Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ୧୧ ପ୍ରସ୍ତାବକୁ କ୍ୟାବିନେଟ ମୋହର : ବଦଳିଲା ରେସନ କାର୍ଡଧାରୀଙ୍କ ଯୋଗ୍ୟତା ମାନଦଣ୍ଡ

    Share on :
    ajab-Image
    Date: Jan 10, 2026    Views: 3098

    ଭୁବନେଶ୍ବର: ଏଣିକି ଗ୍ରାମାଞ୍ଚଳରେ ମାସିକ ୧୫ ହଜାର ଓ ସହରାଞ୍ଚଳରେ ୨୦ ହଜାର ଟଙ୍କା ପର୍ୟ୍ୟନ୍ତ ଉପାର୍ଜନ କରୁଥିବା ପରିବାର ଖାଦ୍ୟ ସୁରକ୍ଷା ଯୋଜନାର ସୁବିଧା ପାଇପାରିବେ। ରେସନ କାର୍ଡ ପାଇଁ ଯୋଗ୍ୟତା ମାନଦଣ୍ଡରେ ପରିବର୍ତ୍ତନ ହୋଇଛି। ହିତାଧିକାରୀଙ୍କ ଆୟ ସୀମା ବୃଦ୍ଧି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ପ୍ରଦାନ କରିଛନ୍ତି। ରେସନ କାର୍ଡରୁ ବାଦ୍ ଦେବା ମାନଦଣ୍ଡରେ ପୂର୍ବରୁ ପରିବାରର ମାସିକ ଆୟ ସୀମା ଗ୍ରାମାଞ୍ଚଳରେ ୧୦ ହଜାର ଟଙ୍କା ଓ ସହରାଞ୍ଚଳରେ ୧୫ ହଜାର ଟଙ୍କା ଥିଲା। ରାଜ୍ୟ କ୍ୟାବିନେଟର ୩୪ତମ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। କ୍ୟାବିନେଟ ବୈଠକରେ ମୋଟ ୮ଟି ବିଭାଗର ୧୧ଟି ପ୍ରସ୍ତାବ ଅନୁମୋଦନ ଲାଭ କରିଛି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ।

    ରାଜ୍ୟ କ୍ୟାବିନେଟ୍ ବୈଠକରେ ମୃତ ବ୍ୟକ୍ତିଙ୍କ ନାମରେ ଅନୁଚିତ ଭାବେ ରେସନ ସାମଗ୍ରୀ ଉଠାଣକୁ ରୋକିବା ପାଇଁ ଓଡ଼ିଶା ସାଧାରଣ ବଣ୍ଟନ ବ୍ୟବସ୍ଥା (ନିୟନ୍ତ୍ରଣ) ଆଦେଶ, ୨୦୧୬ରେ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ଏହି ସଂଶୋଧନ ଦ୍ୱାରା ରେସନ୍ କାର୍ଡରେ ଥିବା କୌଣସି ସଦସ୍ୟଙ୍କ ମୃତ୍ୟୁ ସମ୍ପର୍କରେ ତୁରନ୍ତ ସୂଚନା ଦେବାର ଦାୟିତ୍ବ ଘରର ମୁଖ୍ୟ କିମ୍ବା ନାମାଙ୍କିତ ସଦସ୍ୟଙ୍କ ଉପରେ ନ୍ୟସ୍ତ କରାଯାଇଛି। ତଥ୍ୟ ଲୁଚାଇ ସାମଗ୍ରୀ ଗ୍ରହଣ କଲେ ମୃତ୍ୟୁ ତାରିଖଠାରୁ ଗ୍ରହଣ କରାଯାଇଥିବା ସାମଗ୍ରୀର ମୂଲ୍ୟ ଦେଢ଼ ଗୁଣ ହାରରେ ଆଦାୟ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଏହା ପରବର୍ତ୍ତୀ ମାସର ପ୍ରାପ୍ୟରୁ କାଟି ନିଆଯିବ କିମ୍ବା ପ୍ରଚଳିତ ଅର୍ଥନୈତିକ ମୂଲ୍ୟ ଅନୁଯାୟୀ ଭରଣା କରାଯିବ। ସେହିଭଳି ରାଜ୍ୟ କ୍ୟାବିନେଟ୍ ଓଡ଼ିଶା ରାଜ୍ୟ ଖାଦ୍ୟ ସୁରକ୍ଷା (ଲକ୍ଷ୍ୟଭିତ୍ତିକ ସାଧାରଣ ବଣ୍ଟନ ବ୍ୟବସ୍ଥା) ନିୟମ, ୨୦୨୦ରେ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି। ଏହି ସଂଶୋଧନ ଅନୁଯାୟୀ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ସମସ୍ତ ହିତାଧିକାରୀଙ୍କ ନିୟମିତ ଇ-କେୱାଇସି ଯାଞ୍ଚ ବାଧ୍ୟତାମୂଳକ ହେବ। ନାବାଳକଙ୍କ ନାମରେ ପୃଥକ ରେସନ୍ କାର୍ଡ ଜାରି କରାଯିବ ନାହିଁ। ନିଷ୍କ୍ରିୟ ଏବଂ ଅଯୋଗ୍ୟ ରେସନ୍ କାର୍ଡଗୁଡ଼ିକ ରଦ୍ଦ କରାଯିବ। ଏହାଦ୍ୱାରା ଅଯୋଗ୍ୟ ପରିବାର ଚିହ୍ନଟ, ରିଆତି ଖାଦ୍ୟଶସ୍ୟର ହରିଲୁଟ୍‌ ଓ ଜାଲିଆତି ଭଳି ଦୀର୍ଘକାଳୀନ ସମସ୍ୟାର ସମାଧାନ ହେବ ବୋଲି କୁହାଯାଇଛି।
    ଅନ୍ୟପକ୍ଷ‌େ‌ର ରାଜ୍ୟରେ ଅକ୍ଷୟ ଶକ୍ତି ଓ ସବୁଜ ଶିଳ୍ପାୟନକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ କ୍ୟାବିନେଟ୍ ଟାଟା ପାୱାର ନବୀକରଣୀୟ ଶକ୍ତି ଲି.(ଟିପିଆରଇଏଲ)ର ଏକ ବୃହତ୍ ସୋଲାର ସେଲ୍ ଉତ୍ପାଦନ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ପ୍ରାୟ ୧୦ ହଜାର କୋଟି ଟଙ୍କା ପୁଞ୍ଜିନିବେଶ ମାଧ୍ୟମରେ ଗଞ୍ଜାମ ଜିଲାର ଟାଟା ସ୍ୱତନ୍ତ୍ର ଅର୍ଥନୈତିକ କ୍ଷେତ୍ରଠାରେ ଏହି ସମନ୍ବିତ ଇନଗଟ୍‌-ୱେଫର ଓ ସୌର ସେଲ୍ ଉତ୍ପାଦନ ପ୍ରକଳ୍ପ ସ୍ଥାପିତ ହେବ। ଏହି ପ୍ରକଳ୍ପ ଦ୍ୱାରା ୫ ହଜାରରୁ ଅଧିକ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହା କେବଳ ଓଡ଼ିଶାର ସୌର ଶକ୍ତି କ୍ଷେତ୍ରକୁ ସୁଦୃଢ଼଼ କରିବ ନାହିଁ, ବରଂ ୨୦୩୦ ସୁଦ୍ଧା ୧୦୦ ଜିଡବ୍ଲ୍ୟୁ ଘରୋଇ ସୌର ମଡ୍ୟୁଲ୍ ଉତ୍ପାଦନ କରିବାର ଭାରତର ଲକ୍ଷ୍ୟକୁ ହାସଲ କରିବାରେ ମଧ୍ୟ ସହାୟକ ହେବ। ନୂତନ କେନ୍ଦ୍ରୀୟ ଆଇନ ଭାରତୀୟ ନାଗରିକ ସୁରକ୍ଷା ସଂହିତା-୨୦୨୩ ସହ ତାଳ ମିଳାଇ ରାଜ୍ୟ ଅଭିଯୋଜନ ସେବା ନିୟମାବଳୀ-୧୯୯୭ରେ ସଂଶୋଧନ କରାଯାଇଛି। ଏହା ଅଧୀନରେ ପ୍ରତ୍ୟେକ ଜିଲାରେ ଜିଲା ଅଭିଯୋଜନ ନିର୍ଦେଶାଳୟ ଗଠନ କରାଯିବ। ଏହି ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରି ଦେଇଛନ୍ତି।

    ସେହିପରି ଓଡ଼ିଶା ପର୍ୟ୍ୟଟନ (ସଂଶୋଧନ) ନୀତି-୨୦୨୬କୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି। ନିବେଶକଙ୍କ ସୁବିଧା ପାଇଁ ୩-ତାରକା ଓ ତଦୁର୍ଦ୍ଧ୍ୱ ତାରକା ବିଶିଷ୍ଟ ହୋଟେଲ ପାଇଁ ସର୍ବନିମ୍ନ କୋଠରୀ ସଂଖ୍ୟା ୫୦ରୁ ୧୦କୁ ହ୍ରାସ କରାଯାଇଛି। ପୁଞ୍ଜି ନିବେଶ ସବସିଡି ଢାଞ୍ଚାକୁ ସରଳୀକୃତ କରି ୩୦%ରୁ ୪୦% ପର୍ୟ୍ୟନ୍ତ ସହାୟତା ବ୍ୟବସ୍ଥା କରାଯାଇଛି। ସେହିପରି ହୀରାକୁଦ, ସାତକୋଶିଆ, ଶିମିଳିପାଳ ଏବଂ ଭିତରକନିକା ଭଳି ଉଚ୍ଚ-ସମ୍ଭାବ୍ୟ ପର୍ୟ୍ୟଟନସ୍ଥଳକୁ ସ୍ୱତନ୍ତ୍ର ଜୋନରେ ଅନ୍ତର୍ଭୁକ୍ତ କରାଯାଇଛି। ସଂଶୋଧିତ ପର୍ୟ୍ୟଟନ ନୀତି ଅନୁସାରେ ମୁମ୍ବାଇ, ଦିଲ୍ଲୀ ଓ ବେଙ୍ଗାଲୁରୁ ଭଳି ଦେଶର ୫ଟି ମେଟ୍ରୋ ସହର ସମେତ ଆଗ୍ରା, ବାରାଣସୀ ଭଳି ୫ଟି ପ୍ରମୁଖ ପର୍ୟ୍ୟଟନ ସ୍ଥଳରେ ଓଡ଼ିଆ ଖାଦ୍ୟକୁ ପ୍ରୋତ୍ସାହନ ଦେବା ପାଇଁ ଓଡ଼ିଆ ରେଷ୍ଟୁରାଣ୍ଟ ଖୋଲିବାକୁ ସରକାର ସହାୟତା ପ୍ରଦାନ କରିବେ। ଏଥିସହ ରାଜ୍ୟର ଯୁବପିଢ଼ିଙ୍କୁ ବିଶ୍ବସ୍ତରୀୟ ଦକ୍ଷତା ପ୍ରଦାନ କରିବା ପାଇଁ ଓଡ଼ିଶା ଦକ୍ଷତା ବିକାଶ ପ୍ରକଳ୍ପର ପର୍ୟ୍ୟାୟ-୨କୁ କ୍ୟାବିନେଟ୍ ମଞ୍ଜୁରି ଦେଇଛନ୍ତି। ଏସୀୟ ବିକାଶ ବ୍ୟାଙ୍କ ସହାୟତାରେ ଏହି ୧୧୪୦ କୋଟି ଟଙ୍କାର ପ୍ରକଳ୍ପ ୨୦୨୫-୨୬ରୁ ୨୦୨୯-୩୦ ମଧ୍ୟରେ କାର୍ୟ୍ୟକାରୀ ହେବ। ଭୁବନେଶ୍ବର ବିଶ୍ବ ଦକ୍ଷତା କେନ୍ଦ୍ରର ସମ୍ପ୍ରସାରଣ ସହ ବ୍ରହ୍ମପୁରରେ ହସ୍ପିଟାଲିଟି ଓ ସାମୁଦ୍ରିକ କ୍ଷେତ୍ର ଏବଂ ସମ୍ବଲପୁରରେ କୃଷି-ପ୍ରଯୁକ୍ତିବିଦ୍ୟା ପାଇଁ ନୂତନ କ୍ୟାମ୍ପସ ସ୍ଥାପନ କରାଯିବ। ଏହାସହିତ ରାଜ୍ୟର ୫ଟି ସରକାରୀ ଆଇଟିଆଇକୁ ଉତ୍କର୍ଷ ଆଇଟିଆଇ ଭାବେ ଉନ୍ନୀତ କରାଯିବ। ଏସବୁ ପଦକ୍ଷେପ ଦ୍ବାରା ରାଜ୍ୟରେ ବାର୍ଷିକ ୬୦ ହଜାରରୁ ଅଧିକ ଯୁବକଯୁବତୀ ଉପକୃତ ହେବେ।

