର’ ସମୟରେ ଇସଲାମାବାଦକୁ ଚୀନ ସହଯୋଗ କରିଥିବା ନେଇ ବେଜିଂ ସ୍ବୀକାର କରିଛି। ଗୁରୁବାର ଅପରେସନ ସିନ୍ଦୂରର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଚୀନର ଆଭିଏସନ୍‌ ଇଣ୍ଡଷ୍ଟ୍ରି କର୍ପୋରେସନ (ଏଭିଆଇସି)ର ଇଞ୍ଜିନିୟର ଝାଙ୍ଗ ହେଙ୍ଗ ଏକ ସାକ୍ଷାତ୍‌କାରରେ କହିଛନ୍ତି ଯେ ଅପରେସନ ସିନ୍ଦୂର ସମୟରେ ପାକିସ୍ତାନକୁ ଚୀନ ବୈଷୟିକ ସହାୟତା ଯୋଗାଇ ଦେଇଥିଲା। ଝାଙ୍ଗ ହେଙ୍ଗଙ୍କ ସାକ୍ଷାତକାର ସମ୍ପର୍କିତ ରିପୋର୍ଟକୁ ଚୀନର ଖବରକାଗଜ ‘ସାଉଥ ଚୀନ ମର୍ଣ୍ଣିଂ ପୋଷ୍ଟ’ ପ୍ରକାଶ କରିଛି। ଝାଙ୍ଗ୍ କହିଛନ୍ତି ଯେ, ଗତ ବର୍ଷ ମେ’ ମାସରେ ଚାରି ଦିନ ଧରି ଚାଲିଥିବା ଯୁଦ୍ଧ ସମୟରେ ସେ ଏବଂ ତାଙ୍କ ଟିମ୍ ପାକିସ୍ତାନରେ ରହି ବୈଷୟିକ ସହାୟତା ଯୋଗାଉଥିଲେ। ପାକିସ୍ତାନ ବ୍ୟବହାର କରୁଥିବା ଚୀନ୍ ନିର୍ମିତ ଜେ-୧୦ସିଇ ଯୁଦ୍ଧ ବିମାନ ଯେପରି ସମ୍ପୂର୍ଣ୍ଣ କ୍ଷମତାର ସହ କାମ କରିବ, ତାହା ନିଶ୍ଚିତ କରିବା ଏହି ଟିମର ମୁଖ୍ୟ କାମ ଥିଲା। ଭାରତ ପୂର୍ବରୁ ଚୀନର ସହାୟତା ନେଇ ସନ୍ଦେହ କରୁଥିଲା; କିନ୍ତୁ ଚୀନ୍ ଏବେ ନିଜେ ସ୍ୱୀକାର କରିଛି ଯେ ସେମାନଙ୍କର ଇଞ୍ଜିନିୟରମାନେ ଯୁଦ୍ଧ ସମୟରେ ପାକିସ୍ତାନ ବିମାନଘାଟିରେ ଉପସ୍ଥିତ ଥିଲେ। ଝାଙ୍ଗ କହିଛନ୍ତି ଯେ ଯୁଦ୍ଧ ସମୟରେ ସେଠାରେ ପ୍ରାୟ ୫୦ ଡିଗ୍ରୀ ସେଲସିୟସ ତାପମାତ୍ରା ଥିଲା। ଆମେ ସବୁବେଳେ ସାଇରନ୍ ଏବଂ ଫାଇଟର ଜେଟର ଗର୍ଜନ ଶୁଣୁଥିଲୁ। ଏହା ଆମ ପାଇଁ ଶାରୀରିକ ଓ ମାନସିକ ସ୍ତରରେ ଏକ ବଡ଼ ପରୀକ୍ଷା ଥିଲା। ଝାଙ୍ଗଙ୍କ ଏହି ସ୍ୱୀକାରୋକ୍ତି ଭାରତ ଏବଂ ଚୀନ ମଧ୍ୟରେ ଥିବା କୂଟନୈତିକ ସମ୍ପର୍କକୁ ଆହୁରି ଜଟିଳ କରିପାରେ। ଭାରତ ପୂର୍ବରୁ କହିଆସୁଛି ଯେ ପାକିସ୍ତାନକୁ ଚୀନ ସାମରିକ ସହାୟତା ଦେବା ଦ୍ୱାରା ଅଞ୍ଚଳରେ ଅଶାନ୍ତି ସୃଷ୍ଟି ହେଉଛି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook