Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଓଡ଼ିଶାର ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ ଏହି ବଜେଟ୍ : ଧର୍ମେନ୍ଦ୍ର

    Share on :
    ajab-Image
    Date: Feb 2, 2026    Views: 2540

    ଭୁବନେଶ୍ୱର : 'କେନ୍ଦ୍ର ବଜେଟ୍ ୨୦୨୬-୨୭' ଏକ ଭବିଷ୍ୟତବାଦୀ, ଯୁବଶକ୍ତି-କେନ୍ଦ୍ରିକ, ଜନହିତକର ଏବଂ ନିଯୁକ୍ତିଭିତ୍ତିକ ବଜେଟ୍ । ଭାରତର ଅଭିବୃଦ୍ଧି ସାମର୍ଥ୍ୟର ସମ୍ପୂର୍ଣ୍ଣ ବିନିଯୋଗ, ସବୁ ବର୍ଗର ଲୋକଙ୍କ ସାମଗ୍ରିକ ବିକାଶ ଏବଂ 'ବିକଶିତ ଭାରତ'ର ସ୍ୱପ୍ନକୁ ସାକାର କରିବା ପାଇଁ ଲୋକଭିମୁଖୀ ବଜେଟ୍ ଉପସ୍ଥାପନ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ବଜେଟ୍ ପୂର୍ବ ଭାରତ ବିଶେଷତଃ ଓଡ଼ିଶାର ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ ବୋଲି ସେ କହିଛନ୍ତି ।
    ନୂଆଦିଲ୍ଲୀ ଠାରେ ବଜେଟ୍ ସମ୍ପର୍କିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଧର୍ମେନ୍ଦ୍ର କହିଛନ୍ତି ଯେ, 'ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା, ସମସ୍ତଙ୍କ ଆଶା-ଆକାଂକ୍ଷା ପୂରଣ କରି ସାମର୍ଥ୍ୟ ବଢ଼ାଇବା ଏବଂ ପ୍ରତିଟି ପରିବାର ଓ ସମ୍ପ୍ରଦାୟ ପାଖରେ ସମ୍ବଳ, ସୁଯୋଗ ଓ ସୁବିଧା ପହଞ୍ଚାଇବା' ଏହି ତିନୋଟି କର୍ତ୍ତବ୍ୟ ଦ୍ୱାରା ଅନୁପ୍ରାଣିତ ଏହି ବିକଶିତ ଭାରତ ବଜେଟ୍ ସବୁ କ୍ଷେତ୍ରରେ ସର୍ବାଙ୍ଗୀନ ବିକାଶ ଆଣିବ । ଏହି ବଜେଟ୍ ସବକା ସାଥ୍, ସବକା ବିକାଶ ମନ୍ତ୍ର ଉପରେ ଗୁରୁତ୍ୱ ଦେଇଛି, ଯାହା ଦ୍ୱାରା ଗରିବ ଏବଂ ମଧ୍ୟବିତ୍ତ ପରିବାରମାନେ ବିଶେଷ ଭାବରେ ଲାଭ ପାଇବେ । ଏହା ଭାରତର ପରବର୍ତ୍ତୀ ପର୍ୟ୍ୟାୟର ଅଭିବୃଦ୍ଧି ପାଇଁ 'ରିଫର୍ମ ଏକ୍ସପ୍ରେସ୍' ବା ସଂସ୍କାରର ଗତିକୁ ତ୍ୱରାନ୍ୱିତ କରିବ ଏବଂ ୧୪୦ କୋଟିରୁ ଅଧିକ ଭାରତୀଙ୍କ ଲାଭ ସୁନିଶ୍ଚିତ କରିବ ।

