ମୁଖ୍ୟ ଖବର
ଭୁବନେଶ୍ବର: ରାଜଧାନୀରେ ପୁଣି ଠାବ ହେଲା ବଡ଼ ପରିମାଣର ଡ୍ରଗ୍ସ । ଭୁବନେଶ୍ୱର ଅବକାରୀ ଜିଲ୍ଲା ଟିମ୍ ୩ ସ୍ଥାନରେ ଚଢ଼ାଉ କରି ୪ ଜଣ ବ୍ୟକ୍ତିଙ୍କୁ ଗତକାଲି (ଶନିବାର) ଗିରଫ କରିଛି । ସେମାନଙ୍କ ଠାରୁ ୩୩୦ ଗ୍ରାମ ବ୍ରାଉନସୁଗର ଜବତ କରାଯାଇଛି । ଏହାର ଆନୁମାନିକ ମୂଲ୍ୟ ୩୩ ଲକ୍ଷ ଟଙ୍କା ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର ଅବକାରୀ ଜିଲ୍ଲା ଅଧୀକ୍ଷକ ଦେବାଶିଷ ପଟେଲ କହିଛନ୍ତି । ଏପରି ଘଟଣାକୁ ନେଇ ଭୁବନେଶ୍ୱର ଅବକାରୀ ରେଞ୍ଜ- ୨ ପକ୍ଷରୁ ଗୋଟିଏ ମାମଲା, ଭୁବନେଶ୍ୱର ଅବକାରୀ ଥାନା-୨ ପକ୍ଷରୁ ଗୋଟିଏ ମାମଲା ଓ ଜିଲ୍ଲା ଅବକାରୀ ମୋବାଇଲ ୟୁନିଟ୍ ପକ୍ଷରୁ ଗୋଟିଏ ମାମଲା ରୁଜୁ କରାଯାଇଛି ।
ଅବକାରୀ ରେଞ୍ଜ-୨ ଦ୍ୱାରା ଗିରଫ ଅଭିଯୁକ୍ତଦ୍ୱୟ ହେଲେ ଇନଫୋସିଟି ଥାନା ଅନ୍ତର୍ଗତ ଶିଖରଚଣ୍ଡି ବସ୍ତିର ଅରୁଣ କୁମାର ପଣ୍ଡା (୨୮) ଓ ପ୍ରଶାନ୍ତି ବିହାରର ସୁନୀଲ କୁମାର ମାଝୀ (୨୩) । ସେମାନଙ୍କ ଠାରୁ ୧୩୦ ଗ୍ରାମ ବ୍ରାଉନସୁଗର ଓ ଗୋଟିଏ ସ୍କୁଟି ଜବତ କରାଯାଇଛି । ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଭୋଟପଡା-ଧିରୁକୁଟି ରାସ୍ତାରେ ଚଢ଼ାଉ ବେଳେ ଉଭୟ ଧରାପଡ଼ିଥିଲେ ।
ସେହିପରି ଭୁବନେଶ୍ୱର ଅବକାରୀ ଥାନା-୨ ଦ୍ୱାରା ଗିରଫ ଅଭିଯୁକ୍ତ ହେଲେ ମଞ୍ଚେଶ୍ୱର ଇଞ୍ଜଣା ଗ୍ରାମର କୃଷ୍ଣଚନ୍ଦ୍ର ନାଥ (୩୦) । ତା ପାଖରୁ ୧୫୨ ଗ୍ରାମବ୍ରାଉନସୁଗର ଓ ଗୋଟିଏ ବୁଲେଟ ଜବତ କରାଯାଇଛି । ମଞ୍ଚେଶ୍ୱର ଥାନା ଅନ୍ତର୍ଗତ କଳାରାହଙ୍ଗ-ଚକେଇସିଆଣି କେନାଲ ରୋଡ଼ରେ ଚଢ଼ାଉ କରି ଅବକାରୀ ଟିମ୍ ତାକୁ ଗିରଫ କରିଛି ।ସେହିପରି ଜିଲ୍ଲା ଅବକାରୀ ମୋବାଇଲ ୟୁନିଟ୍ ଦ୍ୱାରା ଗିରଫ ଅଭିଯୁକ୍ତ ହେଲା ଆକାଶ ମୁଖୀ (୨୦) । ତାଙ୍କ ଠାରୁ ୪୮ ଗ୍ରାମ ବ୍ରାଉନସୁଗର ଜବତ କରାଯାଇଛି । ବାଲିଅନ୍ତା ଥାନା ଅନ୍ତର୍ଗତ ଭିଙ୍ଗାରପୁର ଛକରେ ଚଢ଼ାଉ ବେଳେ ଆକାଶ ଧରାପଡ଼ିଥିଲା ।
ଅଧୀକ୍ଷକ ଦେବାଶିଷ ପଟେଲ କହିଛନ୍ତି, "ଗିରଫ ଅଭିଯୁକ୍ତମାନେ ବ୍ରାଉନସୁଗରକୁ ଛୋଟ ଛୋଟ ପୁଡ଼ିଆ କରି ବିକ୍ରି କରୁଥିଲେ । ସୋସିଆଲ ମିଡିଆ ଜରିଆରେ ଗ୍ରାହକଙ୍କୁ ଡାକି ବିକ୍ରି କରୁଥିଲେ । ଏମାନଙ୍କ ପଛରେ ଥିବା ମାଷ୍ଟରମାଇଣ୍ଡ ଜଣକ କିଏ ! ଅଧିକ ତଦନ୍ତ ପରେ ଜଣାପଡ଼ିବ," ବୋଲି ସେ କହିଛନ୍ତି ।
Comments ସମସ୍ତ ମତାମତ