ମୁଖ୍ୟ ଖବର
ନୂଆଦିଲ୍ଲୀ : ରବିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଦେଶର ବଜେଟ୍ ଦସ୍ତାବିଜ୍କୁ ସଂସଦରେ ଉପସ୍ଥାପନ କରିବେ। ଏଥିରେ କେତେକ ପ୍ରମୁଖ ଘୋଷଣା ହେବା ନେଇ ଅନୁମାନ ରହିଛି । ସାଧାରଣ ଲୋକଙ୍କ ପାଇଁ କିଛି ବଡ଼ ପ୍ରସ୍ତାବ ଆସିପାରେ ବୋଲି ସୂତ୍ରରୁ ଜଣାପଡ଼ିଛି । ସରକାର ରେଳ ଭିତ୍ତିଭୂମିକୁ ମଜଭୁତ କରିବା ଉପରେ ଜୋର ଦେଉଛନ୍ତି । ନୂଆ ଟ୍ରେନ ଚଳାଇ ୨୦୩୦ ସୁଦ୍ଧା ରିଜର୍ଭେସନ୍ର ୱେଟିଂ ଲିଷ୍ଟ୍ ହଟାଇବାକୁ ଚାହାନ୍ତି ସରକାର। ଏଭଳି କ୍ଷେତ୍ରରେ ୩୦୦ରୁ ଅଧିକ ଅମୃତ ଭାରତ ଏବଂ ବନ୍ଦେ ଭାରତ ଟ୍ରେନ ଘୋଷଣା ହୋଇପାରେ । ଗତ ବଜେଟରେ ରେଳ ପାଇଁ ୨.୬୫ ଲକ୍ଷ କୋଟି ଟଙ୍କା ଆବଣ୍ଟନ କରାଯାଇଥିଲା । ଏହା ବର୍ତ୍ତମାନ ପର୍ୟ୍ୟନ୍ତ ସବୁଠାରୁ ବଡ଼ ରେଳ ପାଣ୍ଠି ଥିଲା । ଏଥର ବି ବ୍ୟୟବରାଦ ବୃଦ୍ଧି ହେବାର ଅନୁମାନ ରହିଛି । ସାଧାରଣତଃ ଭିଡ଼ ରହୁଥିବା ଋତୁରେ ଚାହିଦା ଏବଂ ସିଟ୍ ଉପଲବ୍ଧତାରେ ପ୍ରାୟ ୨୦ରୁ୨୫% ଅନ୍ତର ରହିଥାଏ । ଏଥିପାଇଁ ଟ୍ରେନ୍ ସଂଖ୍ୟା ବଢ଼ାଇବା ସହ ଟ୍ରାକ୍ ସମ୍ପ୍ରସାରଣ ସରକାରଙ୍କ ଲକ୍ଷ୍ୟ ରହିଛି । ଏହାଦ୍ୱାରା ଦୈନନ୍ଦିନ ଟ୍ରେନରେ ଯାତ୍ରା କରୁଥିବା ପ୍ରାୟ ୨ କୋଟି ଲୋକଙ୍କୁ ଫାଇଦା ହେବ ।
ଆୟକରର ନୂଆ ବ୍ୟବସ୍ଥାରେ ଷ୍ଟାଣ୍ଡାର୍ଡ ଡିଡକ୍ସନ ୭୫ ହଜାରରୁ ବଢ଼ାଇ ୧ ଲକ୍ଷ ଟଙ୍କା କରାଯାଇପାରେ । ଏହାଦ୍ୱାରା ବେତନଭୋଗୀ ଲୋକଙ୍କ ୧୩ ଲକ୍ଷ ଟଙ୍କାର ଆୟ ଟିକସମୁକ୍ତ ହୋଇଯିବ । ଏବେ ୧୨.୭୫ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଆୟ ଟିକସମୁକ୍ତ ରହିଛି । ଶିଳ୍ପ ମହାସଂଘ ସିଆଇଆଇ ସରକାରଙ୍କୁ ପରାମର୍ଶ ଦେଇଛି ଯେ, ଅର୍ଥନୀତିରେ ଚାହିଦା ବଢ଼ାଇବାକୁ ହେଲେ ଲୋକଙ୍କ ହାତକୁ ଟଙ୍କା ବଢ଼ାଇବାକୁ ପଡ଼ିବ । ଟିକସ ଛାଡ଼ ସୀମା ବଢ଼ାଇବା ଦ୍ୱାରା ଲୋକଙ୍କ କ୍ରୟ କ୍ଷମତା ବଢ଼ିବ । ଫଳରେ ଅର୍ଥନୀତିକୁ ଫାଇଦା ହେବ । ସରକାର ପୁରୁଣା ଟିକସ ବ୍ୟବସ୍ଥାକୁ ନୂଆ ବ୍ୟବସ୍ଥା ମାଧ୍ୟମରେ ହଟାଇଦେବାକୁ ଚାହାନ୍ତି । ଏଥିପାଇଁ ନୂଆ ଟିକସ ବ୍ୟବସ୍ଥାକୁ ଫାଇଦାମୂଳକ କରିବାକୁ ପଡ଼ିବ । ଏହି ଉଦ୍ଦେଶ୍ୟରେ ନୂଆ ବ୍ୟବସ୍ଥାରେ ବେତନଭୋଗୀଙ୍କ ପାଇଁ ଷ୍ଟାଣ୍ଡାର୍ଡ ଡିଡକ୍ସନକୁ ବଢ଼ାଯାଇପାରେ । ଏହା ହେବା ଦ୍ୱାରା ମଧ୍ୟବିତ୍ତଙ୍କ ହାତକୁ ଅଧିକ ଟଙ୍କା ଆସିବ । ଏହା ଖର୍ଚ୍ଚ, ସଞ୍ଚୟ ଏବଂ ନିବେଶରେ କାର୍ୟ୍ୟରେ ଆସିବ।
ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ବାର୍ଷିକ ରାଶି ୬ ହଜାର ଟଙ୍କାରୁ ୯ ହଜାର ଟଙ୍କାକୁ ବଢ଼ାଯାଇପାରେ । ଗତ ୩ ବର୍ଷ ଧରି ଏହାକୁ ବଢ଼ାଇବା ପାଇଁ ଆଲୋଚନା ହେଉଛି । ୨୦୧୯ରେ ଏହି ଯୋଜନା ଆରମ୍ଭ ହେବା ପରଠାରୁ ଏଥିରେ ପରିବର୍ତ୍ତନ ହୋଇନାହିଁ । ୨୦୨୪ରେ ସଂସଦୀୟ ସ୍ଥାୟୀ କମିଟି ଏ ରାଶିକୁ ୧୨ ହଜାର ଟଙ୍କା ବାର୍ଷିକ କରିବା ପାଇଁ ସୁପାରିସ ଦେଇଥିଲା । କୃଷକ ସଂଗଠନଗୁଡ଼ିକର କହିବାନୁସାରେ, ୨୦୧୯ରୁ ମିଳୁଥିବା ୬ ହଜାର ଟଙ୍କାର ସହାୟତା ଦରଦାମ ବୃଦ୍ଧି ଯୋଗୁ ୫୦୦୦ ଟଙ୍କା ସହ ସମାନ ହୋଇଯାଇଛି । ଏହାକୁ ବଢ଼ାଇ ୧୨ ହଜାର ଟଙ୍କା କରିବା ଦରକାର । ୨୦୨୫ ନଭେମ୍ବରରେ ବିହାର ସରକାର ୩ ହଜାର ଟଙ୍କା ଅତିରିକ୍ତ ଦେବା ପାଇଁ ଘୋଷଣା କରିଥିଲେ । ଫଳରେ ସେଠାରେ ଚାଷୀଙ୍କୁ ବାର୍ଷିକ ୯ ହଜାର ଟଙ୍କା ମିଳିବ । କେନ୍ଦ୍ର ସମଗ୍ର ଦେଶରେ ଏହାକୁ ଲାଗୁ କରିପାରେ । ବର୍ତ୍ତମାନ ପ୍ରାୟ ୧୧ କୋଟି ଲୋକଙ୍କୁ କିଷାନ ସମ୍ମାନନିଧି ରାଶି ମିଳୁଛି । କେନ୍ଦ୍ର ସରକାର ପ୍ରତିବର୍ଷ ଏହା ଉପରେ ୬୦ରୁ ୬୫ ହଜାର କୋଟି ଟଙ୍କା ଖର୍ଚ୍ଚ କରନ୍ତି । ଏହାକୁ ବଢ଼ାଇ ୯ ହଜାର ଟଙ୍କା ବାର୍ଷିକ କରାଗଲେ ଏ ଖର୍ଚ୍ଚ ବଢ଼ି ପ୍ରାୟ ୯୫ ହଜାର କୋଟି ଟଙ୍କା ହୋଇଯିବ । ଏହା ହେଲେ ଦେଶର ପାଖାପାଖି ୧୧ କୋଟି ଚାଷୀ ପରିବାର ଉପକୃତ ହେବେ ।
ବଜେଟରେ ୨ କିଲୋୱାଟ ପର୍ୟ୍ୟନ୍ତ ସୋଲାର ସିଷ୍ଟମ ଉପରେ ସବ୍ସିଡିକୁ ୩୦ ହଜାର ପ୍ରତି କିଲୋୱାଟ୍ରୁ ବଢ଼ାଇ ୪୦ ହଜାର କରାଯାଇପାରେ । ସରକାର ଆୟୁଷ୍ମାନ ଭାରତ ଯୋଜନାର ପରିସର ବଢ଼ାଇପାରନ୍ତି । ବର୍ତ୍ତମାନ ୭୦ ବର୍ଷରୁ ଅଧିକ ବୟୋଜ୍ୟେଷ୍ଠଙ୍କୁ ଏ ଯୋଜନାର ଫାଇଦା ମିଳୁଛି । ଏହାକୁ ୬୦ ବର୍ଷକୁ କମାଯାଇପାରେ । ଏହାସହିତ ବାର୍ଷିକ ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସାର ଲିମିଟ୍କୁ ବଢ଼ାଯାଇପାରେ ।
Comments ସମସ୍ତ ମତାମତ