    ସେ କହିଛନ୍ତି ଯେ ଚଳିତ ବଜେଟରେ ଶିକ୍ଷା କ୍ଷେତ୍ରରେ ୮ ପ୍ରତିଶତ ବୃଦ୍ଧି ହୋଇଛି । ଏହି କ୍ଷେତ୍ରରେ ୧ ଲକ୍ଷ ୩୯ ହଜାର ୨୮୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଆଗାମୀ ୫ ବର୍ଷ ପାଇଁ ୧୦,୦୦୦ କୋଟି ଟଙ୍କାର ବ୍ୟୟବରାଦ ସହ ‘ବାୟୋଫାର୍ମା ଶକ୍ତି’ ଏବଂ ୪୦,୦୦୦ କୋଟି ଟଙ୍କାର ‘ଇଣ୍ଡିଆ ସେମିକଣ୍ଡକ୍ଟର ୨.୦’ ମିଶନର ଶୁଭାରମ୍ଭ କରାଯାଇଛି । ଶ୍ରମ-ଭିତ୍ତିକ ବୟନ ଶିଳ୍ପ ଏବଂ ଖଦି-ହସ୍ତଶିଳ୍ପର ବିକାଶ ପାଇଁ ‘ମହାତ୍ମା ଗାନ୍ଧୀ ଗ୍ରାମ ସ୍ୱରାଜ’ ଅଭିଯାନ ଘୋଷଣା କରାଯାଇଛି । ଏମଏସଏମଇ କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ୧୦,୦୦୦ କୋଟି ଟଙ୍କାର ଗ୍ରୋଥ୍ ଫଣ୍ଡ୍ ଗଠନ କରାଯାଇଛି । ଯୁବପିଢ଼ିଙ୍କୁ ନିଯୁକ୍ତିକ୍ଷମ କରିବା ପାଇଁ ‘ଇଟୁଇ’ (ଶିକ୍ଷାରୁ ନିଯୁକ୍ତି ଓ ଉଦ୍ୟୋଗ) ମାନକ କମିଟି ଗଠନର ପ୍ରସ୍ତାବ ଦିଆଯାଇଛି । ଦେଶର ୧୫,୦୦୦ ମାଧ୍ୟମିକ ବିଦ୍ୟାଳୟ ଓ ୫୦୦ କଲେଜରେ ‘ଏଭିଜିସି’ (ଆନିମେସନ୍, ଗେମିଂ) ଲ୍ୟାବ୍ ପ୍ରତିଷ୍ଠା ହେବ । ଛାତ୍ରୀମାନଙ୍କୁ ଷ୍ଟେମ ଶିକ୍ଷାରେ ସହାୟତା ପାଇଁ ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏଁ ଛାତ୍ରୀନିବାସ ନିର୍ମାଣ କରାଯିବ । ଶିକ୍ଷା ଓ ଚିକିତ୍ସା ଉଦ୍ଦେଶ୍ୟରେ ବିଦେଶକୁ ଅର୍ଥ ପ୍ରେରଣ ଉପରେ ଟିସିଏସ ହାରକୁ ୫% ରୁ ୨% କୁ ହ୍ରାସ କରାଯାଇଛି । ଏହି ବଜେଟ୍ରେ ଭିତ୍ତିଭୂମି ବିକାଶ ପାଇଁ ବ୍ୟୟବରାଦକୁ ୧୧ ଲକ୍ଷ କୋଟିରୁ ୧୨.୨ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି, ଯାହା ଦେଶର ପ୍ରଗତି ପଥକୁ ପ୍ରଶସ୍ତ କରିବ । ଦେଶରେ ୭ଟି ହାଇ-ସ୍ପିଡ୍ ରେଳ କରିଡର ସହ ପର୍ୟ୍ୟଟନର ବିକାଶ ପାଇଁ ‘ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହସ୍ପିଟାଲିଟି’ ଗଠନ କରାଯିବ । ସ୍ୱାସ୍ଥ୍ୟ କ୍ଷେତ୍ରରେ ତିନୋଟି ନୂତନ ଅଖିଳ ଭାରତୀୟ ଆୟୁର୍ବେଦ ପ୍ରତିଷ୍ଠାନ (ଏଆଇଆଇଏ) ସ୍ଥାପନ ହେବ। ଏହି ବଜେଟ୍ ସାମଗ୍ରିକ ଭାବେ ଏକ ସମୃଦ୍ଧ ଓ ସଶକ୍ତ ଭାରତ ଗଠନରେ ସହାୟକ ହେବ। ଏହି ବଜେଟରୁ ଓଡ଼ିଶା ଭଳି ରାଜ୍ୟ ବିଶେଷ ଭାବରେ ଲାଭବାନ ହେବ ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook