ମୁଖ୍ୟ ଖବର
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୬-୨୭ ଆର୍ଥିକବର୍ଷ ଲାଗି ଆସନ୍ତା ଫେବୃଆରୀ ୧୭ରୁ ବିଧାନସଭାରେ ରାଜ୍ୟ ବଜେଟ ଅଧିବେଶନ ଆରମ୍ଭ ହେବାକୁ ରହିଛି। ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟପାଳଙ୍କ ଅନୁମୋଦନ ଲାଗି ଏକପ୍ରସ୍ତାବ ପ୍ରସ୍ତୁତ ହୋଇଛି। ଏହାକୁ ରାଜ୍ୟପାଳଙ୍କ ସ୍ବୀକୃତି ମିଳିବା ପରେ ବିଧାନସଭା ପକ୍ଷରୁ ବିଧିବଦ୍ଧ ଭାବେ ତାରିଖ ଘୋଷଣା ହେବ ବୋଲି ସଂସଦୀୟ ବ୍ୟାପାର ପକ୍ଷରୁ ଜଣାଯାଇଛି।
ସୂଚନା ଅନୁଯାୟୀ, ରାଜ୍ୟ ସରକାରଙ୍କ ପକ୍ଷରୁ ଏଥର ବଜେଟର ବ୍ୟୟ ଅଟକଳ ପ୍ରାୟ ୩ଲକ୍ଷ କୋଟି ଟପିବ ବୋଲି ଆକଳନ କରାଯାଉଛି। ଏହାକୁ ନେଇ ଆସନ୍ତା ଫେବୃଆରୀରୁ ହେବାକୁ ଥିବା ବଜେଟ ଅଧିବେଶନ ୨ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନ ୧୭ରୁ ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିକାଶକୁ ଦୃଷ୍ଟିରେ ରଖି ଆସନ୍ତା ଆର୍ଥିକବର୍ଷ ଲାଗି ସାଧାରଣ ବଜେଟ ଉପସ୍ଥାପନ କରିବେ। ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ମାର୍ଚ୍ଚରେ ହେବ। ଉଭୟ ପର୍ଯ୍ୟାୟରେ ପ୍ରାୟ ୩୦ଦିନ କାର୍ଯ୍ୟ ଦିବସ ଚାଲିବା ପାଇଁ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି କରାଯାଇଛି।
ରାଜ୍ୟ ସରକାରଙ୍କ ପକ୍ଷରୁ ଉନ୍ନୟନ କମିଶନର ଦେଓ ରଞ୍ଜନ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଜାନୁଆରୀ ୧୭ ଏବଂ ୧୯ରେ ଦୁଇଟି ପର୍ଯ୍ୟାୟରେ ବିଭାଗସ୍ତରୀୟ ପ୍ରାକ୍ ବଜେଟ ଆଲୋଚନା ହୋଇସାରିଛି। ୨୦୨୪-୨୫ ଆର୍ଥିକ
ବର୍ଷରେ ରାଜ୍ୟ ସରକାର ୨ଲକ୍ଷ ୬୫ହଜାର କୋଟି ଟଙ୍କାର ବଜେଟ ଆଣିଥିଲେ। ସେଥିରେ ପ୍ରଶାସନିକ ବ୍ୟୟ ବାବଦକୁ ୯୭ହଜାର ୭୨୫କୋଟି ଟଙ୍କା ରହିଥିବାବେଳେ କାର୍ଯ୍ୟକ୍ରମ ବାବଦକୁ ୧ଲକ୍ଷ ୫୫ହଜାର କୋଟି ଟଙ୍କା ରହିଥିଲା। ଏହାସହିତ ୩ହଜାର ୯୦୦କୋଟି ଟଙ୍କା ବିପର୍ଯ୍ୟୟ ପ୍ରଶମନ ପାଇଁ ରହିଥିବାବେଳେ ୮ହଜାର ୩୭୫କୋଟି ଅନ୍ୟାନ୍ୟ ବ୍ୟୟ ବାବଦକୁ ରହିଥିଲା। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୫-୨୬ ଆର୍ଥିକବର୍ଷ ଲାଗି ୨ଲକ୍ଷ ୯୦ହଜାର କୋଟି ଟଙ୍କାର ବଜେଟ ବ୍ୟବସ୍ଥା ହୋଇଥିଲା। ସେଥିମଧ୍ୟରେ ପ୍ରଶାସନିକ ଖର୍ଚ୍ଚ ବାବଦକୁ ୧ଲକ୍ଷ ୮ହଜାର କୋଟି ଟଙ୍କା ରହିଥିବାବେଳେ କାର୍ଯ୍ୟକ୍ରମ ବ୍ୟୟବାବଦକୁ ୧ଲକ୍ଷ ୭୦ହଜାର କୋଟି, ବିପର୍ଯ୍ୟୟ ପ୍ରଶମନ ପାଇଁ ୪ହଜାର କୋଟି ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ହସ୍ତାନ୍ତର ଲାଗି ୮ହଜାର କୋଟି ଟଙ୍କା ରହିଥିଲା।
ଏହି ପରିପ୍ରେକ୍ଷୀରେ ଅର୍ଥ ବିଭାଗ ପକ୍ଷରୁ ୨୦୨୬-୨୭ ବର୍ଷ ଲାଗି ବଜେଟରେ ଅଧିକ ବ୍ୟୟବରାଦ କରାଯିବାକୁ ଲକ୍ଷ୍ୟ ରହିଛି। ଓଡ଼ିଶାକୁ ୨୦୨୬ ସୁଦ୍ଧା ବିକଶିତ ରାଜ୍ୟରେ ପରିଣତ କରିବାପାଇଁ ରାଜ୍ୟ ସରକାର ପୂର୍ବବର୍ଷ ତୁଳନାରେ ଅତି କମ୍ରେ ୮ପ୍ରତିଶତ ଅଧିକ ବ୍ୟୟବରାଦ କରିପାରନ୍ତି ବୋଲି ଅର୍ଥ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
Comments ସମସ୍ତ ମତାମତ