ମୁଖ୍ୟ ଖବର
ଭୁବନେଶ୍ବର: ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ୬ ଟି ବିଭାଗର ୧୧ ଟି ପ୍ରସ୍ତାବରେ ମୋହର ବାଜିଛି । ଅର୍ଥ ବିଭାଗର ୧ଟି, ଆଇନ ବିଭାଗର ୧ଟି, ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ୧ଟି, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ୧ଟି, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ୨ ଟି ଏବଂ ଜଳସମ୍ପଦ ବିଭାଗର ୫ ଟି ପ୍ରସ୍ତାବକୁ କ୍ୟାବିନେଟର ସ୍ବୀକୃତି ମିଳିଛି । ଆଗକୁ ପୌର ନିର୍ବାଚନ ଥିବାରୁ ସହରାଞ୍ଚଳ ବିକାଶ ଉପରେ ଗୁରୁତ୍ୱ ଦେଇଛନ୍ତି । ସେହିପରି ଜଳସମ୍ପଦ ବିଭାଗ ଉପରେ ମଧ୍ୟ ପ୍ରାଧାନ୍ୟ ଦିଆଯାଇଛି । ବୈଠକ ବାବଦରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ।
ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ (MMJJM) 2.0କୁ ଅନୁମୋଦନ ମିଳିଛି । ୨୦୨୬-୨୭ରୁ ୨୦୩୦-୩୧ ପର୍ଯ୍ୟନ୍ତ ପାଞ୍ଚ ବର୍ଷ ଧରି ୨,୯୯୫ କୋଟି ଟଙ୍କା ବ୍ୟୟରେ ଏହି ଯୋଜନା କାର୍ଯ୍ୟକାରୀ ହେବ । ଏଥିରେ ୧୯ଟି ଜିଲ୍ଲାର ୮ ଲକ୍ଷ ଆଦିବାସୀ ଓ ପିଭିଟିଜି ପରିବାର ଉପକୃତ ହେବେ । ପ୍ରତ୍ୟେକ ପରିବାରକୁ ଜୀବିକା ବିକାଶ ପାଇଁ ୩୦ ହଜାର ଟଙ୍କା ସିଧାସଳଖ ଡିବିଟି ମାଧ୍ୟମରେ ଦିଆଯିବ । କୃଷି, ଉଦ୍ୟାନ, ପଶୁପାଳନ, ହସ୍ତଶିଳ୍ପ, କ୍ଷୁଦ୍ର ଉଦ୍ୟମ ସହ ବିଭିନ୍ନ ଜୀବିକାମୂଳକ କାର୍ଯ୍ୟକୁ ଏହି ଯୋଜନାରେ ପ୍ରୋତ୍ସାହନ ମିଳିବ । ପିଭିଟିଜି ଅଞ୍ଚଳରେ ପୋଷଣ, କ୍ରେଚ ସୁବିଧା ଓ ଭିତ୍ତିଭୂମି ବିକାଶ ପାଇଁ ୫୦୦ କୋଟି ଟଙ୍କାର ସ୍ୱତନ୍ତ୍ର ଫ୍ଲେକ୍ସି ଫଣ୍ଡ ମଧ୍ୟ ବ୍ୟବସ୍ଥା କରାଯାଇଛି ।
Comments ସମସ୍ତ ମତାମତ