Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ବର୍ଷକରେ ୩୨୪ କ୍ୟାମେରା ଅଚଳ

    Share on :
    ajab-Image
    Date: Apr 12, 2026    Views: 2644

    କଟକ: ରାଜ୍ୟର ଅଧିକାଂଶ ଥାନାରେ ଅଚଳ ହୋଇପଡ଼ିଛି ସିସି କ୍ୟାମେରା। କ୍ୟାମେରା ଲାଗିବାର ମାତ୍ର ବର୍ଷକ ମଧ୍ୟରେ ଏପରି ଅବ୍ୟବସ୍ଥା ସୃଷ୍ଟି ହୋଇଛି। ଫଳରେ ଥାନାର କାର୍ଯ୍ୟକଳାପ ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ନେଇ ପୁଣି ଥରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କ୍ୟାମେରା ଅଚଳ ଯୋଗୁଁ ସେଣ୍ଟ୍ରାଲ ମନିଟରିଂ ସିଷ୍ଟମ୍‌ (ସିଏମ୍‌‌ଏସ‌) ଠିକ୍‌ଭାବେ ଚାଲିପାରୁନାହିଁ। ୨୦୨୫ ମାର୍ଚ୍ଚ ସୁଦ୍ଧା ରାଜ୍ୟର ପ୍ରାୟ ସମସ୍ତ ଥାନାରେ ସିସି କ୍ୟାମେରା ଲଗାଯାଇଥିଲା। ବର୍ଷକ ମଧ୍ୟରେ ଅଧିକାଂଶ ଥାନାରେ ସିସି କ୍ୟାମେରା ଅଚଳ ହୋଇପଡ଼ିବା ଚିନ୍ତାର କାରଣ ପାଲଟିଛି। ଏପରିକି ଆଧୁନିକୀକରଣ ନାଁରେ ନିମ୍ନମାନର କ୍ୟାମେରା ଖଞ୍ଜାଯାଇଥିବା ନେଇ ମଧ୍ୟ ଅଭିଯୋଗ ଆସିଛି।

    କେବଳ ଥାନା ନୁହେଁ ଆଉଟ୍‌ପୋଷ୍ଟ (ଫାଣ୍ଡି)ରେ ମଧ୍ୟ ୨୭ ସିସି କ୍ୟାମେରା ଅଚଳ ପଡ଼ିଛି। ଏ ସଂକ୍ରାନ୍ତରେ ପୁଲିସ ମୁଖ୍ୟାଳୟ ପକ୍ଷରୁ ସିସି କ୍ୟାମେରା ଲଗାଇଥିବା ଠିକା ସଂସ୍ଥାକୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ତୁରନ୍ତ ଏହାର ମରାମତି କରିବା ଲାଗି ପୁଲିସ ମୁଖ୍ୟାଳୟ ପକ୍ଷରୁ ନିର୍ଦେଶ ଦିଆଯାଇଛି। ତେବେ ବର୍ଷକ ମଧ୍ୟରେ ଏତେସଂଖ୍ୟକ କ୍ୟାମେରା ଖରାପ ହେବା ନେଇ ବିଭିନ୍ନ ମହଲରେ ଭିନ୍ନ କଥା ଆଲୋଚନା ହେଉଛି। ବାସ୍ତବରେ କ୍ୟାମେରାଗୁଡ଼ିକ ଅଚଳ ହୋଇଛି ନା ଅଚଳ କରିଦିଆଯାଇଛି, ସେନେଇ ପ୍ରଶ୍ନ ଉଠିଛି। ଏପରିକି ଏହି ବ୍ୟବସ୍ଥାରେ ବ୍ୟାପକ ଦୁର୍ନୀତି ହୋଇଥାଇପାରେ ବୋଲି ବିଭାଗର କେତେକ କର୍ମଚାରୀଙ୍କ ମଧ୍ୟରେ ଅଲୋଚନା ଆରମ୍ଭ ହୋଇଛି।

