ମୁଖ୍ୟ ଖବର
ଭୁବନେଶ୍ବର: ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ୮ଟି ବିଭାଗର ୧୧ଟି ପ୍ରସ୍ତାବ ଅନୁମୋଦନ ଲାଭ କରିଛି । ଶିଳ୍ପ ବିଭାଗ, ଗୃହ ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ପର୍ଯ୍ୟଟନ ବିଭାଗ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ ରାଜସ୍ବ ଆଦି ବିଭାଗ ପ୍ରତ୍ୟେକରୁ ଗୋଟିଏ ଲେଖାଏଁ, ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗର ୩ଟି ଏବଂ ଜଳସମ୍ପଦ ବିଭାଗର ୨ଟି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ଦେଇଛି । ରାଜ୍ୟ ସରକାର ପର୍ଯ୍ୟଟନକୁ ଗୁରୁତ୍ୱ ଦେଉଥିବାରୁ ନୀତିରେ ଆଣିଛନ୍ତି ସଂଶୋଧନ । ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏନେଇ ସୂଚନା ଦେଇଛନ୍ତି ।
ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ନୂଆ ଗତି ଦେବା ଲକ୍ଷ୍ୟରେ ସଂଶୋଧନ ହୋଇଛି ଓଡ଼ିଶା ପର୍ଯ୍ୟଟନ ନୀତି । ସଂଶୋଧିତ ପର୍ଯ୍ୟଟନ ନୀତି ୨୦୨୬କୁ ରାଜ୍ୟ କ୍ୟାବିନେଟ ମଞ୍ଜୁରି ଦେଇଛନ୍ତି । ଏହି ସଂଶୋଧିତ ନୀତି ରାଜ୍ୟର ଭିଜନ ୨୦୩୬ ଓ ୨୦୪୭ ସହ ସମନ୍ୱୟ ରଖି ପର୍ଯ୍ୟଟନକୁ ଅର୍ଥନୈତିକ ବିକାଶର ଏକ ପ୍ରମୁଖ ଆଧାର ଭାବେ ଗଢ଼ି ତୋଳିବା ଉଦ୍ଦେଶ୍ୟରେ ପ୍ରସ୍ତୁତ ହୋଇଛି । ନୂତନ ନୀତି ଅନୁସାରେ ୩ ତାରକା ଓ ତାହାଠାରୁ ଉପର ହୋଟେଲ୍ ଓ ରିସୋର୍ଟ ପାଇଁ ନ୍ୟୁନତମ ନିବେଶ ସୀମା ୫୦ କୋଟି ଟଙ୍କାରୁ କମାଇ ୧୦ କୋଟି ଟଙ୍କା କରାଯାଇଛି । ଏହାଦ୍ୱାରା ଛୋଟ ଓ ମଧ୍ୟମ ସ୍ତରର ନିବେଶକମାନେ ମଧ୍ୟ ପର୍ଯ୍ୟଟନ କ୍ଷେତ୍ରରେ ନିବେଶ କରିବାକୁ ଆଗ୍ରହୀ ହେବେ । ପୁରୁଣା ପର୍ଯ୍ୟଟନ ପ୍ରକଳ୍ପଗୁଡ଼ିକର ବିସ୍ତାର ପାଇଁ ଯୋଗ୍ୟତା ସୀମା ୫୦ ପ୍ରତିଶତରୁ କମାଇ ୨୫ ପ୍ରତିଶତ କରାଯାଇଛି । ସଂଶୋଧିତ ପର୍ଯ୍ୟଟନ ନୀତି ମାଧ୍ୟମରେ ୨୦୩୬ ସୁଦ୍ଧା ପ୍ରାୟ ୧୫ ହଜାର ହୋଟେଲ କାର୍ଯ୍ୟକାରୀ ସହ ଲକ୍ଷାଧିକ ପ୍ରତ୍ୟକ୍ଷ ଓ ପରୋକ୍ଷ ରୋଜଗାର ସୃଷ୍ଟି ହେବ ।
Comments ସମସ୍ତ ମତାମତ