Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଶିଶୁଙ୍କ ପୋଷଣ ମାପ ପାଇଁ ଆରମ୍ଭ ହେବ AI-ଭିତ୍ତିକ ସିଷ୍ଟମ୍

    Share on :
    ajab-Image
    Date: Aug 7, 2026    Views: 2887

    ଭୁବନେଶ୍ୱର: ରାଜ୍ୟ ମହିଳା ଓ ଶିଶୁ ବିକାଶ (WCD) ବିଭାଗ ପକ୍ଷରୁ ଭୁବନେଶ୍ୱରଠାରେ ରାଜ୍ୟସ୍ତରୀୟ 'ବିଶ୍ୱ ସ୍ତନ୍ୟପାନ ସପ୍ତାହ ୨୦୨୬' ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଛୋଟ ଶିଶୁ ଓ ସେମାନଙ୍କ ପିତାମାତା ଅଂଶଗ୍ରହଣ କରିଥିଲେ।

    ଏହି ସମାରୋହରେ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର-ତଥା-ଶାସନ ସଚିବ ଡ. ମୃଣାଳିନୀ ଦର୍ଶୱାଲ ଅଧ୍ୟକ୍ଷତା କରିଥିବା ବେଳେ ବିଭାଗୀୟ ନିର୍ଦ୍ଦେଶିକା ମନୀଷା ବାନାର୍ଜୀ ସ୍ୱାଗତ ଭାଷଣ ଦେଇଥିଲେ।

    କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଡ. ଦର୍ଶୱାଲ ସ୍ତନ୍ୟପାନର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ କହିଥିଲେ ଯେ, ମା’ କ୍ଷୀର ଶିଶୁ ପାଇଁ ପ୍ରଥମ ଟିକା ଏବଂ ସବୁଠାରୁ ପୌଷ୍ଟିକ ଆହାର। ଜନ୍ମର ଏକ ଘଣ୍ଟା ମଧ୍ୟରେ ସ୍ତନ୍ୟପାନ କରାଇବା, ପ୍ରଥମ ୬ ମାସ ପର୍ଯ୍ୟନ୍ତ କେବଳ ସ୍ତନ୍ୟପାନ (Exclusive Breastfeeding) ଜାରି ରଖିବା ଏବଂ ଶିଶୁର ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶ ପାଇଁ ୨ ବର୍ଷ ପର୍ଯ୍ୟନ୍ତ ସ୍ତନ୍ୟପାନ ସହ ଅନ୍ୟାନ୍ୟ ପୋଷକ ଆହାର ଦେବା ଆବଶ୍ୟକ। ଶିଶୁର ସୁସ୍ଥ ବୃଦ୍ଧି ଓ ସର୍ବାଙ୍ଗୀନ ବିକାଶରେ ପିତା ଓ ପରିବାରର ଅନ୍ୟ ସଦସ୍ୟମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ସେ ସୂଚାଇଥିଲେ।

    ଗ୍ଲୋବାଲ ଅଣ-ଲାଭଦାୟକ ପ୍ରଯୁକ୍ତିବିଦ୍ୟା ସଂସ୍ଥା 'ୱାଧୱାନୀ ଫାଉଣ୍ଡେସନ୍'ର ପ୍ରତିନିଧିମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଏକ କୃତ୍ରିମ ବୁଦ୍ଧିମତ୍ତା (AI) ଆଧାରିତ ସମାଧାନର ପ୍ରଦର୍ଶନ କରିଥିଲେ। ଏହି ପ୍ରଯୁକ୍ତି ମାଧ୍ୟମରେ ମୋବାଇଲ୍ ଫୋନ୍ ଭିଡିଓ ଦ୍ୱାରା ଶିଶୁର ଓଜନ, ଉଚ୍ଚତା, ମୁଣ୍ଡର ପରିଧି, ଛାତିର ପରିଧି ଏବଂ ହାତର ଉପରି ଭାଗର ପରିଧି (MUAC) ମାପ କରାଯାଇପାରିବ।
    କମିଶନର-ତଥା-ସଚିବ ଏହି ପଦକ୍ଷେପକୁ ପ୍ରଶଂସା କରିବା ସହ ଏହାର ସଠିକତା, ବ୍ୟବହାରଯୋଗ୍ୟତା ଓ କାର୍ଯ୍ୟକାରିତାକୁ ଆହୁରି ସୁଦୃଢ଼ କରିବା ପାଇଁ କିଛି ଜରୁରୀ ପରାମର୍ଶ ଦେଇଥିଲେ। ଉଲ୍ଲେଖଯୋଗ୍ୟ ଯେ, ଏହି AI-ଆଧାରିତ ଶିଶୁ ବିକାଶ ନିରୀକ୍ଷଣ ପ୍ରଣାଳୀର ପାଇଲଟ୍ ପ୍ରକଳ୍ପ ପାଇଁ ମନୋନୀତ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶା ଅନ୍ତର୍ଭୁକ୍ତ।

    ଏହି ଅବସରରେ ୦ ରୁ ୬ ବର୍ଷ ବୟସର ଶିଶୁଙ୍କ ପିତାମାତାଙ୍କୁ ଫଳ ଏବଂ ଶିଶୁ ଯତ୍ନ କିଟ୍ ସହିତ ପୋଷଣ ବାସ୍କେଟ୍ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ବିଭାଗର ବରିଷ୍ଠ ଅଧିକାରୀ, କର୍ମଚାରୀ ଓ ପରାମର୍ଶଦାତାମାନେ ସ୍ତନ୍ୟପାନକୁ ଉତ୍ସାହିତ କରିବା ଏବଂ ମା’ ଓ ଶିଶୁର ପୋଷଣ ସ୍ଥିତିରେ ସୁଧାର ଆଣିବା ପାଇଁ ସେମାନଙ୍କ ସଂକଳ୍ପ ଦୋହରାଇଥିଲେ।

    ଅଗଷ୍ଟ ୧ ରୁ ୭ ପର୍ଯ୍ୟନ୍ତ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ କରାଯାଉଛି। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଶିଶୁ ସ୍ୱାସ୍ଥ୍ୟର ଭିତ୍ତିଭୂମି ଭାବେ ସ୍ତନ୍ୟପାନକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି। ସେ କହିଛନ୍ତି, "ମା’ କ୍ଷୀର ଶିଶୁର ସୁସ୍ଥ ଜୀବନ ପାଇଁ ପ୍ରଥମ ସୁରକ୍ଷା କବଚ। ପ୍ରଥମ ୬ ମାସ ପର୍ଯ୍ୟନ୍ତ କେବଳ ସ୍ତନ୍ୟପାନ ଶିଶୁର ଉତ୍ତମ ସ୍ୱାସ୍ଥ୍ୟ ଓ ଉଜ୍ଜ୍ୱଳ ଭବିଷ୍ୟତର ଆଧାର ସ୍ଥାପନ କରେ।" ଶିଶୁର ଉପଯୁକ୍ତ ପୋଷଣ ନିଶ୍ଚିତ କରିବା ପାଇଁ ସେ ମା'ମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ପରିବାର ଓ ସମାଜକୁ ଆହ୍ୱାନ ଦେଇଛନ୍ତି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook