ମୁଖ୍ୟ ଖବର
ଷ୍ଟାଭେଞ୍ଜର(ନର୍ଓ୍ବେ): ନରୱେ ଚେସ୍ ଟୁର୍ଣ୍ଣାମେଣ୍ଟରେ ବିଶ୍ୱ ଚମ୍ପିଆନ ଭାରତର ଡି ଗୁକେଶ ଅଭିଜ୍ଞ ଚେସ୍ ଖେଳାଳି ମ୍ୟାଗନସ୍ କାର୍ଲସେନଙ୍କୁ ପରାସ୍ତ କରି ଏକ ବଡ଼ ବିଜୟ ହାସଲ କରିଛନ୍ତି। ଏହି ବିଜୟରେ ଗୁକେଶ ବହୁତ ଖୁସି ଦେଖାଯାଉଥିଲେ, କିନ୍ତୁ କାର୍ଲସେନ ନିଜର ମାନସିକ ଭାରସାମ୍ୟ ହରାଇ ବସିଥିଲେ। ସେ ନିଜ ଦେଶରେ ଗୁକେଶଙ୍କଠାରୁ ପରାଜୟକୁ ସହ୍ୟ କରିପାରିଲେ ନାହିଁ। ପରାଜୟ ପରେ କାର୍ଲସେନ ଚେସ୍ ବୋର୍ଡ ରଖାଯାଇଥିବା ଟେବୁଲ ଉପରେ ତାଙ୍କ ହାତକୁ ଜୋରରେ ପିଟିଥିଲେ। ସେ ହାତ ପିଟିବା ଦ୍ଵାରା ପୂରା ଚେସ୍ ବୋର୍ଡ ଥରି ଉଠିଥିଲା।
ଏହାପରେ କାର୍ଲସେନ ତାଙ୍କ ଚୌକିରୁ ଉଠି ନିଜର କ୍ରୋଧ ପ୍ରକାଶ କରିଥିଲେ ଏବଂ ପରେ ଗୁକେଶଙ୍କୁ କ୍ଷମା ମାଗି ଚେସ୍ ବୋର୍ଡ ନିକଟକୁ ଆସିଥିଲେ। ତା’ପରେ ସେ ଚେସ୍ର ଗୋଟିଗୁଡ଼ିକୁ ସଜାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ନିରାଶାରେ ସେ ସେଗୁଡ଼ିକୁ ମଧ୍ୟ ଫୋପାଡ଼ି ଦେଇଥିଲେ। ଅନ୍ୟପକ୍ଷରେ ଗୁକେଶ ତାଙ୍କ ବିଜୟ ପରେ ନୀରବରେ ଉତ୍ସବ ପାଳନ କରିଥିଲେ। ସେ ବିଶ୍ୱାସ କରିପାରିନଥିଲେ ଯେ ତାଙ୍କ ପରିଶ୍ରମ ସଫଳ ହୋଇଛି। କିଛି ସମୟ ପରେ କାର୍ଲସେନ ଶୀଘ୍ର ହଲ୍ ବାହାରକୁ ଚାଲିଗଲେ। ସେ ଗୁକେଶଙ୍କ ପିଠି ମଧ୍ୟ ଥାପୁଡ଼ାଇଥିଲେ। ଏହାର ଭିଡିଓ ସାମ୍ନାକୁ ଆସିଛି। ସେଠାରେ ଉପସ୍ଥିତ ସବୁ ଲୋକମାନେ ଗୁକେଶଙ୍କ ପାଇଁ ତାଳି ବଜାଇଥିଲେ।
ସୂଚନାଯୋଗ୍ୟ, ନରୱେ ଚେସ୍ ଟୁର୍ଣ୍ଣାମେଣ୍ଟର ୨୦୨୫ ସଂସ୍କରଣ ଷ୍ଟାଭେଞ୍ଜରରେ ମେ’ ୨୬ରୁ ଆରମ୍ଭ ହୋଇଛି, ଯାହା ଜୁନ୍ ୬ ପର୍ୟ୍ୟନ୍ତ ଚାଲିବ।
Comments ସମସ୍ତ ମତାମତ