ମୁଖ୍ୟ ଖବର
ଭୁବନେଶ୍ୱର: ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ, ତା’ଉପରେ ରାଜ୍ୟ କ୍ୟାବିନେଟ ବୁଧବାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଅଧ୍ୟାପକ ନିଯୁକ୍ତିରେ ସଂରକ୍ଷଣ ନୀତି ପ୍ରଣୟନ ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଛି।
ଏନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଛନ୍ତି, ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଶିକ୍ଷକମାନଙ୍କ ପ୍ରତ୍ୟକ୍ଷ ନିଯୁକ୍ତି ସମୟରେ ଏକପ୍ରକାରର ସଂରକ୍ଷଣ ପଦ୍ଧତିକୁ ଅନୁସରଣ କରିବା ନିମନ୍ତେ ଓଡ଼ିଶା ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟ(ଶିକ୍ଷକ କ୍ୟାଡରରେ ସଂରକ୍ଷଣ) ଅଧ୍ୟାଦେଶ-୨୦୨୫ର ପ୍ରଣୟନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି। ଏଣିକି ପ୍ରଫେସର, ଆସୋସିଏଟ୍ ପ୍ରଫେସର ଏବଂ ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତିରେ ସଂରକ୍ଷଣ କାର୍ୟ୍ୟକାରୀ କରିବା ପାଇଁ ବିଶ୍ୱବିଦ୍ୟାଳୟଟିକୁ ଏକକ ଭାବରେ ବିଚାର କରିବାକୁ ଏହି ଅଧ୍ୟାଦେଶରେ ପ୍ରସ୍ତାବ ଦିଆଯାଇଛି। ଏହା ବର୍ତ୍ତମାନ ଚାଲୁଥିବା ବିଭାଗଭିଭିକ ସଂରକ୍ଷଣ ପ୍ରଣାଳୀକୁ ପରିବର୍ତ୍ତନ କରିବ। ପ୍ରତ୍ୟେକ କ୍ୟାଡର ନିମନ୍ତେ ପୋଷ୍ଟ-ଆଧାରିତ ରୋଷ୍ଟର ବ୍ୟବସ୍ଥା କରାଯିବ, ଯଦ୍ଦ୍ୱାରା ସଂରକ୍ଷଣ ନୀତି ସମସ୍ତ ବିଶ୍ୱବିଦ୍ୟାଳୟରେ ସମାନ ଭାବେ ପ୍ରୟୋଗ ହେବ ଏବଂ ନିଯୁକ୍ତି ପ୍ରକ୍ରିୟା ଅଧିକ ସ୍ୱଚ୍ଛ ଓ ସହଜ ହେବ। ଏହି ସଂଶୋଧନ ଫଳସ୍ୱରୂପ ଅନୁସୂଚିତ ଜାତି, ଜନଜାତି ଓ ପଛୁଆବର୍ଗ ଏବଂ ଅନ୍ୟାନ୍ୟ ଯୋଗ୍ୟ ବର୍ଗମାନଙ୍କ ପ୍ରତିନିଧିତ୍ୱ ବୃଦ୍ଧି, ପ୍ରଶାସନିକ ପ୍ରଣାଳୀରେ ସରଳତା ଏବଂ ରାଷ୍ଟ୍ରୀୟ ସ୍ତରର ଅନୁସରିତ ନୀତି ସହିତ ସମନ୍ୱୟକୁ ସୁନିଶ୍ଚିତ କରିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।
ଆହୁଜା କହିଛନ୍ତି, ଆଗାମୀ ଦିନରେ ଆଇଟିଆଇକୁ ରାଜ୍ୟରେ ତ୍ୱରାନ୍ୱିତ କରିବା ଲାଗି ଉତ୍କର୍ଷ ଆଇଟିଆଇ ଯୋଜନା କାର୍ୟ୍ୟକାରୀ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ଦେଇଛି। ଏହାଦ୍ୱାରା ଆଇଟିଆଇଗୁଡ଼ିକୁ ଜୋନାଲ୍ ଆଇଟିଆଇ ଭାବେ ଅପ୍ଗ୍ରେଡ୍ କରାଯିବ। ବର୍ତ୍ତମାନ ରାଜ୍ୟରେ ଥିବା ୫ଟି ଶିଳ୍ପ ପ୍ରଶିକ୍ଷଣ ସଂସ୍ଥା ଯଥା,ସରକାରୀ ଆଇଟିଆଇ-ପୁରୀ, ବଲାଙ୍ଗୀର, ଅମ୍ୱାଗୁଡ଼ା-କୋରାପୁଟ, ରାଜକନିକା-କେନ୍ଦ୍ରାପଡ଼ା ଓ ରାଉରକେଲା-ସୁନ୍ଦରଗଡ଼କୁ ‘ଉତ୍କର୍ଷ ଆଇଟିଆଇ’ କରାଯିବାକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ଦେଇଛି।
Comments ସମସ୍ତ ମତାମତ