ମୁଖ୍ୟ ଖବର
ନୂଆଦିଲ୍ଲୀ: ସାଧାରଣ ବଜେଟ୍ ୨୦୨୫-୨୬ ରେ କେନ୍ଦ୍ର ସରକାର ଆୟକର ଛାଡ ସୀମା ବୃଦ୍ଧି କରି ମଧ୍ୟବିତ୍ତଙ୍କୁ ବଡ ଆଶ୍ବସ୍ତି ଦେଇଛନ୍ତି । ନୂତନ ଟ୍ୟାକ୍ସ ନୀତି ଅନୁସାରେ, ୧୨ ଲକ୍ଷ ପର୍ୟ୍ୟନ୍ତ ଆୟକାରୀଙ୍କ ପାଇଁ ଆୟକର ଛାଡ କରାଯାଇଛି । ଏହି ନିଷ୍ପତ୍ତି ପଛରେ ପ୍ରତ୍ୟେକ୍ଷ ଭାବେ ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମଧ୍ୟବିତ୍ତଙ୍କୁ ଆୟକରରେ ଆଶ୍ବସ୍ତି ଦେଇ ସେମାନଙ୍କ ଆୟ ବୃଦ୍ଧି କରିବା ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତି ଥିଲା । ହେଲେ ଏହି ନିଷ୍ପତ୍ତି ସମ୍ପର୍କରେ ଅଧିକାରୀଙ୍କୁ ରାଜି କରିବା ପାଇଁ କିଛି ସମୟ ଲାଗିଥିଲା ବୋଲି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।
ଗତକାଲି ସଂସଦରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ଆଜି ଜାତୀୟ ଖବର ସରବରାହ ସଂସ୍ଥା ‘ପିଟିଆଇ’କୁ ପ୍ରତିକ୍ରିୟା ଦେଇ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଆବ୍ରାହମ୍ ଲିଙ୍କନଙ୍କ ଗଣତନ୍ତ୍ର ତତ୍ତ୍ବର ଉଦାହରଣ ରଖି ଚଳିତ ବଜେଟର ବ୍ୟାଖ୍ୟା କରିଛନ୍ତି । ନିର୍ମଳା କହିଛନ୍ତି,‘‘ ଚଳିତଥରର ବଜେଟ୍ ଲୋକଙ୍କ ଦ୍ବାରା, ଲୋକଙ୍କ ପାଇଁ ଓ ଲୋକଙ୍କ ବଜେଟ୍ । ମଧ୍ୟବିତ୍ତ ବର୍ଗ ଦେଶର ସଚ୍ଚୋଟ କରଦାତା ହେବା ସତ୍ତ୍ୱେ ସେମାନଙ୍କର ଆକାଂକ୍ଷା ପୂରଣ ନ ହେବା ସମ୍ପର୍କରେ ବାରମ୍ବାର ଅଭିଯୋଗ କରି ଆସୁଥିଲେ । ଆମେ ଚଳିତ ବଜେଟରେ ମଧ୍ୟବିତ୍ତ ବର୍ଗର ସ୍ୱର ଶୁଣିଛୁ । ଏହି ବଜେଟ୍ ଲୋକଙ୍କ ବଜେଟ ।’’
ଅର୍ଥମନ୍ତ୍ରୀ କହିଛନ୍ତି, ୨୦୨୪ ଜୁଲାଇ ବଜେଟ୍ ପରଠାରୁ ତାଙ୍କ ମନ୍ତ୍ରଣାଳୟ ନୂତନ ଆୟକର ଆଇନ୍ ପ୍ରସ୍ତୁତ କରିବା ପାଇଁ ପ୍ରସ୍ତୁତ ହେଉଥିଲା । କିଛି ପ୍ରସଙ୍ଗରେ ଅର୍ଥ ମନ୍ତ୍ରଣାଳୟ ଗତ କିଛି ସମୟ ଧରି କାମରେ ଜାରି ରଖିଛି । ସେଥିମଧ୍ୟରୁ ଗୋଟିଏ ହେଉଛି ପ୍ରତ୍ୟକ୍ଷ ଟିକସ ବ୍ୟବସ୍ଥାକୁ ସରଳ କରାଯିବା ଉଚିତ୍ । ଏହି ବ୍ୟବସ୍ଥା ଅନୁପାଳନ ପାଇଁ ସହଜ ହେବା ଉଚିତ । ତେଣୁ ଆୟକର ଆଇନ୍ ଖୁବ ସରଳ କରିବାକୁ ପଡିବ । ୨୦୨୪ ଜୁଲାଇ ବଜେଟରେ ଏହି ପ୍ରକ୍ରିୟାକୁ ସରଳ କରି ଆସନ୍ତା ଛଅ ମାସ ମଧ୍ୟରେ ନୂତନ ଆୟକର ଆଇନ୍ ପ୍ରସ୍ତୁତ କରିବା ପାଇଁ ସେ ଘୋଷଣା କରିଥିଲେ । ସେବେଠାରୁ ଏହି ପ୍ରସ୍ତୁତି ଆରମ୍ଭ ହୋଇଥିଲା ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।ଅର୍ଥମନ୍ତ୍ରୀ କହିଛନ୍ତି, ଏହି ବିଚାର ସହିତ ଟିକସ ବ୍ୟବସ୍ଥାକୁ ଅଧିକ ଉପଯୋଗୀ କରିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିଲା । ନିର୍ମଳା କହିଛନ୍ତି " ମୁଁ ଯେଉଁଠାରେ ଯାତ୍ରା କରିଥିଲି ସେଠାରେ ଜନତାଙ୍କଠାରୁ ଗୋଟିଏ କଥା ଶୁଣିବାକୁ ପାଇଥିଲି,' ଆମେ ଗର୍ବିତ କରଦାତା, ଆମେ ସଚ୍ଚୋଟ କରଦାତା, ଆମେ ଉତ୍ତମ କରଦାତା ଭାବେ ଦେଶ ସେବା ଜାରି ରଖିବାକୁ ଚାହୁଁଛୁ । କିନ୍ତୁ ଆପଣ (ସରକାର) ଏଦିଗରେ କଣ ପଦକ୍ଷେପ ଗ୍ରହଣ କରିପାରିବେ ସେ ବିଷୟରେ ଚିନ୍ତା କରନ୍ତୁ ?’ ଏବଂ ତେଣୁ, ମୁଁ ପ୍ରଧାନମନ୍ତ୍ରୀଙ୍କ ସହ ମଧ୍ୟ ଏହି ପ୍ରସଙ୍ଗରେ ଆଲୋଚନା କରିଥିଲି । ସେ ମତେ ଏହି ପ୍ରସଙ୍ଗରେ ନିର୍ଣ୍ଣୟ ନେବା ପାଇଁ ନିର୍ଦ୍ଦିଷ୍ଟ ଦାୟିତ୍ୱ ଦେଇଥିଲେ । ତେଣୁ ଆମେ ମନ୍ତ୍ରଣାଳୟ ଅଧୀନରେ କିଛି ପ୍ରକ୍ରିୟା ଆରମ୍ଭ କରିଥିଲୁ । ଏହି ପ୍ରସଙ୍ଗରେ ଆମ ସମ୍ମୁଖରେ କଣ ଆହ୍ବାନ ଅଛି, ତାହା ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରିଥିଲୁ ।’’
Comments ସମସ୍ତ ମତାମତ