    ରାଜ୍ୟର ସମସ୍ତ ଥାନା ଓ ଫାଣ୍ଡିରେ ୨୦୨୫ ମାର୍ଚ୍ଚ ୩୧ ସୁଦ୍ଧା ସିସି କ୍ୟାମେରା କାର୍ଯ୍ୟକ୍ଷମ କରିବାକୁ ସୁପ୍ରିମ୍‌କୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟରେ ନିର୍ଦେଶ ଦେଇଥିଲେ। ଏଥିସହ ଏହି ସମୟ ମଧ୍ୟରେ ସେଣ୍ଟ୍ରାଲ ମନିଟରିଂ ସିଷ୍ଟମ୍‌ (ସିଏମ୍‌ଏସ) ଓ ଭିଡ଼ିଓ ମ୍ୟାନେଜମେଣ୍ଟ ସିଷ୍ଟମ (ଭିଏମ୍‌ଏସ)ରେ ଯୋଡ଼ିବା କାର୍ଯ୍ୟ ସାରିବାକୁ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ରାଜ୍ୟ ସରକାର ଓ ଗୃହ ବିଭାଗକୁ ନିର୍ଦେଶ ଦେଇଥିଲେ। ନ୍ୟାୟାଳୟଙ୍କ ନିର୍ଦେଶ ମୁତାବକ ରାଜ୍ୟର ୩୬ଟି ପୁଲିସ ଜିଲା ଅଧୀନରେ ଥିବା ୬୪୫ ଥାନା ଓ ୨୯୫ଟି ଫାଣ୍ଡିରେ ମଧ୍ୟ ସିସି କ୍ୟାମେରା ଲଗାଯିବା ପାଇଁ ଯୋଜନା କାର୍ଯ୍ୟକାରୀ ହୋଇଥିଲା। ରାଜ୍ୟର ୮୫% ଥାନାରେ ସେଣ୍ଟ୍ରାଲ ମନିଟରିଂ ସିଷ୍ଟମ୍‌ (ସିଏମ୍‌‌ଏସ‌) ସହ ସଂଯୁକ୍ତ କରାଯାଇଥିଲା। କ୍ୟାମେରା ଲଗାଯିବାର ବର୍ଷକ ମଧ୍ୟରେ ଅଧିକାଂଶ ଥାନା ଓ ଫାଣ୍ଡିରେ କ୍ୟାମେରା ଅଚଳ ହୋଇପଡ଼ିଛି। ଏପରିକି ୫ଟି ପୁଲିସ ଷ୍ଟେସନ ସମ୍ପୂର୍ଣ୍ଣ ଭାବେ ଅଫ୍‍ଲାଇନ ରହିଛି। ବର୍ଷକ ମଧ୍ୟରେ ୩୦୦ରୁ ଊର୍ଦ୍ଧ୍ବ କ୍ୟାମେରା ଅଚଳ ହେବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏ ସମ୍ପର୍କରେ ଏଡିଜି (ଲ ଆଣ୍ଡ ଅର୍ଡର) ଓଡ଼ିଶା କଂପ୍ୟୁଟର ଆପ୍ଲିକେସନ ସେଣ୍ଟର (ଓକାକ)ର ସିଇଓଙ୍କୁ ଏକ ପତ୍ର ଲେଖି ଅବଗତ କରାଇଛନ୍ତି। କ୍ରିଷ୍ଟାଲ ଇଣ୍ଟିଗ୍ରେଟେଡ୍‍ ସର୍ଭିସ ଲିମିଟେଡ୍‌ (କ୍ରିଷ୍ଟାଲ) ଓ କେରଳ ଷ୍ଟେଟ୍‌ ଇଲେକ୍ଟ୍ରୋନିକ୍ସ ଡେଭଲପମେଣ୍ଟ କର୍ପୋରେସନ (କେଲଟର୍ଣ୍ଣ) ସଂସ୍ଥା ପକ୍ଷରୁ ଏହିସବୁ କ୍ୟାମେରା ଲଗାଯାଇଥିଲା।

    ପ୍ରକାଶଥାଉ କି, ୨୦୨୪ ସେପ୍ଟେମ୍ବର ୧୫ରେ ଜଣେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ଦୁର୍ବ୍ୟବହାର କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଘଟଣା ଦେଶରେ ଚର୍ଚ୍ଚା ସୃଷ୍ଟି କରିଥିଲା। ସୁପ୍ରିମକୋର୍ଟ ଏହି ମାମଲାରେ ରାୟ ପ୍ରକାଶ କରି ସମସ୍ତ ପୁଲିସ ଷ୍ଟେସନ ଓ ଆଉଟ୍‌ପୋଷ୍ଟରେ ସିସିଟିଭି ଲଗାଇବା ଲାଗି ନିର୍ଦେଶ ଦେଇଥିଲେ। ବିନା କୌଣସି ବାଧାରେ ୨୪ ଘଣ୍ଟା କାର୍ଯ୍ୟକ୍ଷମ ରହିବା ସହ ଡାଟା ଷ୍ଟୋରେଜ ହେବା ଅପରିହାର୍ଯ୍ୟ ବୋଲି ମତ ଦେଇଥିଲେ। ଏବେ ଅଚଳାବସ୍ଥା ଦୂର କରିବା ପାଇଁ ସମ୍ପୃକ୍ତ ଏଜେନ୍ସିମାନଙ୍କୁ ତୁରନ୍ତ କାର୍ଯ୍ୟାଦେଶ ଦେବାକୁ ପୁଲିସ ବିଭାଗ ନିର୍ଦ୍ଦେଶ ଦେଇଛି। ବୈଷୟିକ ତ୍ରୁଟି, ବିଦ୍ୟୁତ୍‌ ସଂଯୋଗରେ ସମସ୍ୟା କିମ୍ବା ନୂତନ ଗୃହକୁ ସ୍ଥାନାନ୍ତର ଯୋଗୁଁ ଯେଉଁ ଷ୍ଟେସନ ଅଫ୍‍ଲାଇନ ରହିଛି, ସେଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ସଜାଡ଼ିବାକୁ କୁହାଯାଇଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook