ମୁଖ୍ୟ ଖବର
ରେଢ଼ାଖୋଲ: ଶିଶୁ ଦେଶର ଭବିଷ୍ୟତ । ଛୋଟପିଲାଙ୍କ ପାଇଁ ସରକାରଙ୍କର ରହିଛି ବହୁ ସାହାର୍ଯ୍ୟ ଓ ସହଯୋଗ । ଛୋଟ ଶିଶୁ ଓ ଗର୍ଭବତୀ ମହିଳାଙ୍କ ପାଇଁ ସରକାରେଙ୍କ ତରଫରୁ ରହିଛି ମାଗଣା ଅଣ୍ଡା ଛତୁଆର ଯୋଜନା । ହେଲେ ସେହି ପୁଷ୍ଟକର ଖାଦ୍ୟକୁ ନେଇ ଉଠିଛି ବିବାଦ । କାରଣ ଛତୁଆରେ ଫିମ୍ପି ଲାଗି ଯାଇଥିବା ବେଳେ ଲଡୁରୁ ବାହାରୁଛି ଦୁର୍ଗନ୍ଧ । ସମ୍ବଲପୁର ଯୁଯୁମରା ବ୍ଲକ ସମ୍ମିଳନୀ କକ୍ଷରେ ଏହିପରି ଫିମ୍ପିମରା ଛତୁଆ ଓ ବାଦାମ ଲଡୁ ଅଫିସରଙ୍କୁ ଖାଇବାକୁ ଦେଇ ସେମାନଙ୍କ ଉପରେ ବର୍ଷିଛନ୍ତି ସମିତିସଭ୍ୟ । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ସମ୍ବଲପୁର ଯୁଯୁମରା ବ୍ଲକ ସମ୍ମିଳନୀ କକ୍ଷରେ ଚାଲିଥିବା ବୈଠକରେ ବିଡିଓ, ସିଡିପିଓ ଏବଂ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ । ଏହି ବୈଠକରେ ସମିତି ସଭ୍ୟ ଜୟନ୍ତ ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ । ନିମ୍ନମାନର ଛତୁଆ ଓ ଲଡୁ ପିଲା ତଥା ଗର୍ଭବତୀଙ୍କ ଦିଆଯାଉଥିବା ନେଇ ଜୟନ୍ତ ପୂର୍ବରୁ ଅଭିଯୋଗ କରିଥିଲେ ବି ଏଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା । ଏହାକୁ ନେଇ ବୈଠକରେ ସେ ତାତିଥିଲେ ।
ନିଜ ସହ ଆଣିଥିବା ଏକ ଛତୁଆ ପ୍ୟାକେଟକୁ ସେ ବୈଠକରେ ସମସ୍ତ ଅଧିକାରୀଙ୍କ ସାମ୍ନାରେ ଖୋଲି ପାଣି ପକାଇ ଗୋଳାଇଥିଲେ । ଏହାପରେ ଉକ୍ତ ଛତୁଆକୁ ସେ ସମସ୍ତଙ୍କୁ ଖାଇବାକୁ ଦେଇଥିବା ବେଳେ ଅଫିସରମାନେ କିନ୍ତୁ ମୁହଁ ମୋଡି ଦେଇଥିଲେ । ସେହିପରି ବାଦାମ ଲଡୁକୁ ମଧ୍ୟ ସେ ସମସ୍ତଙ୍କୁ ଦେଇଥିବା ବେଳେ କିଏ ବାଧ୍ୟରେ ଗୋଟିଏ ଧରିଲା ତ କିଏ ଡାଇବେଟିସ ବାହାନାରେ ଖସିଗଲା । ଯେଉଁ ଫିମ୍ପିମରା ଲଡୁ ଓ ଦୁର୍ଗନ୍ଧ ବାହାରୁଥିବା ଛତୁଆକୁ ତୁମେ ଖାଇପାରୁନ ତାକୁ କୁନି କୁନି ପିଲା ତଥା ଗର୍ଭବତୀ କିପରି ଖାଇବେ ବୋଲି ସେ ପ୍ରଶ୍ନ କରିଥିଲେ । ଏହାକୁ ଖାଇବାକୁ ଦେଇ ଆମେ ପିଲାକୁ ପୁଷ୍ଟିକର ଆହାର ଯୋଗାଇବା ନା ମରଣ ମୁହଁକୁ ଠେଲିବା ବୋଲି କହିଥିଲେ ।
ଯୁଯୁମୁରା ବ୍ଲକ ,ଗରଗଡବାହାଲ ପଞ୍ଚାୟତର ହରପ୍ରିୟା ସ୍ୱୟଂସହାୟକ ଦଳ ଏହି ଛତୁଆ ଯୋଗଣ ଦାୟିତ୍ୱ ନେଇଥିବା ଜଣାଯାଇଛି । ପ୍ୟାକେଟରେ କୌଣସି ପ୍ୟାକିଙ୍ଗ ତାରିଖ ନ ରହିବା ସହ ନିମ୍ନମାନର ଖାଦ୍ୟ ପ୍ରସ୍ତୁତ ହୋଇଥିବା ନେଇ ସମିତି ବୈଠକରେ ଦୁଇଦୁଇ ଥର ଅଭିଯୋଗ କରିଥିଲା । ଏପରି ଭିଡିଓ ଭାଇରାଲ ହେବା ପରେ ସମସ୍ତେ ସମିତି ସଭ୍ୟଙ୍କ ପ୍ରଶଂସା କରିଥିବା ବେଳେ ଏହି ଘଟଣାକୁ ନେଇ କୌଣସି ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି ।
Comments ସମସ୍ତ ମତାମତ