Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

buddha purnima

ମୁଖ୍ୟ ଖବର

    ଜାଣନ୍ତୁ, ବୌଦ୍ଧ ଧର୍ମର ପ୍ରଚାରକ ଗୌତମ ବୁଦ୍ଧଙ୍କ ସଂପର୍କରେ....

    Share on :
    ajab-Image
    Date: May 4, 2023    Views: 4146

    ଗୌତମ ବୁଦ୍ଧ ବୌଦ୍ଧ ଧର୍ମର ପ୍ରତିଷ୍ଠାତା ଓ ଧର୍ମ ସଂସ୍ଥାପକ ଥିଲେ । ବୌଦ୍ଧ ଧର୍ମ ବିଶ୍ୱାସୀଙ୍କ ମଧ୍ୟରେ ସେ ସର୍ବଶ୍ରେଷ୍ଠ ବୁଦ୍ଧ ଭାବରେ ଜଣା, “ବୁଧ/ବୁଦ୍ଧ” ଶବ୍ଦର ଅର୍ଥ ପାଲି ଭାଷାରେ “ଉଠିଥିବା” ବା “ଆଲୋକିତ” ବୁଝାଇଥାଏ । ଇତିହାସ ଅନୁସାରେ ବୁଦ୍ଧଙ୍କ ଜନ୍ମ ପୁରାତନ ଓଡ଼ିଶା ବା କଳିଙ୍ଗର ଭୁବନେଶ୍ୱର ନିକଟରେ ଥିବା କପିଳେଶ୍ୱର ଜନପଦରେ ହୋଇଥିଲା  । ଅଶୋକଙ୍କ ଶିଳାଲେଖ, ଜଉଗଡ଼ର ଶିଳାଲେଖ ଓ ସେକାଳରେ ଓଡ଼ିଶାରେ ପ୍ରଚଳିତ ଭାଷା ପାଲି ଭାଷାର ବ୍ୟବହାର କରାଯାଇଥିବା ବୌଦ୍ଧ ଧର୍ମଗ୍ରନ୍ଥ ତ୍ରିପିଟକର ଭାଷାରୁ ଏକଥା ପ୍ରମାଣ ମିଳିଥାଏ  । ତେବେ କିଛି ଗବେଷକଙ୍କ ମତରେ ବୁଦ୍ଧଙ୍କ ଜନ୍ମ ନେପାଳର କପିଳବାସ୍ତୁଠାରେ ହୋଇଥିଲା  ।

    ଗୌତମ ବୁଦ୍ଧ ବୌଦ୍ଧ ଧର୍ମର ପ୍ରତିଷ୍ଠା କରିଥିଲେ  । ସେ ଖ୍ରୀ. ପୂ ୫୬୭ରେ ହିମାଳୟର ପାଦଦେଶରେ ଅବସ୍ଥିତ କପିଳବାସ୍ତୁ ନିକଟବର୍ତ୍ତୀ ଲୁମ୍ବିନୀ ଉପବନରେ ଜନ୍ମ ଗ୍ରହଣ କରିଥିଲେ  । କପିଳାବାସ୍ତୁ ଶାକ୍ୟବଂଶୀୟ କ୍ଷତ୍ରିୟମାନଙ୍କର ଏକ କ୍ଷୁଦ୍ର ରାଜ୍ୟ ଥିଲା । ଗୌତମଙ୍କର ପିତା ଶୁଦେ୍ଧାଦନ ଏହି ଶାକ୍ୟ ଗଣତନ୍ତ୍ରର ରାଜା ଥିଲେ  । ତାଙ୍କର ମାତାଙ୍କ ନାମ ଥିଲା ମାୟାଦେବୀ  । ଜନ୍ମ ଲାଭ କରିବାର ଏକ ସପ୍ତାହ ପରେ ତାଙ୍କର ମାତା ମାୟାଦେବୀଙ୍କର ମୃତ୍ୟୁ ହେବାରୁ ବିମାତା ଗୌତମୀଙ୍କଦ୍ୱାରା ସେ ପରିପାଳିତ ହୋଇଥିଲେ  । ରାଜପୁତ୍ର ହେଲେ ମଧ୍ୟ ରାଜକୀୟ ଭୋଗବିଳାସ ପ୍ରତି ତାଙ୍କର ମନ ଆଦୌ ଆକୃଷ୍ଟ ନଥିଲା  । ସେ ସଂସାରବିରାଗୀ ଥିଲେ  । ପୁତ୍ରର ମନ ପରିବର୍ତ୍ତନ ନିମନ୍ତେ ଶୁଦେ୍ଧାଦନ ଗୌତମଙ୍କୁ ଗୋପା ନାମ୍ନୀ ଏକ ସୁନ୍ଦରୀ ରାଜକନ୍ୟାଙ୍କ ସହିତ ବିବାହ କରାଇଥିଲେ  । ବିବାହ ପରେ ଗୌତମଙ୍କର ଏକ ପୁତ୍ର ସନ୍ତାନ ଜାତ ହୋଇଥିଲା  । ଏସବୁ ସତ୍ତେ୍ୱ ଗୌତମଙ୍କର ମନ ପରିବର୍ତ୍ତନ ହୋଇନଥିଲା ।

