ମୁଖ୍ୟ ଖବର
ଭୁବନେଶ୍ୱର : ରାଜ୍ୟର ଆର୍ଥିକ ସ୍ଥିତି ଏବଂ ୨୦୨୬ ଫେବୃଆରୀ ମାସ ଶେଷ ସୁଦ୍ଧା ହୋଇଥିବା ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଅନୁମୋଦିତ ଖର୍ଚ୍ଚ ଅଗ୍ରଗତି ସଂପର୍କରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସମୀକ୍ଷା କରିଛନ୍ତି । ଚଳିତ ମାସ ଶେଷ ସୁଦ୍ଧା ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଅନୁମୋଦନ ହିସାବରେ ଖର୍ଚ୍ଚ କରିବାକୁ ସମସ୍ତ ବିଭାଗକୁ ପରାମର୍ଶ ଦେଇଛନ୍ତି । ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟରେ ପ୍ରସ୍ତାବିତ ନୂତନ ଯୋଜନା ର ସଫଳ ରୂପାୟନ ପାଇଁ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂଙ୍କ ସମେତ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଏବଂ କମିଶନର ତଥା ଶାସନ ସଚିବମାନେ ଉପସ୍ଥିତ ଥିଲେ ।
ବୈଠକରେ ଫେବୃୟାରୀ ୨୦୨୬ ଶେଷ ସୁଦ୍ଧା ରାଜ୍ୟର ବିତ୍ତୀୟ ସ୍ଥିତି ସମୀକ୍ଷା କରାଯାଇଥିଲା । ସାମଗ୍ରିକ ଭାବେ ଗତ ବର୍ଷ ତୁଳନାରେ ଏହି ସମୟ ମଧ୍ୟରେ ଖର୍ଚ୍ଚ ହାର ୯.୩ ପ୍ରତିଶତ ବୃଦ୍ଧି ପାଇଥିବା ଜଣାପଡ଼ିଛି । କାର୍ୟ୍ୟକ୍ରମ ବାବଦକୁ ସାମଗ୍ରିକ ଭାବେ ଖର୍ଚ୍ଚରେ ୧୪ ପ୍ରତିଶତ ବୃଦ୍ଧି ପାଇଛି । କୃଷି ବିଭାଗରେ ଗତ ବର୍ଷ ଅପେକ୍ଷା ବଜେଟ୍ ବ୍ୟୟ ୧୩ ପ୍ରତିଶତ ବୃଦ୍ଧି, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗର ୩୯ ପ୍ରତିଶତ, ସମବାୟ ବିଭାଗର ୫୬% ଖର୍ଚ୍ଚ ବୃଦ୍ଧି ପରିଲକ୍ଷିତ ହୋଇଛି । ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଶକ୍ତି ବିଭାଗର ୪୩% ବୃଦ୍ଧି ଘଟିଛି । ମୁଖ୍ୟ ଶାସନ ସଚିବ ବିଭିନ୍ନ ବିଭାଗଓ୍ୱାରୀ ଖର୍ଚ୍ଚ ସ୍ଥିତି ସମୀକ୍ଷା କରିଥିଲେ ।
୨୦୨୬-୨୭ ବଜେଟରେ ଯେଉଁ ନୂଆ ଯୋଜନା ଘୋଷଣା କରାଯାଇଛି ଆଗୁଆ ତାହାର କାର୍ୟ୍ୟକାରିତା ପାଇଁ ପ୍ରସ୍ତୁତି କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଶାସନିକ କାର୍ୟ୍ୟଦକ୍ଷତା ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ ‘ରାଜ୍ୟ ଏଆଇ ମିଶନ’କୁ ଗୁରୁତ୍ୱ ଦେଇଥିଲେ। ଏହି ପରିପ୍ରେକ୍ଷୀରେ କୃତ୍ରିମ ବୁଦ୍ଧିମତ୍ତା ସଂସ୍ଥା ‘ସର୍ବମ୍ ଏଆଇ’ ପକ୍ଷରୁ ରାଜ୍ୟ ସରକାରଙ୍କ ସହ ସହଯୋଗ ସମ୍ଭାବନା ସମ୍ପର୍କରେ ଏକ ଉପସ୍ଥାପନା କରାଯାଇଥିଲା ସଂସ୍ଥା ପକ୍ଷରୁ ବିଭିନ୍ନ ବିଭାଗ ସହ ସମନ୍ୱୟ ରକ୍ଷା କରି ପ୍ରଶାସନରେ କୃତ୍ରିମ ବୁଦ୍ଧିମତ୍ତା ମାଧ୍ୟମରେ ବିଭାଗୀୟ କାର୍ୟ୍ୟକୁ ଅଧିକ ସହଜ, ଦ୍ରୁତ ଓ କାର୍ୟ୍ୟକ୍ଷମ କରିବା ସମ୍ପର୍କରେ ପ୍ରସ୍ତାବ ରଖାଯାଇଥିଲା ।
Comments ସମସ୍ତ ମତାମତ