ମୁଖ୍ୟ ଖବର
ଭୁବନେଶ୍ୱର: ରାଜଧାନୀର ହାଇ-ସିକ୍ୟୁରିଟି ଜୋନରେ ଥିବା ଜୟଦେବ ଭବନ ପରିସରରୁ ଦୁର୍ବୃତ୍ତ ଏକ ଚନ୍ଦନ ଗଛ କାଟି ନେଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଏଭଳି ସ୍ଥାନରୁ ମୂଲ୍ୟବାନ ଚନ୍ଦନ ଗଛ ଚୋରି ଘଟଣା ରାଜଧାନୀର ଆଇନଶୃଙ୍ଖଳା ଉପରେ ପ୍ରଶ୍ନବାଚୀ ଉଠାଇଛି ।ମିଳିଥିବା ସୂଚନା ମୁତାବକ, ଶନିବାର ବିଳମ୍ବିତ ରାତିରେ ଜୟଦେବ ଭବନ ପରିସର ଶୂନଶାନ ଥିବାର ସୁଯୋଗ ନେଇ କିଛି ଦୁର୍ବୁତ୍ତ ଭିତରକୁ ପ୍ରବେଶ କରିଥିଲେ । ସେମାନେ ଚତୁରତାର ସହ ସେଠାରେ ଥିବା ଚନ୍ଦନ ଗଛକୁ କାଟି ସାଙ୍ଗରେ ନେଇ ଯାଇଛନ୍ତି । ରବିବାର ସକାଳେ କର୍ମଚାରୀମାନେ ଆସିବା ପରେ ଗଛଟି କଟା ହୋଇ ଗଣ୍ଡି ଚୋରି ହୋଇଥିବା ବେଳେ ଡାଳ ସବୁ ପଡ଼ିଥିବା ଦେଖିବାକୁ ପାଇଥିଲେ । ଜୟଦେବ ଭବନ ପରିସରରୁ ମୂଲ୍ୟବାନ ଚନ୍ଦନ ଗଛ ଚୋରି ଘଟଣା ଖବର ପ୍ରଚାରିତ ହେବାପରେ ସେଠାରେ ଲୋକଙ୍କ ଭିଡ଼ ଜମିଥିଲା ।ଜୟଦେବ ଭବନ କର୍ମଚାରୀମାନଙ୍କ କହିବା ଅନୁସାରେ, ଯେଉଁ ସ୍ଥାନରୁ ଗଛଟି କଟାଯାଇଛି, ତା' ନିକଟରେ କୌଣସି ସିସି କ୍ୟାମେରା ଲାଗିନାହିଁ । ଏହାର ଫାଇଦା ଉଠାଇ ଚୋରମାନେ ସହଜରେ କାଣ୍ଡ ଘଟାଇ ଖସିଯିବାରେ ସଫଳ ହୋଇଛନ୍ତି । ଘଟଣା ସମ୍ପର୍କରେ ଅଭିଯୋଗ ପାଇବା ପରେ କ୍ୟାପିଟାଲ ଥାନା ପୁଲିସ ଜୟଦେବ ଭବନ ପରିସରରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି । ଆଖପାଖ ଅଞ୍ଚଳରେ ଲାଗିଥିବା ଅନ୍ୟ ସିସି କ୍ୟାମେରାର ଫୁଟେଜ୍କୁ ଆଧାର କରି ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରିବାକୁ ପୁଲିସ ଚେଷ୍ଟା ଚଳାଇଛି । ତେବେ ଏତେ ସୁରକ୍ଷା ବଳୟ ଭିତରେ ଚୋରମାନେ କେମିତି ଜୟଦେବ ଭବନ ପରିସରରେ ପଶିଲେ ଏବଂ ମୂଲ୍ୟବାନ ଚନ୍ଦନ ଗଛ କାଟି ନେଇଗଲେ, ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ । ଭୁବନେଶ୍ୱରର ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପ୍ରେକ୍ଷାଳୟ ପରିସରରୁ ଚନ୍ଦନ ଗଛ ଚୋରି ହେବା ଘଟଣା ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି ।
Comments ସମସ୍ତ ମତାମତ