    କପିଳାବାସ୍ତୁ ନଗର ପରିଭ୍ରମଣ କଲାବେଳେ ଗୌତମ ଏକ ଜରାଗ୍ରସ୍ତ, ଏକ ରୁଗ୍ଣ ବ୍ୟକ୍ତି ଏବଂ ଏକ ଶବ ଦେଖିବାରୁ ମନରେ ଗଭୀର ଦୁଃଖ ଅନୁଭବ କଲେ  । ମନୁଷ୍ୟର ଜନ୍ମ, ବାର୍ଦ୍ଧକ୍ୟ, ରୋଗ, ଦୁଃଖ, କ୍ଳେଶ, ମୃତ୍ୟୁ ଇତ୍ୟାଦି ବିଷୟ ଚିନ୍ତାକରି ସେ ଦୁଃଖରେ ଅଭିଭୂତ ହୋଇପଡ଼ିଲେ  । ସେ ଏସବୁଥିରୁ ମୁକ୍ତିଲାଭ କରିବାର ଉପାୟ ଚିନ୍ତା କରିବାକୁ ଲାଗିଲେ  । ଏହି ସମୟରେ ଦିନେ ସେ ଏକ ପ୍ରସନ୍ନବଦନ ଜନୈକ ସନ୍ନ୍ୟାସୀଙ୍କୁ ଦେଖିଲେ  । ସନ୍ନ୍ୟାସ ବରଣ କଲେ ଦୁଃଖରୁ ତ୍ରାହି ମିଳିବ ବୋଲି ସେ ୨୯ ବର୍ଷ ବୟସରେ ଦିନେ ନିଶାର୍ଦ୍ଧରେ ସାଂସାରିକ ମାୟାବନ୍ଧନ ଛିନ୍ନକରି ସମସ୍ତଙ୍କ ଅଗୋଚରରେ ରାଜପ୍ରସଦ ତ୍ୟାଗ କରିଥିଲେ  ।

    ବୌଦ୍ଧ ଧର୍ମ,ଏକ ଧର୍ମ ଓ ଦର୍ଶନ ଯେଉଁଥିରେ ଅନେକ ଧରଣର ପରମ୍ପରା, ବିଶ୍ୱାସ ଓ ଆଚରଣ ରହିଛି  । ଏହା ଗୌତମ ବୁଦ୍ଧଙ୍କ ଶିକ୍ଷାକୁ ନେଇ ଗଠିତ  । ୬ଷ୍ଠ ଓ ୪ର୍ଥ ଖ୍ରୀ.ପୂ.ରେ ବୁଦ୍ଧ ଭାରତୀୟ ଉପମହାଦେଶର ଉତ୍ତର-ପୂର୍ବ ଭାଗରେ ବାସ କରି ଶିକ୍ଷା ଦେଇଥିଲେ  । ସେ ବୌଦ୍ଧବାଦୀମାନଙ୍କ ପାଇଁ, ବୋଧି ବା ଜଣେ ଆଲୋକିତ ଗୁରୁ, ଯେ ତାହାଙ୍କର ଜ୍ଞାନକୁ ଚେତନା ରହିତ ଜନଙ୍କୁ ଅବିଦ୍ୟାର ବିନାଶ କରିବା ନିମିତ୍ତ ଶିକ୍ଷା ଦେଇଥିବା ଗୁରୁ ଭାବରେ ଜଣା; ଯାହା ସଂସାର କଷଣରୁ ତରିବାରେ ଜଣଙ୍କୁ ସହଯୋଗ କରିଥାଏ  ।

    ଗୌତମ ବୁଦ୍ଧଙ୍କ ପରିନିର୍ମାଣର ଅଳ୍ପ କାଳ ମଧ୍ୟରେ ବୌଦ୍ଧ ଧର୍ମ ସମଗ୍ର ଭାରତବର୍ଷରେ ପ୍ରସାରଲାଭ କରିଥିଲା  । ବିଶେଷତଃ ଖ୍ରୀ.ପୂ. ତୃତୀୟ ଶତାବ୍ଦୀରେ ମୌର୍ଯ୍ୟ ସମ୍ରାଟ ଅଶୋକଙ୍କ ପୃଷ୍ଠପୋଷକତାରେ ବୌଦ୍ଧ ଧର୍ମ କେବଳ ଭାରତରେ ନୁହେଁ, ଭାରତ ବାହାରେ ଯଥା, ପଶ୍ଚିମରେ ଗ୍ରୀସ ଦେଶଠାରୁ ପୂର୍ବରେ ବ୍ରହ୍ମଦେଶ (ବର୍ତ୍ତମାନର ମିଆଁମାର) ଏବଂ ଦକ୍ଷିଣରେ ସିଂହଳ (ବର୍ତ୍ତମାନର ଶ୍ରୀଲଙ୍କା) ପର୍ଯ୍ୟନ୍ତ ପ୍ରସାରିତ ହୋଇଥିଲା  । ଖ୍ରୀଷ୍ଟୀୟ ପ୍ରଥମ ଶତାବ୍ଦୀରେ କୁଶାଣ ବଂଶର ଶ୍ରେଷ୍ଠ ସମ୍ରାଟ କନିଷ୍କଙ୍କ ପ୍ରେରଣାରେ ବୌଦ୍ଧଧର୍ମ ଚୀନ, ତିବ୍ୱତ, ଜାପାନ ପ୍ରଭୃତି ଦେଶରେ ପ୍ରଚାରିତ ହୋଇଥିଲା  । ସପ୍ତମ ଓ ଅଷ୍ଟମ ଶତାବ୍ଦୀରେ କନୌଜର ରାଜା ହର୍ଷବର୍ଦ୍ଧନଙ୍କ ସାହାଯ୍ୟରେ ବୌଦ୍ଧଧର୍ମ ବିଶେଷ ଅଗ୍ରଗତି ଲାଭ କରିଥିଲା  । ଏହିପରି ପୃଷ୍ଠପୋଷକତା ଲାଭକରି ବୌଦ୍ଧଧର୍ମ ପୃଥିବୀର ଏକ ମୂଖ୍ୟ ଧର୍ମରେ ପରିଣତ ହୋଇଥିଲା । ପ୍ରାଚୀନ ରାଜା ମହାରାଜାମାନଙ୍କଦ୍ୱାରା ଅତି ସୁନ୍ଦର କାରୁକାର୍ଯ୍ୟପୂର୍ଣ୍ଣ ଅସଂଖ୍ୟ ବୌଦ୍ଧଗୁମ୍ଫା, ସ୍ତୂପ, ଚୈତ୍ୟ, ବୌଦ୍ଧବିହାର ଓ ବୌଦ୍ଧମୂର୍ତ୍ତି ଗୁଡ଼ିକ ଭାରତର ବିଭିନ୍ନ ସ୍ଥାନରେ ନିର୍ମିତ ହୋଇଥିଲା, ଯାହା ବୌଦ୍ଧ ଧର୍ମର ପ୍ରଚାର ଏବଂ ପ୍ରସାର ଦିଗରେ ଯଥେଷ୍ଟ ସାହାଯ୍ୟ କରିଥିଲା  । ସମ୍ରାଟ ଅଶୋକଙ୍କର ଅନୁଶାସନ ବୌଦ୍ଧଧର୍ମ ପ୍ରସାରର ଏକ ପ୍ରଧାନ କାରଣ  ।

    Maximum 500 characters

    buddha purnima View all

    Find Us on Facebook