Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଲୋଖଣ୍ଡେ ପ୍ରଶାନ୍ତ ସିବିଏସ୍‌ଇର ନୂଆ ଅଧ୍ୟକ୍ଷ

    Share on :
    ajab-Image
    Date: Jun 3, 2026    Views: 3113

    ନୂଆଦିଲ୍ଲୀ : ସିବିଏସ୍‌ଇ ଅନ୍‌-ସ୍କ୍ରିନ୍ ମାର୍କିଂ (ଓଏସ୍‌ଏମ୍‌) ବିବାଦକୁ ନେଇ କେନ୍ଦ୍ର ସରକାର ସିବିଏସ୍‌ଇ ଅଧ୍ୟକ୍ଷ ରାହୁଲ ସିଂହ ଓ ସଚିବ ହିମାଂଶୁ ଗୁପ୍ତାଙ୍କୁ ବଦଳି କରିଛନ୍ତି। ଏହା ସହିତ ଡିଜିଟାଲ୍ ମୂଲ୍ୟାୟନ ବା ଓଏସ୍‌ଏମ୍‌ ସେବାର କ୍ରୟ ପ୍ରକ୍ରିୟାରେ ହୋଇଥିବା ଅନିୟମିତତାର ଯାଞ୍ଚ ପାଇଁ ଏକ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରାଯାଇଛି। ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକମାନଙ୍କ ମଧ୍ୟରେ ବଢ଼ୁଥିବା ଅସନ୍ତୋଷକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହି ବଡ଼ ପ୍ରଶାସନିକ ପଦକ୍ଷେପ ନେଇଛନ୍ତି। ଏହି ଦୁଇ ଅଧିକାରୀଙ୍କ ବଦଳି ପରେ ବରିଷ୍ଠ ଆଇଏଏସ୍‌ ଲୋଖଣ୍ଡେ ପ୍ରଶାନ୍ତ ସୀତାରାମଙ୍କୁ ସିବିଏସ୍‌ଇର ନୂଆ ଅଧ୍ୟକ୍ଷ ଓ ବରୁଣ ଭରଦ୍ବାଜଙ୍କୁ ସିବିଏସ୍‌ଇର ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ୍ କମିଟିର ଏହି ନୂଆ ନିଯୁକ୍ତିକୁ ଅନୁମୋଦନ କରିଛି। ପ୍ରଶାନ୍ତ ସୀତାରାମ ହେଉଛନ୍ତି ଏଜିଏମୟୁଟି କ୍ୟାଡରର ୨୦୦୧ ବ୍ୟାଚ୍ ଆଇଏଏସ୍‌। ସେ ଏବେ ସ୍ବରାଷ୍ଟ୍ର ବିଭାଗର ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ସିବିଏସ୍‌ଇ ଅଧ୍ୟକ୍ଷ ପଦରୁ ହଟିବା ପରେ ରାହୁଲ ସିଂହଙ୍କୁ କୃଷି ଓ କୃଷକ କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ରାହୁଲ ହେଉଛି ୧୯୯୬ ବ୍ୟାଚ୍‌ ବିହାର କ୍ୟାଡରର ଆଇଏଏସ୍ ଅଧିକାରୀ। ସେ ସିବିଏସ୍‌ଇର ସମସ୍ତ କାର୍ଯ୍ୟ ଯେପରିକି ପରୀକ୍ଷା ପରିଚାଳନା, ଶିକ୍ଷାବ୍ୟବସ୍ଥା, ବିଭିନ୍ନ ଅନୁଷ୍ଠାନକୁ ଶୈକ୍ଷିକ ଅନୁମୋଦନ, ନୀତି