Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଆଜିଠୁ ପୁରୀରେ ବ୍ରିକ୍ସ ସମ୍ମିଳନୀ

    Share on :
    ajab-Image
    Date: Jun 3, 2026    Views: 2582

    ପୁୁରୀ : ପୁରୀରେ ପ୍ରଥମ ଅନ୍ତର୍ଜାତୀୟ ବ୍ରିକ୍ସ ସମ୍ମିଳନୀ ବୁଧବାର ଠାରୁ ତିନିଦିନ ଧରି ଅନୁଷ୍ଠିତ ହେବ। ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଜ୍ୟ ପୁଲିସ ମହାନିର୍ଦେଶକ (ଡିଜିପି) ଯୋଗେଶ ବାହାଦୁର ଖୁରାନିଆ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି। ୧୧ ରାଷ୍ଟ୍ରର ପ୍ରତିନିଧି ମଙ୍ଗଳବାର ରାତି ସୁଦ୍ଧା ସିପସରୁବାଲିର ଏକ ତାରକା ହୋଟେଲରେ ଆସି ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସମ୍ମିଳନୀ ଉଦ୍‌ଘାଟନ କରିବେ। ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଉପସ୍ଥିତ ରହିବେ। ଓଡ଼ିଶା ରାଜ୍ୟ ବିପର୍ୟ୍ୟୟ ପରିଚାଳନା କର୍ତ୍ତୃପକ୍ଷକୁ ଏହି ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ସମ୍ମିଳନୀର ଆୟୋଜନ ଦାୟିତ୍ବ ଦିଆଯାଇଛି।
    ବ୍ରାଜିଲ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ଦକ୍ଷିଣ ଆଫ୍ରିକା, ଋଷ, ସାଉଦି ଆରବ, ୟୁଏଇ, ଚୀନ ଆଦି ଦେଶର ପ୍ରତିନିଧି ସେଥିରେ ଯୋଗଦେବେ।
    ପ୍ରାକୃତିକ ବିପର୍ୟ୍ୟୟର ସଫଳ ପରିଚାଳନା, ଜଳବାୟୁ ପରିବର୍ତ୍ତନ ପ୍ରଭାବର ମୁକାବିଲା, ଅତ୍ୟାଧୁନିକ ବିପର୍ୟ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତି, ବିପର୍ୟ୍ୟୟର ପ୍ରାକ୍ ପ୍ରସ୍ତୁତି ଓ ଶୂନ୍ୟ ମୃତାହତ ଆଦି ବିଷୟରେ ତିନିଦିନ ଧରି ଆଲୋଚନା କରାଯିବ। ଏସବୁ କ୍ଷେତ୍ରରେ ଓଡ଼ିଶାର ଦକ୍ଷତା ଓ ସଫଳତା ବିଷୟରେ ପ୍ରମାଣିତ ତଥ୍ୟ ଉପସ୍ଥାପନ କରାଯିବ। ଓଡ଼ିଶାର ପାରମ୍ପରିକ ପଦ୍ଧତିରେ ଅତିଥିମାନଙ୍କୁ ସ୍ବାଗତ କରାଯାଇଛି। ଏହି ସମ୍ମିଳନୀକୁ ଦୃଷ୍ଟିରେ ରଖି ହୋଟେଲ ଚତୁଃପାର୍ଶ୍ବ ସମେତ ପୁରୀ ବାଇପାସ୍ ରାସ୍ତା, ସମୁଦ୍ର ବେଳାଭୂମିରେ ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଦେଶୀ ଅତିଥିଙ୍କୁ ସର୍ବୋତ୍କୃଷ୍ଟ ଆତିଥେୟତା ପ୍ରଦାନ ପାଇଁ ସରକାର ଉଦ୍ୟମ ଚଳାଇଛନ୍ତି। ବରିଷ୍ଠ ପ୍ରଶାସନିକ ଓ ପୁଲିସ ଅଧିକାରୀଙ୍କୁ ବିଭିନ୍ନ ଦାୟିତ୍ବ ଦିଆଯାଇଛି। ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ବିଦେଶୀ ରାଷ୍ଟ୍ର ପ୍ରତିନିଧିଙ୍କୁ କଡ଼ା ସୁରକ୍ଷାରେ ପୁରୀ ଅଣାଯାଇଛି। ୪ ତାରିଖ ଅପରାହ୍ଣରେ ବିଦେଶୀ ପ୍ରତିନିଧିମାନେ କୋଣାର୍କ ସୂର୍ୟ୍ୟ ମନ୍ଦିର ପରିଦର୍ଶନ କରିବେ। ୫ରେ ରାମଚଣ୍ଡୀ ଓସୱାଲ ଯାଇ ମକଡ୍ରିଲ ଦେଖିବାର କାର୍ୟ୍ୟକ୍ରମ ରହିଛି। ସେଥିରୁ କେତେକ ପ୍ରତିନିଧି ଶ୍ରୀଜଗନ୍ନାଥ ମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ। ସେମାନେ ସ୍ବର୍ଣ୍ଣାଭ ବେଳାଭୂମି ଦେଖିବାର କାର୍ୟ୍ୟକ୍ରମ ରହିଛି। ତେଣୁ ବ୍ଲୁ ଫ୍ଲାଗ ବେଳାଭୂମି ଓ ନୀଳାଦ୍ରି ବେଳାଭୂମିକୁ ପ୍ରସ୍ତୁତ କରାଯାଇଛି।

    Maximum 500 characters

    ତାଜା ଖବର View all

    Find Us on Facebook