ମୁଖ୍ୟ ଖବର
ନୂଆଦିଲ୍ଲୀ; ନୂଆଦିଲ୍ଲୀର କନଷ୍ଟିଚ୍ୟୁସନ କ୍ଲବରେ ଆସନ୍ତା ୩୦ ତାରିଖରେ ଇଣ୍ଡିଆ ବ୍ଲକର ଏକ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକରେ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କୁ ହଟାଇବା ଲାଗି ଚୂଡାନ୍ତ ରଣନୀତି ପ୍ରସ୍ତୁତ କରାଯିବ । ବୈଠକରେ ମହାଭିଯୋଗ ପ୍ରସ୍ତାବରେ ସ୍ୱାକ୍ଷର ମଧ୍ୟ କରାଯିବ । ଜ୍ଞାନେଶ କୁମାରଙ୍କୁ ହଟାଇବା ଲାଗି ଏହା ବିରୋଧୀଙ୍କ ତୃତୀୟ ଉଦ୍ୟମ । ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର)କୁ ଉପରେ ଅନ୍ୟ ଦୁଇ ନିର୍ବାଚନ କମିଶନର ସୁଖବୀର ସିଂହ ସାନ୍ଧୁ ଓ ବିବେକ ଯୋଶୀ ଗତ ୧୦ମାସ ଭିତରେ ୧୪ଥର ଆପତ୍ତି ଉଠାଇଥିଲେ ମଧ୍ୟ ସିଇସି ଜ୍ଞାନେଶ କୁମାର ସେମାନଙ୍କ କଥାକୁ ଗୁରୁତ୍ୱ ଦେଇନଥିଲେ । ନିଜ ଇଚ୍ଛା ଅନୁସାରେ ଜ୍ଞାନେଶ କୁମାର ଏକତରଫା ଭାବେ ଏସ୍ଆଇଆର କରାଇଥିଲେ ବୋଲି ଗତ ୨୩ ତାରିଖରେ ରିପୋର୍ଟ ପ୍ରକାଶ ପାଇବା ପରେ ତାଙ୍କୁ ହଟାଇବାକୁ ବିରୋଧୀ ଦଳ ଆନ୍ଦୋଳନ ଆରମ୍ଭ କରିଛନ୍ତି । କଂଗ୍ରେସ ଏହି ଆନ୍ଦୋଳନର ମଙ୍ଗ ଧରିଛି ।
ଟିଏମ୍ସି ପ୍ରତିଷ୍ଠାତା ମମତା ବାନାର୍ଜୀ ଏ ସମ୍ପର୍କରେ କଂଗ୍ରେସ ସାଂସଦ ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ସିପିଏମ୍ ସାଧାରଣ ସମ୍ପାଦକ ଏମ.ଏ ବେବିଙ୍କୁ ଟେଲିଫୋନ କରିବା ପରେ ସେପ୍ଟେମ୍ବର ୩୦ରେ ବୈଠକ ବସିବା ଲାଗି ସ୍ଥିର କରାଯାଇଛି । ଟିଏମ୍ସି ଓ ସିପିଏମ୍ ପରସ୍ପରର ତୀବ୍ର ରାଜନୈତିକ ବିରୋଧୀ ହୋଇଥିଲେ ମଧ୍ୟ ନିର୍ବାଚନ କମିଶନ ମାମଲାରେ ଏକାଠି ହୋଇଛନ୍ତି । ଅବଶ୍ୟ ପୂର୍ବରୁ ଉଭୟେ ଇଣ୍ଡିଆ ବ୍ଲକରେ ଅଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ ଓ ମଲିକାର୍ଜୁନ ଖଡ୍ଗେ, ଟିଏମ୍ସି ନେତା ମମତା ବାନାର୍ଜୀ ଓ ଅଭିଷେକ ବାନାର୍ଜୀ, ସପା ନେତା ଅଖିଳେଶ ଯାଦବ ଓ ଶିବସେନା (ୟୁବିଟି) ନେତା ଉଦ୍ଧବ ଠାକ୍ରେ ପ୍ରମୁଖ ବୈଠକରେ ଯୋଗଦେବେ । ଗତ ଜୁନ ୮ରେ ଇଣ୍ଡିଆ ବ୍ଲକର ଶେଷ ବୈଠକ କନଷ୍ଟିଚ୍ୟୁସନ କ୍ଲବରେ ହୋଇଥିଲା । ତେବେ ଇଣ୍ଡିଆ ବ୍ଲକରୁ ଡିଏମ୍ରେ ଦୂରେଇ ରହିଛି । ଗତ ମେ’ରେ ତାମିଲନାଡୁ ବିଧାନସଭା ନିର୍ବାଚନ ପରେ କଂଗ୍ରେସ ରାଜ୍ୟରେ ସରକାର ଗଠନ ଲାଗି ଟିଭିକେକୁ ସମର୍ଥନ କରିବାରୁ ଡିଏମ୍କେ ସହ ତିକ୍ତତା ସୃଷ୍ଟି ହୋଇଥିଲା । ତେବେ ଆସନ୍ତା ୩୦ରେ ହେବାକୁ ଥିବା ବୈଠକରେ ଡିଏମ୍କେ ଯୋଗଦେବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।
ବୈଠକରେ ମୁଖ୍ୟତଃ ୩ଟି ପ୍ରସଙ୍ଗ ଉପରେ ଆଲୋଚନା ହେବ । ପ୍ରଥମତଃ ଜ୍ଞାନେଶ କୁମାରଙ୍କୁ ହଟାଇବା ଲାଗି ସଂସଦରେ ମହାଭିଯୋଗ ଆଣିବାକୁ ରଣନୀତି ପ୍ରସ୍ତୁତ କରିବା । ଦ୍ୱିତୀୟତଃ କୁମାରଙ୍କ ଇସ୍ତଫା ଦାବି ସହ ସେ ନେଇଥିବା ନିଷ୍ପତ୍ତିର ନିରପେକ୍ଷ ତଦନ୍ତ କରିବା । ତୃତୀୟରେ ଦେଶବ୍ୟାପୀ ବିଶେଷକରି ନିର୍ବାଚନ ହେବାକୁ ଥିବା ପଞ୍ଜାବ, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ଆନ୍ଦୋଳନ ଜାରି ରଖିବା । ଆସନ୍ତା ୨୯ରେ କଂଗ୍ରେସର କାର୍ଯ୍ୟକାରିଣୀ କମିଟି (ସିଡବ୍ଲ୍ୟୁସି) ବୈଠକ ଅନୁଷ୍ଠିତ ହେବ । ଏଥିରେ ସିଇସି ଜ୍ଞାନେଶ କୁମାରଙ୍କୁ ହଟାଇବା ପ୍ରସଙ୍ଗ ଉପରେ ବ୍ୟାପକ ଚର୍ଚ୍ଚା କରାଯିବ ।
ସିପିଆଇ, ସିପିଏମ୍ ଏବଂ ସିପିଆଇ-ଏମ୍ଏଲ୍ (ଲିବରେସନ) ଜ୍ଞାନେଶ କୁମାରଙ୍କୁ ତୁରନ୍ତ ହଟାଇବା ଓ ଏସ୍ଆଇଆର ରୋକିବାକୁ ଦାବି କରିଛନ୍ତି । ସିପିଆଇ ଏମ୍ଏଲ୍ (ଲିବରେସନ) ନେତା ଦୀପଙ୍କର ଭଟ୍ଟାଚାର୍ଯ୍ୟ କହିଛନ୍ତି ସେପ୍ଟେମ୍ବର ୩୦ ବୈଠକ କେବଳ ଇଣ୍ଡିଆ ବ୍ଲକ୍ରେ ସୀମିତ ରହିବ ନାହିଁ । ଏଥିରେ ସବୁ ବିରୋଧୀ ଦଳ, ନାଗରିକ ସମାଜ, ଗଣ ସଙ୍ଗଠନ, ସଚେତନ ନାଗରିକ ଓ ବୁଦ୍ଧିଜୀବୀଙ୍କୁ ସାମିଲ କରାଯିବ । କାରଣ ଭାରତର ଗଣତନ୍ତ୍ର ଏବେ ସଙ୍କଟରେ ପଡିଛି । ଏଭଳି ସଙ୍କଟ କେବେ ବି ଘଟିନଥିଲା । ଏସ୍ଆଇଆର ବିବାଦ ସାମ୍ନାକୁ ଆସିବା ପରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଜ୍ଞାନେଶ କୁମାର କେବେ ଇସ୍ତଫା ଦେବେ । ଜ୍ଞାନେଶ କୁମାର ଯେତେ ଦିନ ଯାଏ ପଦରେ ଥିବେ ନିର୍ବାଚନ କମିଶନର ବିଶ୍ୱସନୀୟତା ରହିବ ନାହିଁ ।
Comments ସମସ୍ତ ମତାମତ