ନିର୍ଦ୍ଧାରଣ, ସଂସ୍କାରମୂଳକ କାର୍ଯ୍ୟ ଆଦିର ପରିଚାଳନା କରୁଥିଲେ। ସେହିପରି ଆଇଏଏସ୍‌ ହିମାଂଶୁ ଗୁପ୍ତା ସିବିଏସଇର ସଚିବ ଭାବେ ପ୍ରଶାସନିକ କାର୍ଯ୍ୟ ସହିତ ଅାର୍ଥିକ ବ୍ୟାପାର ଓ ଦୈନଦିନ କାର୍ଯ୍ୟ ପରିଚାଳନକୁ ଅନୁଧ୍ୟାନ କରୁଥିଲେ। କ୍ୟାବିନେଟ୍ ସଚିବଙ୍କ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ, ଓଏସ୍‌ଏମ୍‌ ଟେଣ୍ଡର ଏବଂ କ୍ରୟ ପ୍ରକ୍ରିୟାର ତଦନ୍ତ ପାଇଁ ଏକ ଜଣିକିଆ କମିଟି ଗଠନ ହୋଇଛି। ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ତଥା ବର୍ତ୍ତମାନର କାପାସିଟି ବିଲଡିଂ କମିସନ (ସିବିସି)ର ଅଧ୍ୟକ୍ଷା ଏସ୍. ରାଧା ଚୌହ୍ବାନଙ୍କୁ ନେଇ ଏହି କମିଟି ଗଠନ କରାଯାଇଛି। କମିଟିକୁ ଅନିୟମିତତାର ଯାଞ୍ଚ କରି ଏକ ମାସ ମଧ୍ୟରେ କାର୍ମିକ ଓ ପ୍ରଶିକ୍ଷଣ ବିଭାଗକୁ ରିପୋର୍ଟ ଦେବାକୁ ନିର୍ଦେଶ ଦିଆଯାଇଛି। ଚୌହ୍ବାନଙ୍କୁ ଆବଶ୍ୟକ ସ୍ଥଳେ ଅନ୍ୟ ବିଭାଗର ଅଧିକାରୀମାନଙ୍କ ସହାୟତା ନେବାକୁ କ୍ଷମତା ଦିଆଯାଇଛି। ଚଳିତ ବର୍ଷ ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଖାତା ମୂଲ୍ୟାଙ୍କନ ପାଇଁ ପ୍ରଥମ ଥର ପାଇଁ ସମ୍ପୂର୍ଣ୍ଣ ଭାବେ ଡିଜିଟାଲ୍ ଓଏସଏମ୍‌ ବ୍ୟବସ୍ଥା କରାଯାଇଥିଲା; କିନ୍ତୁ ଫଳାଫଳ ପ୍ରକାଶ ପାଇବା ପରେ ଏହି ମୂଲ୍ୟାଙ୍କନରେ ବଡ଼ ଧରଣର ଅନିୟମିତତା ସାମ୍ନାକୁ ଆସିଛି। ଛାତ୍ରଛାତ୍ରୀଙ୍କ ଉତ୍ତରଖାତାଗୁଡିକ ଠିକ୍ ଭାବେ ସ୍କାନିଂ କରାନଯାଇ ଏହାର ମୂଲ୍ୟାଙ୍କନ କରାଯାଇଛି। ସ୍କାନ୍ ଉତ୍ତରଖାତାରେ ପୃଷ୍ଠାଗୁଡ଼ିକ ଅସ୍ପଷ୍ଟ ଥିବା ଏବଂ କିଛି ଅଂଶ ଗାୟବ ଥିବା ଅଭିଯୋଗ ହୋଇଥିଲା। ଫଳରେ ଅନେକ ପିଲା ସେମାନଙ୍କ ଆଶା ଅନୁଯାୟୀ ଫଳ ପାଇ ନଥିଲେ। ପିଲାମାନେ ପୁନଃ ମୂଲ୍ୟାଙ୍କନ ପାଇଁ ଆବେଦନ କରିବା ସହ ସ୍କାନ ଉତ୍ତରଖାତା ମାଗିବାରୁ ତ୍ରୁଟି ଧରାପଡିଥିଲା।

    Maximum 500 characters

    ଦେଶ ବିଦେଶ View all

    Find Us on Facebook