Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବୀମା କମ୍ପାନିରେ ଶତ ପ୍ରତିଶତ ଏଫ୍‌ଡିଆଇ ବିଲ୍‌କୁ ମଞ୍ଜୁରି

    Share on :
    ajab-Image
    Date: Dec 13, 2025    Views: 2946

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ବୀମା କମ୍ପାନିଗୁଡ଼ିକରେ ଏଫ୍‌ଡିଆଇ ସୀମାକୁ ୧୦୦%କୁ ବଢ଼ାଇବା ଲାଗି ଉଦ୍ଦିଷ୍ଟ ବିଲ୍‌ରୁ ମିଳିଛି ଅନୁମୋଦନ । ଏହା ସହିତ ଶିଳ୍ପ କ୍ଷେତ୍ରରେ କେତେକ ଢ଼ାଞ୍ଚାଗତ ସଂସ୍କାରକୁ ମିଳିଛି ମଞ୍ଜୁରି । ଏଥିସହିତ ବୀମା କ୍ଷେତ୍ରକୁ ମଜଭୁତ କରିବା ଲକ୍ଷ୍ୟ ରହିଛି । ଏହି ସଂଶୋଧନ ଦ୍ୱାରା ଦେଶକୁ ବୃହତ୍ ମାତ୍ରାରେ ବିଦେଶୀ ନିବେଶ ଆସିବ । ଶିଳ୍ପ କ୍ଷେତ୍ରରେ ପ୍ରତିଯୋଗିତା ବଢ଼ିବ ଏବଂ ଭାରତର ବୀମା ବଜାରରେ ଗ୍ରାହକ ସେବାରେ ଉନ୍ନତି ଆସିବ । ଚଳିତ ଶୀତ ଅଧିବେଶନରେ ଏହି ବିଲ୍ ଉପସ୍ଥାପିତ ହେବ । ଦେଶରେ ବୀମା ପହଞ୍ଚ ବଢ଼ାଇବା ସହିତ ବୀମା ଆଇନ(ସଂଶୋଧିତ) ବିଲ୍-୨୦୨୫ ଶିଳ୍ପ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ । ଏହା ସହିତ ଶିଳ୍ପର ବିକାଶରେ ସହାୟକ ହେବ ଏବଂ ଇଜ୍ ଅଫ୍ ଡୁଇଙ୍ଗ ବିଜ୍ନେସ୍ରେ ଆଣିବ ସୁଧାର । ପ୍ରକାଶଯୋଗ୍ୟ, ଏଯାବତ୍ ବୀମା ଶିଳ୍ପ ୮୨,୦୦୦ କୋଟି ଟଙ୍କାର ଏଫ୍ଡିଆଇ ସଂଗ୍ରହ କରିଛି । ସେହିଭଳି କୋଇଲା ଶିଳ୍ପ ପାଇଁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । କ୍ୟାବିନେଟ୍ କୋଇଲା ଲିଙ୍କେଜ୍ର ନିଲାମୀ ପାଇଁ ଉଦ୍ଦିଷ୍ଟ ନୀତିକୁ ମଞ୍ଜୁରି ଦେଇଛି । ଏହି ନୂଆ ନୀତିର ନାମ ‘କୋଲ୍ ସେତୁ’ ୱିଣ୍ଡୋ ରଖାଯାଇଛି । ଏହାର ଉଦ୍ଦେଶ୍ୟ ହେଉଛି ବିନା କୌଣସି ବାଧାରେ କୁଶଳତା ଏବଂ ପାରଦର୍ଶୀ ଉପାୟରେ କୋଇଲାର ବ୍ୟବହାର କରିବା ।

    ଏହି ନୀତି ଅଧୀନରେ କୋଇଲାର ଉପଯୋଗ ଯେକୌଣସି ଔଦ୍ୟୋଗିକ କାର୍ୟ୍ୟ ଏବଂ ରପ୍ତାନି ପାଇଁ କରାଯାଇପାରିବ । ନୂଆ ନୀତି ସରକାରଙ୍କ ଦ୍ୱାରା କୋଇଲା କ୍ଷେତ୍ରରେ କରାଯାଉଥିବା ସୁଧାରଗୁଡ଼ିକର ଶୃଙ୍ଖଳାରେ ଅନ୍ୟ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ । ଏହି ନୀତି ଲମ୍ବା ଅବଧି ପାଇଁ ନିଲାମ ଆଧାରରେ କୋଇଲା ଲିଙ୍କେଜ୍‌ଙ୍କ ଆବଣ୍ଟିତ କରିବାର ଅନୁମତି ଦେବ । ଏହାର ଅର୍ଥ କୌଣସି ଘରୋଇ କ୍ରେତା, ଯିଏ କୋଇଲା ଆବଶ୍ୟକ କରୁଛନ୍ତି ସେ ଏହି ‘କୋଲ୍ ସେତୁ’ ୱିଣ୍ଡୋରେ ଅଂଶଗ୍ରହଣ କରିପାରିବେ । ଏହି ୱିଣ୍ଡୋ ଅଧୀନରେ କୋକିଂ କୋଲ୍ର ନିଲାମ କରାଯିବ ନାହିଁ । କ୍ୟାବିନେଟ୍ ନିଷ୍ପତ୍ତି ଘୋଷଣା କରି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଲେ, ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ବ୍ୟାପାରକୁ ସହଜ କରିବା । ଏହାସହିତ ଘରୋଇ କୋଇଲା ଭଣ୍ଡାରକୁ ବଢ଼ାଇବା ଏହାର ଲକ୍ଷ୍ୟ । ଫଳରେ ଦେଶର ଶକ୍ତି ଆବଶ୍ୟକତାକୁ ପୂରଣ କରିବା ପାଇଁ ଆମଦାନି କୋଇଲା ଉପରେ ଭାରତର ନିର୍ଭରତା କମିବ ।

    କ୍ୟାବିନେଟ୍ ୨୦୨୬ ଋତୁ ପାଇଁ କୋପ୍ରା ବା ଶୁଖା ନଡ଼ିଆର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍ଏସ୍ପି) ବୃଦ୍ଧିକୁ ମଞ୍ଜୁରି ଦେଇଛି । ଏ ନିଷ୍ପତ୍ତି ଚାଷୀଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି । ଏବେ ୨୦୨୬ ଋତୁ ପାଇଁ ଭଲ ଗୁଣବତ୍ତାଯୁକ୍ତ ମିଲିଂ କୋପ୍ରାର ଏମ୍ଏସ୍ପି କୁଇଣ୍ଟାଲ ପିଛା ୧୨,୦୨୭ ଟଙ୍କା ଧାର୍ୟ୍ୟ କରାଯାଇଛି । ସେହିଭଳି ବଲ୍ କୋପ୍ରାର ଏମ୍ଏସ୍‌ପି କୁଇଣ୍ଟାଲ ପିଛା ୧୨,୫୦୦ ଟଙ୍କା ଧାର୍ୟ୍ୟ କରାଯାଇଛି । ପୂର୍ବ ଋତୁ ତୁଳନାରେ ଉଭୟର ଏମ୍ଏସ୍‌ପି ଯଥାକ୍ରମେ ୪୪୫ ଟଙ୍କା ଏବଂ ୪୦୦ ଟଙ୍କା ବଢ଼ାଯାଇଛି । ଫଳରେ ଚାଷୀଙ୍କୁ ସେମାନଙ୍କ ଉତ୍ପାଦନର ଉଚିତ ମୂଲ୍ୟ ମିଳିବ ଓ ସେମାନଙ୍କ ଆୟ ବଢ଼ିବ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook