ମୁଖ୍ୟ ଖବର
ଭୁବନେଶ୍ବର: ଧର୍ମ ମାସ କାର୍ତ୍ତିକ ସରିଥିବା ବେଳେ ରାତି ପାହିଲେ ଛାଡ଼ଖାଇ। କିନ୍ତୁ ମଙ୍ଗଳବାରେ ଛାଡ଼ଖାଇ ପଡ଼ୁଥିବାରୁ ଆମିଷ ବେପାର ଟିକେ ଫିକା ପଡ଼ିବ ବୋଲି ଆଶା କରାଯାଉଛି। ତଥାପି ଆମିଷ ବେପାରୀ ସଜବାଜ ଆରମ୍ଭ କରିଦେଲେଣି। ରାଜଧାନୀକୁ ଛେଳି, କୁକୁଡ଼ା, ମାଛ, କଙ୍କଡ଼ା ଆସିଲେଣି। କିଛି ଲୋକ ପୁଣି ୨୪ ଘଣ୍ଟା ପରେ ବୁଧବାର ଆମିଷ ଖାଇବା ପାଇଁ ବରାଦ ମଧ୍ୟ ଆରମ୍ଭ କରିସାରିଲେଣି। ଏଥର ଛାଡ଼ଖାଇ ମଙ୍ଗଳବାର ପଡ଼ୁଥିବାରୁ ମଙ୍ଗଳ ଓ ବୁଧବାର ଦୁଇ ଦିନ ଛାଡ଼ଖାଇ ସାରା ରାଜଧାନୀରେ ଧୁମଧାମ୍ରେ ପାଳନ ହେବାକୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି।
ଆମିଷ ବଜାରର ସୂଚନା ମୁତାବକ, ଏଥର ଛାଡ଼ଖାଇରେ ମାଛର ଚାହିଦା ବେଶି ରହିବ। ପାଖାପାଖି ଦେଢ଼ କୋଟିରୁ ଊର୍ଦ୍ଧ୍ବ ଟଙ୍କାର କେବଳ ମାଛ, ଚିଙ୍ଗୁଡ଼ି, କଙ୍କଡ଼ା ବିକ୍ରି ହେବ ବୋଲି ମାଛ ବେପାରୀ ଆଶାବାଦୀ ରହିଛନ୍ତି। ସେହିଭଳି ରାଜଧାନୀରେ ୨ ହଜାର କେଜି ଛେଳି ମାଂସ ଓ ୫୦ କୁଇଣ୍ଟାଲ କୁକୁଡ଼ା ମାଂସ ବିକ୍ରି ହେବ ବୋଲି ଆକଳନ କରାଯାଇଛି। ଅଲ୍ ଓଡ଼ିଶା ନନ୍ଭେଜ୍ ଟ୍ରେଡସ୍ ଫେଡେରେସନ୍ର ରାଜ୍ୟ ସଭାପତି ଶେଖ୍ ମୁନ୍ତାକିମ୍ ବକ୍ସ କହିଛନ୍ତି, ଛାଡ଼ଖାଇ ହେଉଛି ଆମିଷ ବେପାରୀଙ୍କ ବେପାରର ମହାପର୍ବ। ଆସନ୍ତାକାଲି ଛାଡ଼ଖାଇରେ ମଟନ ବିକ୍ରି କମିବ। ପ୍ରତିବର୍ଷ ଛାଡ଼ଖାଇରେ ୪ କୋଟି ଟଙ୍କାର ମଟନ ବିକ୍ରି ହେଉଥିବା ବେଳେ ଏବର୍ଷ ମଙ୍ଗଳବାର କାରଣରୁ ମଟନ ବିକ୍ରି ୨ରୁ ୩ କୋଟି ଟଙ୍କା ମଧ୍ୟରେ ରହିବ। ମଙ୍ଗଳବାର କିନ୍ତୁ ବଣଭୋଜି, ହୋଟେଲ ମେନ୍ୟୁ ଓ ଘରେ ଘରେ ମଟନ ହେବାର ଆଶା କରାଯାଉଛି। ଏଣୁ ବୁଧବାର ଅଧିକ ମଟନ ବିକ୍ରି ହେବ ବୋଲି ସେ କହିଛନ୍ତି।
Comments ସମସ୍ତ ମତାମତ