ମୁଖ୍ୟ ଖବର
ନୂଆଦିଲ୍ଲୀ: ଦେଶରେ ଜାରି ରହିଥିବା ଜନଗଣନା ମଧ୍ୟରେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଶୁକ୍ରବାର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଘୋଷଣା କରିଛନ୍ତି ଯେ, ପଶ୍ଚିମବଙ୍ଗରେ ଜନଗଣନା ଅଗଷ୍ଟ ୧ ରୁ ଆରମ୍ଭ ହେବ ଏବଂ ଆସନ୍ତା ବର୍ଷ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ। ସେ ସ୍ପଷ୍ଟ କରିଛନ୍ତି ଯେ, ଜନଗଣନାର ରାଜନୀତି ସହିତ କୌଣସି ସମ୍ପର୍କ ନାହିଁ ଏବଂ ରାଜ୍ୟବାସୀଙ୍କୁ ସାମିଲ ହେବାକୁ ସେ ନିବେଦନ କରିଛନ୍ତି ।ଶୁକ୍ରବାର ଶୁଭେନ୍ଦୁ ଅଧିକାରୀ ରାଜ୍ୟ ସଚିବାଳୟ ନବାନ୍ନାରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ସମ୍ପର୍କିତ ଏକ ବୈଠକରେ ଯୋଗ ଦେଇଥିଲେ। ଏହି ବୈଠକ ପରେ, ସେ ବଙ୍ଗଳାରେ ଆଗାମୀ ଜନଗଣନା ବିଷୟରେ ସୂଚନା ପ୍ରଦାନ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ରାଜ୍ୟ ବିଧାନସଭା ନିର୍ବାଚନରେ ବିଜେପି ପ୍ରଥମ ଥର ପାଇଁ ସରକାର ଗଠନ କରିଛି ଏବଂ ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଶୁଭେନ୍ଦୁ ଅଧିକାରୀ ସମ୍ପ୍ରତି ଅନୁପ୍ରବେଶକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଆଉ ଏବେ ଅଧିକାରୀ ଜନଗଣନା ଘୋଷଣା କରିଛନ୍ତି।
ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ, ଜନଗଣନା ୧ ଅଗଷ୍ଟ, ୨୦୨୬ ରୁ ଆରମ୍ଭ ହେବ ଏବଂ ୨୦୨୭ ଫେବୃଆରୀ ଶେଷ ଦିନ ମଧ୍ୟରାତ୍ରି ୧୨ ଟା ପର୍ଯ୍ୟନ୍ତ ଚାଲିବ। ସେ ଜୋର ଦେଇ କହିଛନ୍ତି ଯେ, ଏହି ଜନଗଣନାର କୌଣସି ରାଜନୈତିକ ସମ୍ପର୍କ ନାହିଁ। ସେ କହିଛନ୍ତି ଯେ ଦେଶର ଅନେକ ରାଜ୍ୟରେ ଜନଗଣନା କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଥିବା ବେଳେ, ପଶ୍ଚିମବଙ୍ଗ ପଛରେ ପଡ଼ିଯାଇଛି।
ସୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ, ବଙ୍ଗଳାର କିଛି ଅଞ୍ଚଳରେ ବଦଳୁଥିବା ଜନସଂଖ୍ୟା ଗଠନ ଦେଶ ପାଇଁ ଚିନ୍ତାର କାରଣ ହୋଇଛି। ସେ ଦାବି କରିଛନ୍ତି ଯେ, ବାଂଲାଦେଶରୁ ଆସିଥିବା ଅବୈଧ ଅନୁପ୍ରବେଶକାରୀ ମାନେ ଏଥିପାଇଁ ସମ୍ପୂର୍ଣ୍ଣ ଦାୟୀ। ଅନୁପ୍ରବେଶକାରୀ ମାନଙ୍କୁ ବିତାଡ଼ିତ କରିବା ପାଇଁ କାର୍ଯ୍ୟ ଚାଲିଛି। ମୁଖ୍ୟମନ୍ତ୍ରୀ ଅଧିକାରୀ କହିଛନ୍ତି ଯେ ବାଂଲାଦେଶ ସହିତ ପଶ୍ଚିମବଙ୍ଗର ପ୍ରାୟ ୬୦୦ କିଲୋମିଟର ଲମ୍ବା ସୀମା ଏପର୍ଯ୍ୟନ୍ତ ବାଡ଼ ଦିଆଯାଇନାହିଁ। ପୂର୍ବ ସରକାର ବିଏସଏଫକୁ ଜମି ଯୋଗାଇ ନଥିଲେ, ଯାହା କାରଣରୁ ଏହି କାମ ଅଟକି ରହିଛି ।
ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ ଭବିଷ୍ୟତର ସରକାରୀ କାର୍ଯ୍ୟ ଏବଂ ଯୋଜନା ପାଇଁ ଜନଗଣନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେ କହିଛନ୍ତି ଯେ ସଠିକ୍ ତଥ୍ୟ ଜାଣିବା ଦ୍ୱାରା ସଠିକ୍ ଭାବରେ କାମ କରିବା ସହଜ ହୋଇଥାଏ। ସମସ୍ତ ସରକାରୀ କାର୍ଯ୍ୟ ଲୋକଙ୍କ ପାଖରେ ସହଜରେ ପହଞ୍ଚି ପାରିବ। ମୁଖ୍ୟମନ୍ତ୍ରୀ ପଶ୍ଚିମବଙ୍ଗର ଲୋକ ମାନଙ୍କୁ ଜନଗଣନାରେ ଅଂଶଗ୍ରହଣ କରିବାକୁ ନିବେଦନ କରିଛନ୍ତି ।
Comments ସମସ୍ତ ମତାମତ