ମୁଖ୍ୟ ଖବର
ଏରସମା : ବ୍ରାଉନସୁଗାର କାରବାରରେ ସଂପୃକ୍ତ ଥିବା ଅଭିଯୋଗରେ ଧରା ପଡିଛନ୍ତି ସରକାରୀ ହାଇସ୍କୁଲର ଶିକ୍ଷକ । ସ୍କୁଲର କିରାଣି ବି ଏଭଳି କାରବାରରେ ସଂପୃକ୍ତ ଥିବା ଅଭିଯୋଗରେ ଧରାପଡିଛନ୍ତି । ଜଗତସିଂହପୁର ଜିଲ୍ଲା ଏରସମା ଅଞ୍ଚଳର ଏଭଳି ଘଟଣା ଚର୍ଚ୍ଚାର ପ୍ରସଙ୍ଗ ହୋଇଛି । ଶିକ୍ଷକ, କିରାଣି ଓ ଅନ୍ୟ ଜଣେ ଯୁବକ ଠାରୁ ୧୪.୬୩୦ ଗ୍ରାମର ବ୍ରାଉନସୁଗାର ଜବତ କରାଯାଇଛି । ଏରସମା ଅଞ୍ଚଳରେ ଦିନକୁ ଦିନ ବ୍ରାଉନସୁଗାର କାରବାର ବୃଦ୍ଧି ପାଉଥିବା ଖବର ମିଳିବା ପରେ ପୁଲିସ ପକ୍ଷରୁ କଡ଼ା ନଜର ରଖାଯାଇଥିଲା । ଗତକାଲି ରାତିରେ ତିନି ଜଣ ଯୁବକ ବ୍ରାଉନସୁଗାର ସେବନ କରୁଥିବା ଖବର ପାଇ ପୁଲିସ ଏକ ନିଛାଟିଆ ସ୍ଥାନରେ ଚଢ଼ଉ କରି ଏରସମା ଶିବପୁର ଗ୍ରାମର ବିନୟ କୁମାର ସାସ(୩୦) ଓରଫ ବାବୁନା, ଶ୍ରୀରାମପୁର ଗ୍ରାମର ପ୍ରକାଶ ଚନ୍ଦ୍ର ଦାସ(୩୦) ଓରଫ ପାପୁନି ଏବଂ ପଂଚପଲ୍ଲୀ ଗୋବିନ୍ଦପୁର ଗ୍ରାମର ତପନ ତରୁଣ ମହାପାତ୍ର(୪୫) ଓରଫ ପପୁଙ୍କୁ କାବୁ କରିଥିଲା । ସେମାନଙ୍କ ନିକଟରୁ ୧୪.୬୩୦ ଗ୍ରାମର ବ୍ରାଉନସୁଗାର ଜବତ କରାଯାଇଥିବା ବେଳେ ମାମଲା ରୁଜୁ କରାଯାଇ ତଦନ୍ତ ଚାଲୁ ରହିଛି । ତେବେ ଏହି ବ୍ରାଉନସୁଗାର କେଉଁଠୁ ଆସୁଥିଲା ଓ କାହା ଜରିଆରେ ଏଠାକୁ ଆସୁଥିଲା ସେନେଇ ପୁଲିସ ଛାନଭିନ ଚଳାଇଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ପ୍ରକାଶ ସରକାରୀ ହାଇସ୍କୁଲ ଶିକ୍ଷକ ଥିବାବେଳେ ତପନ ସେହି ସ୍କୁଲର କିରାଣି ବୋଲି ଥାନା ଅଧିକାରୀ ଲିଜାରାଣୀ ବିଶ୍ୱାଳ ସୂଚନା ଦେଇଛନ୍ତି ।
Comments ସମସ୍ତ ମତାମତ