Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଅତିଶୟ କମ ଓଜନ ଶିଶୁଙ୍କ ଦୈନିକ ଖାଦ୍ୟ ଖର୍ଚ୍ଚ ୮ ଟଙ୍କା ରୁ ୧୮ ଟଙ୍କାକୁ ବୃଦ୍ଧି

    Share on :
    ajab-Image
    Date: Jun 3, 2026    Views: 2717

     ଅଙ୍ଗନୱାଡ଼ି ପ୍ରାକ୍ ବିଦ୍ୟାଳୟ ଶିଶୁଙ୍କ ସକାଳ ଜଳଖିଆ: ମୁଣ୍ଡ ପିଛା ଦୈନିକ ୩.୫୬ ଟଙ୍କାକୁ ବୃଦ୍ଧି; ୧୩୭.୫୭ କୋଟି ଟଙ୍କାର ଅତିରିକ୍ତ ଖର୍ଚ୍ଚ ଅନୁମୋଦିତ

    ଭୁବନେଶ୍ୱର, ୨ ଜୁନ୍ :  ଆଜି ମହିଳା ଓ ଶିଶୁ ବିକାଶ ବିଭାଗର ସମ୍ମିଳନୀ କକ୍ଷରେ ଉପ-ମୁଖ୍ୟମନ୍ତ୍ରୀ ତଥା ବିଭାଗୀୟ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଶିଶୁ ଜୀବନର ପ୍ରଥମ ୧୦୦୦ ଦିନର ଗୁରୁତ୍ୱକୁ ବୁଝାଉଥିବା ଏକ ସରଳ 'ଡିଜିଟାଲ ବହି'ର ଉନ୍ମୋଚନ କରିଛନ୍ତି। ଏହା ସହିତ ଅତିଶୟ କମ୍ ଓଜନ ଥିବା ଶିଶୁ ଏବଂ ଅଙ୍ଗନୱାଡ଼ି ପ୍ରାକ୍ ବିଦ୍ୟାଳୟ ଶିଶୁଙ୍କ ସକାଳ ଜଳଖିଆ ବାବଦ ଖର୍ଚ୍ଚକୁ ସରକାରଙ୍କ ପକ୍ଷରୁ ବର୍ଦ୍ଧିତ କରିଚ୍ଛନ୍ତି। 

    ରାଜ୍ୟର ୬ ମାସରୁ ୬ ବର୍ଷ ବୟସର ଅତିଶୟ କମ୍ ଓଜନ ଥିବା ଶିଶୁମାନଙ୍କୁ ପ୍ରଦାନ କରାଯାଉଥିବା ପରିପୂରକ ପୁଷ୍ଟି ଖାଦ୍ୟର ଦୈନିକ ଖର୍ଚ୍ଚକୁ ୮ ଟଙ୍କାରୁ ୧୨ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହା ସହିତ 'ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା' ଅଧୀନରେ ଅତିରିକ୍ତ ୬ ଟଙ୍କା ପ୍ରଦାନ କରାଯାଉଛି। ଫଳସ୍ୱରୂପ, ବର୍ତ୍ତମାନ ଏହି ଶିଶୁମାନଙ୍କୁ ପ୍ରତିଦିନ ସର୍ବମୋଟ ୧୮ ଟଙ୍କାର ଖାଦ୍ୟ ଯୋଗାଇ ଦିଆଯିବ। ରାଜ୍ୟର ପ୍ରାୟ ୩୫,୦୦୦ ଅତିଶୟ କମ୍ ଓଜନର ଶିଶୁ ଏହି ସୁବିଧାର ସିଧାସଳଖ ଲାଭ ପାଇବେ ଏବଂ ଏଥିପାଇଁ ରାଜ୍ୟ ସରକାର ବାର୍ଷିକ ପ୍ରାୟ ୧୦.୭ କୋଟି ଟଙ୍କାର ଅତିରିକ୍ତ ବ୍ୟୟଭାର ବହନ କରିବେ।

    ଅନୁରୂପ ଭାବେ, ଅଙ୍ଗନୱାଡ଼ି କେନ୍ଦ୍ରର ପ୍ରାକ୍-ବିଦ୍ୟାଳୟ ଶିଶୁ (୩ ବର୍ଷରୁ ୬ ବର୍ଷ ବୟସ)ମାନଙ୍କ ସକାଳ ଜଳଖିଆ ବାବଦକୁ ଦୈନିକ ଖର୍ଚ୍ଚ ୧.୨୪ ଟଙ୍କାକୁ ବୃଦ୍ଧି କରାଯାଇ ୩.୫୬ ଟଙ୍କା କରାଯାଇଛି। ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ଏହି ସକାଳ ଜଳଖିଆ ବାବଦକୁ ସରକାର ନିଜସ୍ୱ ବଜେଟ୍‌ରୁ ବାର୍ଷିକ ପ୍ରାୟ ୧୨୬.୮୩ କୋଟି ଟଙ୍କା  ଅତିରିକ୍ତ ବ୍ୟୟଭାର ବହନ କରିବେ।

    ମାନ୍ୟବର ମନ୍ତ୍ରୀ ପ୍ରକାଶ କରିଛନ୍ତି ଯେ, ଶିଶୁର ସାମଗ୍ରିକ ବିକାଶ ପାଇଁ ଜୀବନର ପ୍ରଥମ ୧୦୦୦ ଦିନ (ଗର୍ଭ ସଂଚାର ଠାରୁ ଆରମ୍ଭ କରି ଶିଶୁର ଦ୍ୱିତୀୟ ଜନ୍ମଦିନ ପର୍ଯ୍ୟନ୍ତ) ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ । ଏହି ସମୟର  ଗୁରୁତ୍ଵକୁ ପ୍ରାଧାନ୍ଯ ଦିଆଯାଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏହି ବହିରେ ଓଡ଼ିଆ ଭାଷାରେ ଅତି ସରଳ ଭାବରେ ଜୀବନର ପ୍ରଥମ ୧୦୦୦ ଦିନର ପ୍ରତିଟି ସ୍ତର ଏବଂ ତାର ଯତ୍ନ ବିଷୟରେ ବୁଝାଇ ଦିଆଯାଇଛି। ଅଙ୍ଗନବାଡି ଦିଦିମାନେ ନିଜର ଗୃହ ପରିଦର୍ଶନ ସମୟରେ ଏହି ବହି ଟିକୁ ବ୍ୟବହାର କରି ହିତାଧିକାରୀମାନଙ୍କୁ ସଚେତନ କରିବେ। ଏଥି ସହିତ ସମସ୍ତ ହିତାଧିକାରୀଙ୍କ ପାଖରେ ଏହି ଡିଜିଟାଲ ବହିଟିକୁ ରାଜ୍ଯର ସମସ୍ତ ଅଙ୍ଗନବାଡି କର୍ମୀଙ୍କ ମାଧ୍ୟମରେ ଓ ସୋସିଆଲ ମେଡିଆ ଦ୍ଵାରା ପହଞ୍ଚାଇବା ପାଇଁ ପ୍ରୟାସ କରାଯାଇଛି। 

    Maximum 500 characters

    ତାଜା ଖବର View all

    Find Us on Facebook