ମୁଖ୍ୟ ଖବର
ଭୁବନେଶ୍ୱର: ରାଜ୍ୟ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କ୍ରମାଗତ ତୃତୀୟ ଥର ପାଇଁ ବିଧାନସଭାରେ ବାର୍ଷିକ ବଜେଟ୍ ଉପସ୍ଥାପନ କରିଛନ୍ତି। ରାଜ୍ୟ ବଜେଟ୍ ପରିମାଣ ପ୍ରଥମଥର ପାଇଁ ୩ଲକ୍ଷ କୋଟି ଅତିକ୍ରମ କରିଛି। ମୁଖ୍ୟମନ୍ତ୍ରୀଙ୍କ ଚଳିତ ବଜେଟ୍ ଅଭିଭାଷଣ ତାଙ୍କର ପୂର୍ବ ଦୁଇଥରର ଅଭିଭାଷଣ ଅବଧି ତୁଳନାରେ କମ୍ ଥିବା ଜଣାପଡ଼ିଛି । ପୂର୍ବ ଦୁଇଥର ମୁଖ୍ୟମନ୍ତ୍ରୀ ନିଜର ବଜେଟ୍ ଅଭିଭାଷଣ ‘ଜୟ ଜଗନ୍ନାଥ’ କହି ଆରମ୍ଭ କରିଥିବାବେଳେ ଏଥର ‘ବନ୍ଦେ ମାତରମ’ କହି ଆରମ୍ଭ କରିଥିଲେ ।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଫେବୃୟାରୀ ୨୦ତାରିଖରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୩.୧୦ଲକ୍ଷ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କର ବଜେଟ୍ ଅଭିଭାଷଣ ‘ବନ୍ଦେ ମାତରମ’ରୁ ଆରମ୍ଭ କରି ‘ଜୟହିନ୍ଦ’ରେ ସମାପ୍ତ କରିଥିଲେ। ଅଭିଭାଷଣର ଶେଷ ଭାଗରେ ଭକ୍ତକବି ମଧୁସୂଦନ ରାଓଙ୍କ ରଚିତ କାଳଜୟୀ କବିତା ‘ଉତ୍କଳ ଗାଥା’ର ପଂକ୍ତିକୁ ଉଦ୍ଧାର କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଭାଷଣ ଅପରାହ୍ନ ୪ଟା ୧୭ମିନିଟରେ ଆରମ୍ଭ ହୋଇ ୨ଘଣ୍ଟା ୩୦ସେକେଣ୍ଡ ଚାଲିଥିଲା।
ସେହିପରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ତାଙ୍କ ସରକାରର ପ୍ରଥମ ପୂର୍ଣ୍ଣାଙ୍ଗ ବାର୍ଷିକ ବଜେଟ୍ ୨୦୨୪ ଜୁଲାଇ ୨୫ତାରିଖରେ ଉପସ୍ଥାପନ କରିଥିଲେ । ବିଧାନସଭାରେ ‘ଜୟ ଜଗନ୍ନାଥ’ କହି ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୨.୬୫ଲକ୍ଷ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଥିଲେ। ସେ ୨ଘଣ୍ଟା ୯ମିନିଟ୍ ପର୍ୟ୍ୟନ୍ତ ନିଜର ବଜେଟ୍ ଅଭିଭାଷଣ ରଖିଥିଲେ। କବି ଗୋଦାବରୀଶ ମହାପାତ୍ରଙ୍କ ‘ଦୁର୍ଗମ ଯାତ୍ରୀ’ କବିତାର ପଂକ୍ତିକୁ ଉଦ୍ଧାର କରି ନିଜର ଭାଷଣ ‘ଜୟହିନ୍ଦ’ରେ ସମାପ୍ତ କରିଥିଲେ।
Comments ସମସ୍ତ ମତାମତ