    ଅନ୍ୟପକ୍ଷରେ ଆପାର୍ଟମେଣ୍ଟ ମାଲିକଙ୍କ ଆର୍ଥିକ ବୋଝ ହ୍ରାସ କରିବାକୁ ରାଜ୍ୟ କ୍ୟାବିନେଟ୍ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଆପାର୍ଟମେଣ୍ଟର ସମୂହ ଅଞ୍ଚଳ(କମନ ଏରିଆ) ପଞ୍ଜୀକରଣ ପାଇଁ ୫ ପ୍ରତିଶତ ଷ୍ଟାମ୍ପ ଡ୍ୟୁଟି ପରିବର୍ତ୍ତେ ମାତ୍ର ୫୦ ହଜାର ଟଙ୍କାର ନାମକୁ ମାତ୍ର ଶୁଳ୍କ ଦେବାକୁ ପଡ଼ିବ। ସେହିପରି ବାଲେଶ୍ବର ଜିଲାରେ ଜଳସେଚନ ସୁବିଧା ବୃଦ୍ଧି ପାଇଁ ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପ ଅଧୀନରେ ଭୂତଳ ପାଇପଲାଇନ ନିର୍ମାଣ ନିମନ୍ତେ ୩୧୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ସଂକ୍ରାନ୍ତ ଟେଣ୍ଡରକୁ ଅନୁମୋଦନ ମିଳିଛି। ଜିଲାର ସୋର, ବାହାନଗା ଓ ଔପଦା ବ୍ଲକର ୧୨୧୫୫ ହେକ୍ଟର ଚାଷଜମିକୁ ଜଳସେଚନ ସୁବିଧା ମିଳିବ। ଜଳ ଜୀବନ ମିଶନର ପ୍ରକଳ୍ପଗୁଡ଼ିକୁ ବାଧାହୀନ ଭାବେ ଚଳାଇବା ପାଇଁ କେନ୍ଦ୍ରୀୟ ଅଂଶ ଆସିବା ପୂର୍ବରୁ ରାଜ୍ୟ ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରିବାକୁ କ୍ୟାବିନେଟ୍ ଅନୁମତି ଦେଇଛନ୍ତି। ଏହା ବ୍ୟତୀତ ‘ପାର୍ବତୀଗିରି ବୃହତ୍ ଉଠା ଜଳସେଚନ ଯୋଜନା’ ଅନ୍ତର୍ଗତ ଗଞ୍ଜାମ ଜିଲାର ୬୩୪୩ ହେକ୍ଟର ଚାଷଜମିକୁ ଜଳସେଚନ ଯୋଗାଇ ଦେବା ପାଇଁ ୧୯୦.୩୭ କୋଟି ଟଙ୍କାର ଟେଣ୍ଡରକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି। ପ୍ରକଳ୍ପଟିକୁ ୩୬ମାସ ମଧ୍ୟରେ ସମ୍ପୂର୍ଣ୍ଣ କରାଯିବାର ଲକ୍ଷ୍ୟ ରଖାଯାଇଛି ଓ ଏହାର ୧୫ ବର୍ଷ ପର୍ୟ୍ୟନ୍ତ ପରିଚାଳନା ଓ ରକ୍ଷଣାବେକ୍ଷଣ ପାଇଁ ମଧ୍ୟ ୧୫.୨୩ କୋଟି ଟଙ୍କାର ପ୍ରାବଧାନ ରହିଛି। ଗଞ୍ଜାମ ଜିଲାର ୮୫ଟି ଗାଁର ଚାଷୀ ଏହି ଜଳସେଚନ ପ୍ରକଳ୍ପ ଦ୍ୱାରା ଉପକୃତ ହେବେ ବୋଲି କୁହାଯାଇଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook