ମୁଖ୍ୟ ଖବର
କାଠମାଣ୍ଡୁ: ନେପାଳର ଧାଦିଙ୍ଗ ଜିଲ୍ଲାରେ ସୋମବାର ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି । ଏକ ଯାତ୍ରୀବାହୀ ବସ୍ ନିୟନ୍ତ୍ରଣ ହରାଇ ନଦୀ ଭିତରକୁ ଖସିପଡ଼ିବାରୁ ପାଖାପାଖି ୧୮ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଦୁଇଜଣ ବିଦେଶୀ ନାଗରିକ ଥିବା ବେଳେ ଜଣେ ପୁରୁଷ ଓ ଜଣେ ମହିଳା ରହିଛନ୍ତି । ସୂଚନା ଅନୁଯାୟୀ, ବସ୍ଟି ପୋଖରାରୁ କାଠମାଣ୍ଡୁ ଅଭିମୁଖେ ଯାଉଥିଲା । ରାତି ପ୍ରାୟ ୧ଟା ୧୫ ମିନିଟ୍ ସମୟରେ ଧାଦିଙ୍ଗ ଜିଲ୍ଲାର ବେନିଘାଟ ରୋରାଙ୍କ ଅଞ୍ଚଳରେ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ । ଫଳରେ ବସ୍ଟି ସିଧା ତ୍ରିଶୂଳୀ ନଦୀ ଭିତରକୁ ଖସି ପଡ଼ିଥିଲା । 'ଦ କାଠମାଣ୍ଡୁ ପୋଷ୍ଟ'ର ରିପୋର୍ଟ ଅନୁସାରେ, ଘଟଣାସ୍ଥଳରୁ ୧୭ଟି ଶବ ଉଦ୍ଧାର କରାଯାଇଥିବା ବେଳେ ପରେ ଆଉ ଜଣେ ଗୁରୁତର ବ୍ୟକ୍ତିଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି ।
ଦୁର୍ଘଟଣା ସମ୍ପର୍କରେ ଧାଦିଙ୍ଗ ଜିଲ୍ଲା ଟ୍ରାଫିକ ପୁଲିସ ମୁଖ୍ୟ ଶିଶିର ଥାପା କହିଛନ୍ତି ଯେ, ଏପର୍ୟ୍ୟନ୍ତ ୧୮ ଜଣଙ୍କର ମୃତ୍ୟୁ ହୋଇଛି । ବସ୍ରେ ୩୫ରୁ ଅଧିକ ଯାତ୍ରୀ ଥିଲେ । ପ୍ରାୟ ୨୫ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି, ଯାହାଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନେପାଳ ସେନା, ସଶସ୍ତ୍ର ପୁଲିସ ବଳ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ୟ୍ୟ ଜାରି ରହିଛି । ଅନ୍ଧକାର ଯୋଗୁଁ ରାତିରେ ଉଦ୍ଧାର କାର୍ୟ୍ୟରେ ବହୁ ବାଧା ସୃଷ୍ଟି ହୋଇଥିଲା । ନେପାଳରେ ଖରାପ ରାସ୍ତା ଏବଂ ପାହାଡ଼ିଆ ଅଞ୍ଚଳ ଯୋଗୁଁ ପ୍ରାୟତଃ ଏଭଳି ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି । ବର୍ତ୍ତମାନ ପୁଲିସ ଦୁର୍ଘଟଣାର ପ୍ରକୃତ କାରଣ ଖୋଜିବା ପାଇଁ ତଦନ୍ତ ଚଳାଇଛି ।
Comments ସମସ୍ତ ମତାମତ